Unknown

 

 

 

 

 

 

 

 

 

 

ବାରବାଟୀ

(ଅଭ୍ୟୁଦୟ)

ଡକ୍ଟର ମାୟାଧର ମାନସିଂହ

 

ପ୍ରଥମ ସଂସ୍କରଣର ଭୂମିକା

 

ଉତ୍କଳର ଗୌରବମୟ ଅତୀତର କେତେକାଂଶକୁ ନାଟକାକାରରେ ସଜେଇ ଥୋଇବାର ବାସନା ଲେଖକର ମନରେ ବହୁବର୍ଷ ହେଲା ଜାଗ୍ରତ ରହିଛି । କ୍ରମେ କ୍ରମେ ଲେଖକର କଳ୍ପନା ବାରବାଟୀକୁ କେନ୍ଦ୍ର କରିହିଁ ଗଢ଼ି ଉଠିଛି; କାରଣ ଷୋଡ଼ଶ ଶତାଦ୍ଦୀରେ ଉତ୍କଳର ଅଧଃପତନ ପର୍ଯ୍ୟନ୍ତ ଚାରି ଶତ ବର୍ଷ ଧରି ବାରବାଟୀର ଇତିହାସହିଁ ଉତ୍କଳର ଇତିହାସ ।

 

ଗଙ୍ଗରାଜାମାନେ ଉତ୍କଳର ଯେଉଁ ବିଭବ ଆରମ୍ଭ କରିଦେଇ ଗଲେ, ସୂର୍ଯ୍ୟବଂଶୀୟ ରାଜାମାନଙ୍କ ଅଧୀନରେ ତାହା ଚୂଳାରୋହଣ କଲା ଏବଂ ଭୋଇବଂଶୀୟମାନଙ୍କ ହାତରେ ତାହା ଧୂଳିସାତ୍ ହେଲା । ଏହି ଅବସ୍ଥା-ତ୍ରୟକୁ ଆଶ୍ରୟ କରି ଲେଖକ ‘ବାରବାଟୀ’ର ତିନି ଭାଗ ରଚନା କରିବ ବୋଲି କଳ୍ପନାରେ ରଖିଛି । ବର୍ତ୍ତମାନ ଭାଗ, ବାରବାଟୀର ଉଦୟକାଳର ଚିତ୍ର ମାତ୍ର ।

 

ଉତ୍କଳର ଇତିହାସ ଗୌରବମୟ ବୋଲି ଦେଉଳମାନଙ୍କର ପଥର ବା ତମ୍ବାପଟା କହନ୍ତି । କିନ୍ତୁ ଏମାନଙ୍କର କହିବା ଏତେ କ୍ଲୁପ୍ତ, ଏତେ ରହସ୍ୟମୟ ଯେ ତାକୁ ନେଇ ଐତିହାସିକ ନାଟକ ଲେଖିବା, ବାରିବିନ୍ଦୁକୁ ମୁକ୍ତା କରିବାର ଚେଷ୍ଟା କରିବାପରି ଦୁଃସାହସିକତାରହିଁ ପରିଚୟ ଦେବ । ହଲିନ୍‍ଶେଡ୍‍ଙ୍କ କ୍ରନିକଲ ବା ପୁଟାର୍କଙ୍କ ‘ଜୀବନମାଳା’ ନ ଥିଲେ ସେକ୍‍ସ୍‍ପିଅର ‘ବ୍ରିଟିଶ ଓ ରୋମାନ୍’ ଇତିହାସକୁ ଅବଲମ୍ବନ କରି ଯେଉଁ ଉତ୍କୃଷ୍ଟ ନାଟକମାଳା ସୃଷ୍ଟିକରି ଯାଇଅଛନ୍ତି ତାହା ଅସମ୍ଭବ ହୋଇଥାନ୍ତା ।

 

ବାଧ୍ୟହୋଇ ତେଣୁ, ଅଧିକାଂଶଭାବରେ ଏ ନାଟକର ଗଳ୍ପାଂଶକୁ କାଳ୍ପନିକ କରିବାକୁ ହୋଇଅଛି । କିନ୍ତୁ ଗଳ୍ପର ମେରୁଦଣ୍ତଟା ଅର୍ଥାତ୍ ମୋଟ କଥାଟା ଯେ ଆଦୌ ଅଳିକ ନୁହେ, ପାଠକ ତାହା ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ‘ଉତ୍କଳଇତିହାସ’ର ପୃଷ୍ଠା ଆଲୋଡ଼ନ କରି ଦେଖି ପାରିବେ ।

 

ଆଉ ଗୋଟାଏ କଥା । ଏହି ନାଟକ ବର୍ଣ୍ଣିତ କାଳରେ ମୁସଲମାନମାନେ ପ୍ରଥମ କରି ଓଡ଼ିଶା ଆକ୍ରମଣ କରିଥିଲେ । ଆଜି ହିନ୍ଦୁ ଓ ମୁସଲମାନ ଏକ ଭାରତମାତାର ଦୁଇ ପୁଅ–ତେଣୁ ଦୁଇଭାଇ । କିନ୍ତୁ ଛଅ ଶହ ବର୍ଷ ତଳେ ଯେତେବେଳେ ପ୍ରଥମ କରି ହିନ୍ଦୁ ମୁସଲମାନମାନଙ୍କୁ ଓ ମୁସଲମାନମାନେ ହିନ୍ଦୁଙ୍କୁ ଭେଟିଥିବେ, ସେତେବେଳେ ପରସ୍ପର ପ୍ରତି ପରସ୍ପରର କି ପ୍ରତିକ୍ରିୟା ଆସି ଥାଇପାରେ ? ନାଟକ ଲେଖକ ଭାବରେ ମୋର ତାହା କର୍ତ୍ତବ୍ୟ ଜାଣି ନାଟକର ଚରିତ୍ରମାନଙ୍କ ମୁହଁରେ କେତେକ କଥା କୁହାଇଛି ଯାହା ମୁଁ ନିଜେ ପସନ୍ଦ କରେ ନାହିଁ । କିନ୍ତୁ ଚିତ୍ରଣ ସ୍ୱାଭାବିକ ନ ହେଲେ ତାହା ସାହିତ୍ୟ ହୋଇପାରିବ ନାହିଁ । ତେଣୁ ହିନ୍ଦୁ ଓ ମୁସଲମାନ, ଉଭୟ ଦଳର ପାଠକମାନେ ନିଜ ନିଜକୁ ଛଅ ଶହ ବର୍ଷ ତଳର ସେ କାଳର ଅବସ୍ଥାରେ ରଖିବାକୁ ଚେଷ୍ଚା କରି ଲେଖକକୁ କ୍ଷମା–ଦେବେ । ଇତି ।

 

ମାୟାଧର ମାନସିଂହ

Image

 

ଆଠମଲ୍ଲି କେଶ,

ରାଜା ଶ୍ରୀ କିଶୋରଚନ୍ଦ୍ର ଦେଓ ସାମନ୍ତ

କରକମଳେଷୁ,

 

ପୂର୍ବଗଡ଼ଜାତମାନଙ୍କର ଶିକ୍ଷାପରାମର୍ଶଦାତା ଭାବରେ ମୁଁ ବହୁ ରାଜା ମହାରାଜାଙ୍କୁ ଭେଟିଲି । କିନ୍ତୁ ନିଜର ମାତୃଭୂମି ଓ ମାତୃଭାଷା ପ୍ରତି ଅନାବିଳ ଓ ଗଭୀର ଶ୍ରଦ୍ଧା କେବଳ ଆପଣଙ୍କଠାରେ ଦେଖିଲି । ବାରବାଟୀ-ଦୁର୍ଗ ଯେଉଁ ପ୍ରାଚୀନ ଐତିହାସିକ ଉତ୍କଳର ପ୍ରତୀକ, ତାର ପଦଚିହ୍ନ ଏ ପର୍ଯ୍ୟନ୍ତ ଓଡ଼ିଶାର ଗଡ଼ଜାତମାନଙ୍କରେ ଅଛି । ଓଡ଼ିଆମାନଙ୍କର ପୂର୍ବ-ଯଶର ଅଧିକାଂଶ ଭାଗ ଗଡ଼ଜାତର ଐତିହାସିକ ରାଜବଂଶମାନଙ୍କର ହିଁ ପ୍ରାପ୍ୟ । ସେହିପରି ଏକ ରାଜବଂଶର ଆପଣ ଅଳଙ୍କାରସ୍ୱରୂପ । ଆପଣଙ୍କ ରାଜତ୍ୱ କାଳରେ କ୍ଷୁଦ୍ର ଆଠମଲ୍ଲିକର ଅଭୂତପୂର୍ବ ଉନ୍ନତି କେବଳ ହୋଇନାହିଁ, ସମଗ୍ର ଉତ୍କଳର ବହୁ ଦୀନଦୁଃଖୀ ଓ ଅଭାବଗ୍ରସ୍ତ ସାହିତ୍ୟିକ ବହୁବର୍ଷ ଧରି ଆପଣଙ୍କ ଦରବାରରୁ ପୂର୍ଣ୍ଣହସ୍ତରେ ଫେରୁଛନ୍ତି ।

ଆପଣଙ୍କଠାରେ ଏହିପରି ପ୍ରାଚୀନ ଓ ଇଦାନୀନ୍ତନ ଉତ୍କଳର ମନୋହର ମିଶ୍ରଣ ଘଟିଥିବାରୁ, ‘ବାରବାଟୀ’ର ଲେଖକ ଆପଣଙ୍କ ନାମରେ ତାର ଏହି ଜାତୀୟଇତିହାସମୂଳକ ନାଟକଟି ଉତ୍ସର୍ଗ କରି ଆନନ୍ଦ ଲାଭକରୁଛି । ଇତି ।

ଆପଣଙ୍କର

ମାୟାଧର ମାନସିଂହ

Image

 

ଦ୍ୱିତୀୟ ସଂସ୍କରଣର ଭୂମିକା

 

ଏଇ ନାଟିକାଟି ଛପା ହେବା ପୂର୍ବରୁ ଆଠଗଡ଼ ଓ ଆଠମଲ୍ଲିକରେ ଅଭିନୀତ ହୋଇଥିଲା ଏବଂ ଲେଖକ ସେଇ ସେଇ ଅଭିନୟ ଦେଖିବା ପରେ ନାଟକର ବହୁ ପରିବର୍ତ୍ତନ କରିଥିଲା । ପ୍ରଥମ ସଂସ୍କରଣରେହିଁ ଏଇ କଥାଟା ଲେଖକର କହି ଦେବାର ଉଚିତ ଥିଲା । ଆଉରି ମଧ୍ୟ ଉଚିତ ଥିଲା ଯେ ଆଠଗଡ଼ ଓ ଆଠମଲ୍ଲିକର ଅଭିନେତାମାନଙ୍କ ପ୍ରତି ପ୍ରକାଶ୍ୟ କୃତଜ୍ଞତା ଜଣାଇବା । ସେ ପ୍ରମାଦ ପାଇ ମୁଁ ଦୁଃଖିତ ଓ ଲଜ୍ଜିତ ।

 

‘ବାରବାଟୀ’ ତିନିଖଣ୍ତ ନାଟକରେ ଆତ୍ମପ୍ରକାଶ କରିବାର କଳ୍ପନା ଥିଲା । ପ୍ରଥମ ଖଣ୍ତର ଦ୍ୱିତୀୟ ସଂସ୍କରଣ ହେଲା । କିନ୍ତୁ ଅନ୍ୟ ଦୁଇଟିର ପରିକଳ୍ପନା ହୋଇ ନାହିଁ । କେତେକ ପାଠକ ପଚାରିଛନ୍ତି । ମୋର ଏବେ ବି ଆଶା ଅଛି ଯେ ଅନ୍ତତଃ ଶେଷ ଖଣ୍ତିକ ଦିନେ ଶେଷ କରିବି । ଇତି-

 

ମାୟାଧର ମାନସିଂହ

ସମ୍ବଲପୁର ୧-୧୧-୫୧

Image

 

ନାଟ୍ୟୋଲ୍ଲିଖିତ ଚରିତ୍ରଗଣ

 

ଅନଙ୍ଗଭୀମଦେବ, ଯୁବରାଜ ନରସିଂହ, ଗୋବିନ୍ଦ ପାଟଯୋଶୀ (ପ୍ରଧାନ ମନ୍ତ୍ରୀ), ସଦସ୍ୟ ବଳରାମ ମିଶ୍ର, ପୁରୋହିତ, ଗୌଡ଼, ହରିହରପୁର, ସମ୍ବଲପୁର, ଘୁମୁସର, ଅନୁଗୋଳ ଓ ବାଣପୁରର ରାଜାଗଣ । ଜଳେଶ୍ୱର ଦୁର୍ଗର ସାମନ୍ତ, ଦଳବେହେରା, ରେମୁଣା ଦଳାଇ, ଜୟପୁରର ଶବର ରାଜ । ବଙ୍ଗଦେଶୀ ଯାତ୍ରୀଯୁଗଳ, ଦୁର୍ଗବନ୍ଦୀ କତିପୟ ଓଡ଼ିଆ ପାଇକ, ଖୁଣ୍ଟିଆ ଓ ଜନତା ।

 

ମୁସଲମାନ

ବକ୍ତିଆର ଖିଲଜି, ସେନାପତି ସିରାଜ, ଦୁଇଜଣ ଅଧସ୍ତନ ସେନାପତି ଓ ମୁସଲମାନ ଦୂତ, ସୈନିକମାନେ, ମୁସଲମାନ ମୌଲବୀ ।

ନାରୀ

ଉତ୍କଳର ପଟ୍ଟମହଷୀ, ସଖୀଗଣ, କଳାବତୀଗଣ, ମାଳବ ରାଜଜେମା କାଞ୍ଚନପ୍ରଭା ।

Image

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

(ଦୁଇଟି ବଙ୍ଗଦେଶୀ ଯାତ୍ରୀ । ବ୍ରାହ୍ଣଣ । ବାରବାଟୀ ଦୁର୍ଗର ସିଂହଦ୍ୱାର । ପ୍ରହରୀ, ବଲ୍ଲମ- ହସ୍ତରେ ପାଦଚାରଣ କରୁଛି ।)

 

ପ୍ରହରୀ

କିଏ ତୁମେ ? କି ଚାହଁ ?

ପ୍ରଥମ ଯାତ୍ରୀ

ଆମ୍ଭେମାନେ ବଙ୍ଗଦେଶରୁ ଆସିଛୁ । ମହାରାଜାଙ୍କ ସଙ୍ଗେ ସାକ୍ଷାତ୍ କରିବାକୁ ଚାହୁଁ ।

ପ୍ରହରୀ

ବର୍ତ୍ତମାନ ମହାରାଜାଙ୍କର ଦେବାର୍ଚ୍ଚନ ସମୟ । ଏଇକ୍ଷଣି କାହାରିକୁ ଯିବାର ନିୟମ ନାହିଁ । କିଛି ସମୟ ଗଲେ ପ୍ରଧାନ ମନ୍ତ୍ରୀ ଓ ଭିତିରିଆମାନେ ଆସିବାକୁ ଆରମ୍ଭ କରିବେ । ସେତିକିବେଳେ ତୁମର ପ୍ରାର୍ଥନା ତମେ ଜଣାଇବ । ବଙ୍ଗଦେଶରୁ ତ ଅନେକ ଲୋକ ଛାମୁଙ୍କୁ ଦେଖାକରି ପାଟ କୁଣ୍ତଳ ନେଇ ଫେରୁଛନ୍ତି । ସେଦିନ ନଦୀୟାର ଜଣେ ପଣ୍ତିତ କି ଗୋଟେ ଉପାଧି ପାଇଲେ ଓ ଯାଜପୁରରେ ସାତବାଟୀ ଭୂମି ଦାନ ପାଇ ହାତୀରେ ବସି ବାହାରିଗଲେ । ତମେ କ’ଣ ସେଇୟା ଶୁଣି ଧାଇଁଛ ନା କଣ ?

ଦ୍ୱିତୀୟ ଯାତ୍ରୀ

ନାଁ ନାଁ ଆମେ ଅନ୍ୟ କାମରେ ଆସିଛୁ ।

ପ୍ରହରୀ

କ’ଣ ତୀର୍ଥ ଯାତ୍ରା କରି ? ପୁରୀ ଯିବ ? ତେବେ ଏଠିକି କାହିଁକି ଆସିଲ-? ସିଧା ସିଧା ହରିହର ଘାଟରୁ ଚାଲି ଯାଇଥାନ୍ତ ବଣିଆ ସାହିକି-। ସେଠୀ ଚଟୀ ଅଛି, ରାନ୍ଧିବ, ବାଢ଼ିବ, ଖାଇବ, ପୁଣି ଜଗନ୍ନାଥ ସଡ଼କରେ ଗୋଟିଏ ଗୋଟିଏ ଚାଲିବ । ଖର୍ବ ଖର୍ବ ଲୋକ ଯାଉଛନ୍ତି । ତମେ ବାଟ ଭୁଲିଗଲ କେମିତି ?

ପ୍ରଥମ ଯାତ୍ରୀ

ନାଁ ଆମେ ବାଟ ଭୁଲିନାହୁଁ । ଆମେ ତୀର୍ଥ କରିବାକୁ ଆସିନାହୁଁ । ଆମେ ମହାରାଜାଙ୍କ ସଙ୍ଗେ ସାକ୍ଷାତ୍ କରିବାକୁ ଆସିଛୁଁ ।

ପ୍ରହରୀ

ମହାରାଜାଙ୍କୁ ତା’ ନାଁ କ’ଣ, ଶାଗ ମାଛ କରିପାଇଛ ନା କ’ଣ । ଏଇ ଗଡ଼ର ପ୍ରତିଷ୍ଠା ଉତ୍ସବ ଆଉ ପାଞ୍ଚଦିନ ଗଲେ ହେବ । ସେଥିପାଇଁ ସାରାରାଜ୍ୟର ରାଜାମାନେ ଏଠି ଆସି ପହଞ୍ଚିବେ । ତା’ ନା କ’ଣ, ତା’ ସରୁ ସରୁ ମହାରାଜା ପୁଣି ପୁରୀ ଯିବେ । ସେଠି ତା’ ନାଁ କ’ଣ ନୂଆ ମନ୍ଦିର ବାରବର୍ଷ ପରେ ଶେଷ ହୋଉଛି । ତା’ର ପ୍ରତିଷ୍ଠା ହେବ । ସେ ସରୁ ସରୁ ମହାରାଜା ଯିବେ ତା’ ନାଁ କ’ଣ ଦକ୍ଷିଣକୁ । ମହାରାଜାଙ୍କୁ ତ ଖାଇବା ଶୋଇବାକୁ ଅବସର ନାହିଁ । ତମ ଆମ ସଙ୍ଗେ ଖୁସିଗପ କରିବାପାଇଁ ବେଳ କାହିଁ ?

ଦ୍ୱିତୀୟ ଯାତ୍ରୀ

ଭାଇ, ଆମେ ଖୁସିଗପ କରିବା ଲାଗି ଆସିନାହୁଁ ହୋ । ଆମେ ଏକ ବଡ଼ କାମରେ ଆସିଛୁ । ଆମ ବଙ୍ଗଦେଶ ବର୍ତ୍ତମାନ ମୁସଲମାନମାନେ ଅଧିକାର କରିଯିବାରୁ, ଆମର ରାଜା ଲକ୍ଷ୍ମଣସେନ ଓଡ଼ିଶାରେ ଆଶ୍ରୟ ନେବାପାଇଁ ପଳାଇ ଆସିଛନ୍ତି । ସେ ବର୍ତ୍ତମାନ ଧାମନଗରରେ । ଏଇ ସଂବାଦ ଦେବା ପାଇଁ ଆମ୍ଭେମାନେ ଆଗେ ଆଗେ ଚାଲିଆସିଛୁ ।

ପ୍ରହରୀ

ଓଃ ସେ କଥା ବୋଲ । ତା’ ହେଲେ ମହାରାଜାଙ୍କ ସାକ୍ଷାତ ଅଳ୍ପକେ ପାଇଯିବ । ବନ୍ଧୁ ରାଜାଙ୍କୁ ତା’ ନାଁ କ’ଣ, ସହାୟ ହେବାକୁ ମହାରାଜାଙ୍କୁ କହିବାକୁ ହେବନି । ସେ ଶୁଣିଲାକ୍ଷଣି ଅଣ୍ଟାଭିଡ଼ି ବାହାରିବେ । କ’ଣ ତମେ କହିଲ । ‘ମୁସଲମାନ’ । ସେ କି ଜାତି ? ଏମିତି ଜାତି ଆମ ଏଠି ଶୁଣା ନ ଥିଲା । ଆମର ଚାରିବର୍ଣ୍ଣ ଛତିଶପାଟକ ଭିତରେ ତ ? କେଉଁ ଦେଶର ଲୋକ ହୋ ସେ ?

ପ୍ରଥମ ଯାତ୍ରୀ

ନାହିଁ ଭାଇ, ସେମାନେ ଏକାବେଳେକେ ଭିନ୍ନ ମନିଷ । ତାଙ୍କ କଥା, ତାଙ୍କ ଧର୍ମ, ତାଙ୍କ ବ୍ୟବହାର ସବୁ ଭିନ୍ନ । ଏ ଜମ୍ବୁଦ୍ୱୀପର ଲୋକ ସେମାନେ ନୁହନ୍ତି । ସେଣୁ ଉତ୍ତର ଦେଶ ଆଡ଼ୁ କେଉଁଠୁ ମାଡ଼ି ଆସୁଛନ୍ତି-। ଆମେ ଯାହାକରୁ ସେମାନେ ତାର ଠିକ୍ ଓଲଟା କରୁଛନ୍ତି । ଆମ ଦିଅଁ ଦେବତାଙ୍କୁ ସେ ମାନନ୍ତି ନାହିଁ, ଗୋମାଂସ ଖାଆନ୍ତି, କଦବା ଗାଧାନ୍ତି; ବୁଢ଼ା ଟୋକା ସମସ୍ତଙ୍କର ଦାଢ଼ି ଏଡ଼େ ଏଡ଼େ; ଏହିପରି ଏକ ଅସୁରୀ ଜାତି ବୋଲ ଯାହା ପୁରାଣରେ ପଢ଼ିଥିଲୁ, ସେଇଆ ଆଖିରେ ଦେଖିଲୁ-

ପ୍ରହରୀ

ଆମ ପୁରାଣରେ ଯେଉଁ ମ୍ଳେଚ୍ଛମାନଙ୍କ କଥା ଲେଖାଅଛି; ସେମାନେ କ’ଣ ସେଇୟା କି ହୋ ? ନାଁ କ’ଣ ? ସେୟା ବୋଲ ।

ଦୁଇଯାତ୍ରୀ

ଠିକ୍ ଠିକ୍, ସେଇ ମ୍ଳେଚ୍ଛ କି ମ୍ଳେଚ୍ଛ ।

ପ୍ରହରୀ

ମ୍ଳେଚ୍ଛଙ୍କ ପ୍ରାଦୁର୍ଭାବ ହେଲେ କଳ୍କୀ ଅବତାର ଆସିବେନି ? ପୁରାଣ କ’ଣ ମିଛ ହୋଇଯିବ ? ଦିଅଁ ଦେବତା, ଗୋରୁ ବ୍ରାହ୍ଣଣ, ୟା’କୁ ଅପମାନ କଲେ ଏ ସୃଷ୍ଟି ରହିବ ? ଚିନ୍ତା ନାହିଁ, ଚିନ୍ତା ନାହିଁ–ଏଇ, ଏଇ, ଆମର ପ୍ରଧାନମନ୍ତ୍ରୀ ଯାଉଛନ୍ତି–ଯାଅ ଯାଅ, ତାଙ୍କ ପିଛା ଧର ।

ପ୍ରଥମ ଯାତ୍ରୀ

ଆସ ଦାଦା, ଆସ ଶୀଘ୍ର । (ପ୍ରସ୍ଥାନ)

ପ୍ରହରୀ

(ପାଦଚାରଣ କରୁ କରୁ) ମୋସଲମାନ, ମୁଷଳବାନ ।

(ପଟ୍ଟପତନ)

 

ଦ୍ୱିତୀୟ ଦୃଶ୍ୟ

 

(ବାରବାଟୀ ଦୁର୍ଗାଭ୍ୟନ୍ତରର ପ୍ରାଙ୍ଗଣ । ଅପରାହ୍ନ । ମହାରାଜ ଅନଙ୍ଗଭୀମଦେବଙ୍କ ସଭାର ବିଦୂଷକ ଶ୍ରୀ ବଳରାମ ସହସ୍ୟ, ଯଷ୍ଟି ହସ୍ତରେ ଧୀରେ, ଧୀରେ ପଦଚାଳନା କରୁଛନ୍ତି । ପଛରେ ରାଜଦ୍ୱାରୀ । ସଦସ୍ୟେ ଅନଙ୍ଗଭୀମଙ୍କ ବାଲ୍ୟସହପାଠୀ ଥିଲେ, ତେଣୁ ଅନ୍ତରଙ୍ଗ ମିତ୍ର । ପୃଥୁଳକାୟ, ସଦା କ୍ଷୁଧିତ, ବିଜ୍ଞ ଓ ଅନାପକାରୀ ।)

 

ଦ୍ୱାରୀ

ସଦସ୍ୟ ଆପଣେ, ଆଉ ଡେରି କରନ୍ତୁ ନି, ମହାରାଜ ଅନେଇ ବସିଛନ୍ତି ଆପଣଙ୍କ ଲାଗି ।

ସଦସ୍ୟ

ନାଇଁହୋ, ଥରେ ତ କହିଲି ଯିବିନି ବୋଲି । ଅକାରଣେ ଆଉ ବିରକ୍ତ କରୁଛ କିଆଁ ? ତମ ମହାରାଜା ତମକୁ ବଡ଼, ମତେ ନୁହେଁ । କାମ କରି କରି ମନିଷର ହାତ ଗୋଡ଼ ଚୂନା ହେବାକୁ ବସିଲାଣି, ଫେର୍ କଣ ନା, ମହାରାଜା ଡାକୁଛନ୍ତି । ତାଙ୍କ ଦେହରେ ବିଧାତା ସିଂହର ବଳ ଦେଇଛନ୍ତି ବୋଲି କଣ ବିଧାତା ସମସ୍ତଙ୍କ ପ୍ରତି ସେଇ ଅନୁଗ୍ରହ କରିଛି ? ମୁଁ ତ ତାଙ୍କୁ ପୁଣି ପିଲାଦିନୁ ଦେଖି ଆସୁଛି ? ତାଙ୍କର ହାତ, କି ଗୋଡ଼, କି ମନ, କି ବୁଦ୍ଧି ଥିର ହୋଇ ରହେ ନା । ପାଠ ପଢ଼ିଲାବେଳେ ଯାହା, ଯୁବକବେଳେ ସେୟା, ଏବେ ପିଲାଝିଲା ହୋଇ ବୁଢ଼ା ହେବାକୁ ବସିଲେଣି ଏବେ ବି ସେୟା । ଟୋକାବେଳେ ଦୁଷ୍ଟାମିରେ ଶିରୋମଣି ଥିଲେ । ଏବେ ବୁଢ଼ା ବୟସରେ ଧର୍ମଯୁଧିଷ୍ଠିର ସାଜିଛନ୍ତି । ଭେଣ୍ତିଆ ବୟସରେ ଦିନ ନାହିଁ, ରାତି ନାହିଁ ଅଗ୍ନାଅଗ୍ନି ବନସ୍ତରେ ଖାଲି ପାରିଧି । ମୋ କଥା ନ ମାନି, ସେଥର ସଞ୍ଜବେଳଟାରେ ବେଣ୍ଟପାଇଁ ବାହାରିଲେ-। ବୈତରଣୀ ନଦୀ ପାର ହୋଇଛନ୍ତି କି ନାହିଁ, ବଣ ବାଟରେ ଗେରୁଆ ଲୁଗା ପିନ୍ଧି ବ୍ରାହ୍ମଣ ଟୋକାଟା ପଳେଇ ଯାଉଥିଲା; ତାକୁ ହରିଣ ବୋଲି ମାରି ପକାଇଲେ । ସେଇଠୁ ଛାଡ଼ିଲେ ପାରିଧି; ଆଉ ଏବେ ଚାଲିଛି ସେ ପାପର ପ୍ରାୟଶ୍ଚିତ୍ତ । ରଖ ବାବା ତମର ପାପ ପୁଣ୍ୟ ତମଠି । ଜଣେ ବ୍ରହ୍ମଣ ପାଇଁ ଧର୍ମ କରୁ କରୁ ଏଣେ ଆଉ ଗୋଟିଏ ବ୍ରହ୍ମାଣ ଯେ ମରିବାକୁ ବସିଲାଣି, ସେ କଥା ମନରେ ପଶୁନି । ବାଲେଶ୍ୱରଠୁଁ ବଡ଼ଖେମୁଣ୍ତି, ଏଣେ ସମୁଦ୍ର କୂଳରୁ ସୋନପୁର ଯାଏଁ ଖାଲି ଆସ ଯା’ । ଏଠି ଦେଉଳ, ସେଠି ପୋଖରୀ, ସେଠି ଘାଟ, ଏଠି ବାମ୍ପୀ–ଏଇୟା ଖାଲି ଚାଲିଛି । ମନିଷ ୟାଙ୍କ ସଙ୍ଗରେ ରହି, ଦଣ୍ତେ କେଉଁଠି ଥିର ହୋଇ ରହିପାରିଲାନି ହୋ । ଖାଇବା ଗଣ୍ତାକର ତ ଠିକଣା ନାହିଁ । ଯୁ’ ଗଣ୍ତିକ ପେଟରେ ବା ପଡ଼ିଲା ସେତକ ଜୀର୍ଣ୍ଣ ହେବାର ଯୁ ନାହିଁ । ମୁଁ– ନାଃ, ମୁଁ ଆଉ ଏ ଗଡ଼ରେ ରହିବି ନି କି, ତାଙ୍କ ପାଖକୁ ଯିବି ନି । ମୋ କଥାରେ ସେ ତ ନାହାନ୍ତି, ସେ ଗୋବିନ୍ଦ ପଟ୍ଟଯୋଶୀ, ଈଶାନ ପଟ୍ଟନାୟକ, ଦାମୋଦର ବଡ଼ପେଣ୍ତାଙ୍କୁ ଡାକୁ ନାହାନ୍ତି ? ମୁଁ କିଆଁ ଯିବି-? ନା– ତୁ ଯା ମହାରାଜାଙ୍କୁ ଏଇକଥା...

 

 

(ମହାରାଜ ଅନଙ୍ଗଭୀମଦେବଙ୍କ ପ୍ରବେଶ । ଦ୍ୱାରୀର ପ୍ରଣାମ ଓ ଦଣ୍ତାୟମାନ । ମନ୍ତ୍ରୀ ଗୋବିନ୍ଦ ପଟ୍ଟଯୋଶୀ ତାଙ୍କ ପଛରେ । )

ଅନଙ୍ଗ

(ସସ୍ମିତେ) କି ସଦସ୍ୟେ କାହା ଉପରେ ଏତେ ବିରକ୍ତ ? ବୋଧ ହୁଏ ମୋରି ଉପରେ ।

ସଦସ୍ୟ

ନାଇଁ ମହାରାଜ ମୁଁ ଦ୍ୱାରୀକୁ ଗୋଟିଏ ଗପ କହୁଥିଲି ।

ଅନଙ୍ଗ

(ସସ୍ମିତେ) ଆମେ ସେ ଗପ ଶୁଣିବାକୁ କଣ ଉପଯୁକ୍ତ ?

ସଦସ୍ୟ

(ମିଥ୍ୟା ବିନୟ ଓ ସମ୍ଭ୍ରମ ଦେଖାଇ) ହେଁ ହେଁ ଛାମୁ ସେପରି କହିବା ହେଉଛନ୍ତି କିଆଁ ? ଗପଟି ନିତାନ୍ତ ଛୋଟ । କହୁଛି ଶୁଣନ୍ତୁ । ଗୋଟେ ଛୋଟ ଗାଡ଼ିଆରେ ଗୋଟେ କଇଁଚ ଥିଲା । ଗାଡ଼ିଆ ତଳେ ଗୋଟିଏ ହରିଣ ଚରୁଥିଲା । ହରିଣଠୁ ବଣରେ ଥିବା ବଡ଼ ବଡ଼ ପୋଖରୀର ଖବର ପାଇ କଇଁଛ ହରିଣ ସାଥିରେ ସେଠାକୁ ଯିବାକୁ ବସିଲା । ତା’କୁ ତା ଭାଇବନ୍ଧୁମାନେ ବହୁତ ମନା କଲେ । ସେ କିନ୍ତୁ ମାନିଲାନି ଗଲା । ହରିଣ ମୁଣ୍ତ ଉପରେ ବସି କୋଡ଼ିଏ ପହଣ୍ତ ଯାଇଛି କି ନାହିଁ, ଆଗରେ ଦିଶିଲା ଶଅର । ହରିଣ ମାରିଲା ଏକ କ୍ଷେପା, ଗଲା ବଣ ଭିତରେ ପଶି-। କଇଁଚ ପଡ଼ିଲା ତଳେ ଲଥ୍‍କିନି । ଶଅର ଘରେ ସେଦିନ ହେଲା କଇଁଚ ମାଂସ ଭୋଜି । ଆଜ୍ଞା କ୍ଷିପ୍ରସଙ୍ଗେ ମନ୍ଥରର ବନ୍ଧୁତା ମୂର୍ଖତା ନୁହଁ କି ? ସେଥିପାଇଁ ପରା ଗୀତାରେ କହିଛି (ନସ୍ୟ ସେବନ କରି କରି) ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।

ପଟ୍ଟଯୋଶୀ

ସଦସ୍ୟେ, ଏ’ତ ଖାଲି ଗପ ନୁହେଁ, ଏ ଗୋଟାଏ ରୂପକ ପରି ଜଣାଯାଉଛି । ନିଶ୍ଚୟ କାହାକୁ ଲକ୍ଷ୍ୟ କରା ହୋଇଛି ।

ସଦସ୍ୟ

ପାଟଯୋଶୀଏ, ତମେ ଯେଉଁ ଲେଖନୀରେ ଲେଖ, ସେଟା ଯଦି ସେନାପତିଙ୍କ ଖଣ୍ତାଠାରୁ ବଡ଼ ଅସ୍ତ୍ର ହୋଇ ପାରେ, ତେବେ ଏ ଗପ ରୂପକ ନ ହେବ କାହିଁକି ?

ଅନଙ୍ଗ

ତେବେ ସଦସ୍ୟେ, ମତେ ବୋଧ ହେଉଛି ରୂପକଟା ତମ ମୋ ଭିତରେ-? ମୁଁ ହରିଣ ତମେ କଚ୍ଛପ ? ଉପମା ମନ୍ଦ ହୋଇନାହିଁ । ତେବେ ବିପଦ ବେଳେ ଏ ହରିଣ, କଚ୍ଛପକୁ ଛାଡ଼ି ପଳେଇବ ବୋଲି ଆଶଙ୍କା କଲ କାହିଁକି, ସଦସ୍ୟେ ?

ସଦସ୍ୟ

ହରିଣ ରହୁ ବା ପଳାଉ, କିନ୍ତୁ କଚ୍ଛପର ମୃତ୍ୟୁ ନଃସଂଶୟ । କ୍ଷିପ୍ର ଜୀବ ସଙ୍ଗେ ମନ୍ଥରର, ଜଳଜୀବ ସଙ୍ଗେ ସ୍ଥଳଜୀବର ଭାଗ୍ୟ ଏକ ହେବ କିପରି ?

ଅନଙ୍ଗ

ପାଟଯୋଶୀଏ, ଏ ଭିତରେ ସଦସ୍ୟଙ୍କୁ ପ୍ରକୃତରେ ବହୁତ ଖଟିବାକୁ ପଡ଼ିଛି । ବିଶେଷତଃ ବାଜପେୟୀଙ୍କ ସଙ୍ଗେ ଶ୍ରୀକ୍ଷେତ୍ର ଓ ବାରବାଟୀ ବହୁବାର ଧାଁ ଦଉଡ଼ କରିବାରେ ସେ ନିଶ୍ଚୟ ବାଧକା ହୋଇ ଯାଇଥିବେ-। ଏ ଦୁର୍ଗ ପ୍ରତିଷ୍ଠା ପର୍ଯ୍ୟନ୍ତ ଆଉ ସଦସ୍ୟଙ୍କୁ କିଛି କାମ ଦିଅ ନାହିଁ, ପାଟଯୋଶୀଏ । ଆଉ ତମେ କଣ ସଦସ୍ୟେ, ଜାଣ ନାହିଁ ଯେ, ଉତ୍କଳ ସାମ୍ରାଜ୍ୟର ମୁକୁଟ ଯା’ର ମୁଣ୍ତରେ, ତାର ଆଖିରେ ନିଦ ନାହିଁକି, ତା ଗୋଡ଼ରେ କ୍ଳାନ୍ତି ନାହିଁ ? ରାଜ ସିଂହାସନ ତୁଳିତଳ୍ପ ନୁହେଁ । ସେ ଏକ ପ୍ରକାର କୁଶାସନ । ରାଜ୍ୟ ଶାସନ ଓ ରାଜ୍ୟ ପାଳନ, ରାଜାର କଠୋର ତପଃ ସାଧନା । ନିଳାଚଳନାଥଙ୍କୁ କୋଟି କୋଟି ଦଣ୍ତବତ । ଅନଙ୍ଗଭୀମ, ସଦସ୍ୟଙ୍କ ପରି ନର୍ମ ସଚିବ ଓ ପଟ୍ଟଯୋଶୀ, ବଡପଣ୍ତା ଓ ବାଜପେୟୀଙ୍କ ପରି କର୍ମସଚିବମାନଙ୍କୁ ପାଇ ଏହି କଠିନ ରାଜନ୍ୟ– ଯଜ୍ଞ ସୁଚାରୁରୂପେ ନିର୍ବାହ କରି ଆସୁଅଛି । ଭବିଷ୍ୟତ ବିଧାତା ହାତରେ-। କିନ୍ତୁ ବଙ୍ଗଦେଶରୁ ଯେଉଁ ସନ୍ଦେଶ ଆସିଛି... ।

ସଦସ୍ୟ

ଏଁ ଏଁ ବଙ୍ଗଦେଶରୁ ସନ୍ଦେଶ । ଆଜି ଆଃ, କି ଭାଗ୍ୟର ଦିନ । ବଙ୍ଗଦେଶରୁ ସନ୍ଦେଶ । ମିଷ୍ଟାନ୍ନ ରଚନାରେ ବଙ୍ଗଦେଶୀର ସମାନ ନାହିଁ-। ତା ପଟ୍ଟଯୋଶୀଏ, ଆମକୁ ମାନିବାକୁଇ ହେବ । ସେଥର ପାଡ଼ୁଶୀଏ, ତୁମେ ଜରୀବରେ ଲାଗିଥିଲ ବୋଲି ଆମ ସାଥିରେ ଗଲନି, ଗଡ଼ ମନ୍ଦାରଣରେ ଆମେ ପନ୍ଦର ଦିନ କଟାଇଲୁ । ମୁଁ କଣ ଆଉ ଅନ୍ନ ଦେଖିଛି ? ବଙ୍ଗଦେଶୀ ଗୁଡ଼ିଆ ସନ୍ଦେଶ ଓ ସୀତାଭୋଗ ଦୁଇଓଳି ଦୁଇ ଥାଳିରେ ଆଣେ ଓ ପୁଣି ତହିଁଆର ଦିନକୁ ବରାଦ ନେଇଯାଏ । ମୋର ସେହିଠି ଏ ପେଟ ତ ବଢ଼ିବାକୁ ଆରମ୍ଭ କଲା । ବହୁଦିନ ଗଲାଣି, କିନ୍ତୁ ସେ ସୀତାଭୋଗ କି ସେ ସନ୍ଦେଶ ମନରୁ ଛାଡ଼ିନି ।

ଅନଙ୍ଗ

ସଦସ୍ୟେ, କିନ୍ତୁ ଏଥର ଯେଉଁ ସନ୍ଦେଶ ଆସିଛି ସେ ବଡ଼ ଲୁଣିଆ ।

ସଦସ୍ୟ

ଏଁ, ଲୁଣିଆ ସନ୍ଦେଶ । ସେ ପୁଣି କଣ ? ଲୁଣ ସିନା ଓଡ଼ିଶାରେ ମରେ । ଗୌଡ଼ଦେଶ ଯେ ଖାଲି ମିଠାର ଦେଶ ।

ଅନଙ୍ଗ

ସଦସ୍ୟେ, ସେ ଖାଇବା ସନ୍ଦେଶ ନୁହେଁ, ସେ ଶୁଣିବା ସନ୍ଦେଶ । ଗୌଡ଼ର ରାଜା ଲକ୍ଷ୍ମଣସେନଙ୍କ ଦୂତ ବର୍ତ୍ତମାନ କହିଗଲା ଯେ, ସାରା ଆର୍ଯ୍ୟାବର୍ତ୍ତ ସହିତ ବଙ୍ଗଳା ବର୍ତ୍ତମାନ ମୁସଲମାନ କବଳିତ । ଲକ୍ଷ୍ମଣସେନ ନିଜେ ଉତ୍କଳରେ ଆଶ୍ରୟ ନେବା ପାଇଁ ଉପଗତ । ଖୁବ୍ ସମ୍ଭବତଃ ମୁସଲମାନ ଉତ୍କଳ ଆଡ଼କୁ ଅଭିଯାନ କରିପାରେ । ଆମ ସମସ୍ତଙ୍କର କାମ ଓ ଚିନ୍ତା ବହୁଗୁଣ ବଢ଼ିଗଲା । ଯବନର ସମର ନିୟମ ଅତ୍ୟନ୍ତ କୁଟିଳ । ଏହି କୁଟିଳତା ଯୋଗେହିଁ ଥାନେଶ୍ୱର ଯୁଦ୍ଧରେ, ପାଞ୍ଚବର୍ଷ ତଳେ ମହାମହିମ ପୃଥ୍ୱୀରାଜ ସ୍ୱୀୟ ମସ୍ତକ ସଙ୍ଗେ ଭାରତବର୍ଷର ସ୍ୱାଧୀନତା ହରାଇଲେ । କାପୁରୁଷ ଜୟଚନ୍ଦ୍ର ପ୍ରାଣରେ ଅଛି କି ନାହିଁ, ଜଣା ପଡ଼ିନାହିଁ । କିନ୍ତୁ ଆମ୍ଭମାନଙ୍କୁ ବର୍ତ୍ତମାନ ଅହୋରାତ୍ର ଜାଗ୍ରତ ରହିବାକୁ ପଡ଼ିବ; ନା କଣ ପାଟଯୋଶୀଏ ?

ସଦସ୍ୟ

ଆସୁ ହେ ଯବନ, ଆସୁ । ଭୟ କାହିଁକି ? ଉତ୍କଳେଶ୍ୱର ପୁଣି ଶତ୍ରୁକୁ ଡରିବେ । ତା’ ହେଲେତ ହାତୀ, ବିଲୁଆ ସମାନ ହୋଇଯିବେ । ଏ ପଇତା ଓ ଏ ଠେଙ୍ଗାକୁ ଯବନ ସମ୍ଭାଳୁ, ଆମ ଖଣ୍ତାଇତଙ୍କ ଖଣ୍ତା ତ ଦୂରର କଥା । ଏ ପଇତାରେ ତାକୁ ଓଟାରି ଓଟାରି, ଆଉ ଏ ଠେଙ୍ଗାରେ ପାହାରେ ପାହାରେ ଦେଇ, ତାକୁ ମାଙ୍କଡ଼ ନାଚ ନ ନଚେଇଲେ ମୋ ନାଁ ବଳରାମ ବାହିନୀପତି ନୁହେଁ ।

ପାଟଯୋଶୀ

(ସଦସ୍ୟଙ୍କ ପେଟ ଆଉଁସି) କିନ୍ତୁ ସାବଧାନ ସଦିସେ, ମୁସଲମାନର ଚର୍ବିଖିଆ ପେଟ ଓ ତୁମର ଘିଅ ଛେନାଖିଆ ପେଟ ଯଦି ବଜାବଜି ହୋଇଯାଏ ତେବେ ତମେ ଯୁଦ୍ଧ କରିବା ଆଗରୁ ତମର ତଳତ୍ୱପ୍ରାପ୍ତି ଓ ପଞ୍ଚତ୍ୱ ପ୍ରାପ୍ତି ବି ହୋଇଯାଇ ପାରେ । (ସମସ୍ତେ ହସି ହସି ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

 

(ବାରବାଟୀ ଦୁର୍ଗର ଅଭ୍ୟନ୍ତର, ଉତ୍କଳର ପଟ୍ଟମହିଷୀ ଦଣ୍ତାୟମାନ । ଦୁଇଟି ତରୁଣୀସଖି ଦୁଇ ପାଖରେ ବ୍ୟଜନ ଓ ଚାମରଚାଳନା କରୁଅଛନ୍ତି । ଟିକିଏ ଦୂରରେ, ଆଉ ଜଣେ ଫୁଲ ଗୁନ୍ଥିବାରେ ରତା । ତାର ବିପରୀତରେ ଆଉ ଜଣେ ତାମ୍ବୁଳ ରଚନା–ନୀରତା ।)

ଚାମରଧାରିଣୀ

ମଣିମା, କଳାବତୀଗଣ ନୃତ୍ୟଗୀତ କରିବା ନିମିତ୍ତ ବାହାରେ ଅପେକ୍ଷା କରିଛନ୍ତି, ଆସିବାକୁ କହିବି ?

ମହିଷୀ

ହଉ କହ । (ଚାମରଧାରିଣୀର ପ୍ରସ୍ଥାନ) ଲୋ ରେବା, ପାଟଯୋଶୀଙ୍କୁ ଖବର ପଠାଇଥିଲୁ ?

ରେବା

(ଗୁଆ କାଟୁକାଟୁ) ମଣିମା, ସେ ଏହିକ୍ଷଣି ଆସିବେ ବୋଲି ଖବର ପଠାଇଛନ୍ତି । ବାରବାଟୀ ଦୁର୍ଗର ପ୍ରତିଷ୍ଠା ଉତ୍ସବ ପାଇଁ କୋଡ଼ି କୋଡ଼ି ରାଜା ଜମା ହେଲେଣି । ବିଡ଼ାନସୀଠାରୁ ରାଣୀହାଟଯାଏ ଡେରା ଧାଡ଼ି ଧାଡ଼ି ହୋଇ ପଡ଼ିଗଲାଣି । ମହାନଦୀଠାରୁ କାଠଯୋଡ଼ୀ ଯାଏଁ ସମଗ୍ର ଜାଗା ଲୋକାରଣ୍ୟ । ପାଟଯୋଶୀଏ ସବୁ କଥା ବୁଝୁଛନ୍ତି । ତାଙ୍କର ଦେଖା ମିଳିବା କାଠିକର ପାଠ । ସମସ୍ତେ ଲାଗିଛନ୍ତି–ଏମିତିକି ଆମ ସଦସ୍ୟେ ମଧ୍ୟ ।

ମହିଷୀ

ସଦସ୍ୟେ କି କାମ କରୁଛନ୍ତି ? ତାଙ୍କପାଇଁ ଆରିଶାପିଠା ପଠେଇ ଦେଇଛୁ ତ ? ମୋ ତିଆରି ଆରିଶାପିଠା ଓ ଆଚାର ସଦସ୍ୟେ ସବୁବେଳେ ମାଗନ୍ତି ।

ରେବା

(ଚୂନ ଦେଉ ଦେଉ) ଆଜ୍ଞା ପଠାଇ ଦେଇଛି । ତାକୁ ଖାଇ ବୋଧହୁଏ ସଦସ୍ୟେ ଭୋଳ । ସେ ଖାଲି ଏକ ଠେଙ୍ଗା ଉଞ୍ଚେଇ, ପେଟ ହଲେଇ ହଲେଇ ‘ଘୁଞ୍ଚିଯାଅ’, ‘ବସିଯାଆ’, ‘ପାଟି କରନାହିଁ’ କହି କହି ବେଶି ପାଟି, ବେଶି ଗହଳ କରୁଛନ୍ତି । ସମସ୍ତେ ତାଙ୍କ ପେଟ, ପାଟି ପାଇଁ ଜମା ହେଉଛନ୍ତି । ଲୋକ ଗହଳିରେ ସେ ବଡ଼ଦାଣ୍ତର ଷଣ୍ଢ ପରି ବୁଲୁଛନ୍ତି । ଏଇ ତାଙ୍କର କାମ ।

ମହିଷୀ

ଯୁବରାଜଙ୍କର ଫେରିବାର କୌଣସି ଖବର ଶୁଣିଲୁ ? ଏ ସମସ୍ତ ଉତ୍ସବ ମୋତେ ଶୂନ୍ୟ ବୋଧହେଉଛି, ରେବା । ମୋର ମନ, ହୁଏତ ନୀଳାଚଳନାଥଙ୍କ ଠେଇଁ, ନୋହିଲେ ଯୁବରାଜଙ୍କଠି । ସେ ନ ଆସିଲେ ଉତ୍ସବ ପଣ୍ତ ହୋଇଯିବ ସିନା । ସେନାପତିଙ୍କୁ ନ ପଠେଇ, ମହାରାଜ, ବିଦ୍ରୋହ ଦମନ ପାଇଁ ଯୁବରାଜଙ୍କୁ ଯେଉଁଦିନ ଖେମୁଣ୍ତିମାଳକୁ ପଠେଇଲେ, ମୁଁ ସେଦିନ ମନା କଲି । କହିଲି, ତାମ୍ରଲିପ୍ତିରୁ ସମୁଦ୍ର ଯାତ୍ରା କରି ସେ କ୍ଳାନ୍ତ ହୋଇଯାଇଛି । ସେ କିଛିଦିନ ଘରେ ରହୁ । ମୋ କଥା ନହେଲା । ବାପ ପରି ପୁଅ ବି ଦୁର୍ଦ୍ଦାନ୍ତ । କାହାରି ହାତ ଗୋଡ଼ ଥିର ରହେ ନାହିଁ । ନୀଳାଚଳନାଥ ଗୋଟିକରୁ ତ ଦୁଇଟି ଦେଇ ନାହନ୍ତି, ଏ ପାପିନୀକୁ । ସେ ଯଦି ସବୁବେଳେ ଆଖି ଉଢ଼ାଳରେ ବିପଦ ଆପଦ ଭିତରେ କାଳ କାଟେ, ଏ ପୋଡ଼ା ପ୍ରାଣ କେତେ ସମ୍ଭାଳିବ ? (ରୋଦନ)

ରେବା

ମଣିମା, ଅଧୀର ହୁଅନ୍ତୁ ନାହିଁ । ଯୁବରାଜ ନିଶ୍ଚୟ କୁଶଳରେ ଫେରିଆସିବେ । ବହୁଦିନୁ ଦୂତ ଗଲାଣି । ଯୁବରାଜ ତ ଆମ ଘରର ପିଲା ନୁହନ୍ତି, ସେ ତ ସିଂହର ଛୁଆ; ସାରା ବଣ ସେ ଖେଦିବେ । ଏଥିରେ ଆଶ୍ଚର୍ଯ୍ୟ କଅଣ ମଣିମା । ତମ ବୟସରେ ତମେ ମଣିମାଙ୍କ ସଙ୍ଗେ ଘୋଡ଼ାରେ ଚଢ଼ି ଅନୁଗୁଳ ଜଙ୍ଗଲରେ ବାଘ ଶିକାର କରିବା କଣ ଭୁଲିଗଲ ? ଏବେ ବୟସ ଗଡ଼ି ମା ହେଉଛ ବୋଲି କଣ ନିଜ ରକ୍ତ ଭୁଲିଯିବ ?

ମହିଷୀ

ରେବା । ସବୁ ବୁଝୁଛି ଲୋ; ତଥାପି ମାଆର ମନ ସମ୍ଭାଳେ କେତେକେ-? କ୍ଷତ୍ରୀୟ କଣ ମନୁଷ୍ୟ ନୁହେଁ, ପଥର ?

 

 

(ଧୀରେ ଧୀରେ ସଙ୍ଗୀତ ତାନ । ପରେ ନର୍ତ୍ତକୀମାନଙ୍କର ପ୍ରବେଶ ଓ ଗୀତ ଗାଇ ଗାଇ ନୃତ୍ୟ )

–ଗୀତ–

ଜୟ ଉତ୍କଳ ପାଟରାଣୀ

ତମେ ମରତର ଇନ୍ଦ୍ରାଣୀ

ଶୋହାଗିନୀ, ଶୋଭାରାଣୀ । (ଘୋଷା)

ଦେଶେ ଦେଶେ ତମ ଲାଗି ଲାଗେ ଯୋଗାଡ଼

ସିଂହଳ ଯୋଗାଏ ଶୁଭ୍ର ମୁକୁତା ହାର

ତେଲିଙ୍ଗାନା ମଣ୍ତେ ଗଣ୍ତ ହୀରା ରସାଣି । ୧ ।

କେରଳ, ଚନ୍ଦନ ଦେଇ କରେ ବନ୍ଦନ

ଅଳାଇଚେ ବାଲିଦ୍ୱୀପ ପୂଜେ ଚରଣ

କାଞ୍ଚିରୁ କାଞ୍ଚୁଲି ଆସେ ମାନସ ଜାଣି । ୨ ।

ଅନୁଚିନ୍ତା ଛାଡ଼ ମନୁଁ ମହା ମହିଷୀ

ନୀଳାଚଳେ ଅଛି ପ୍ରଭୁ ଚିର ଆଶିଷି

ସର୍ବଶୁଭ ହେବ ତବ ହେ ସୁଲକ୍ଷଣୀ । ୩ ।

(ପଟ୍ଟ ପତନ)

 

ଚତୁର୍ଥ ଦୃଶ୍ୟ

 

(ବାରବାଟୀର ସଭାଗୃହ । ମହାରାଜ ଅନଙ୍ଗଭୀମ ପାତ୍ରମନ୍ତ୍ରୀ ପରିବେଷ୍ଚିତ ହୋଇ ସମୁଚିତ ବେଶରେ ସିଂହାସନୋପବିଷ୍ଟ । ପରିଚାରକଗଣ ଚାମର ଓ ବ୍ୟଜନ ଚାଳନରେ ରତ । ଧୂପଗନ୍ଧରେ ସଭାଗୃହ ପୂରିତ । ସଭାର ଏକ ପାର୍ଶ୍ୱରେ ସ୍ୱର୍ଣ୍ଣଦଣ୍ତଧାରୀ ଖୁଣ୍ଟିଆ ଓ ଅନ୍ୟ ପାର୍ଶ୍ୱରେ ଦୌବାରିକ ।

 

ପ୍ରଧାନ ମନ୍ତ୍ରୀ

ଦୌବାରିକ, ପ୍ରଥମେ ଗୌଡ଼ରାଜାଙ୍କୁ ଆଣି ପରେ ନିୟମାନୁଯାୟୀ ଅନ୍ୟ ସାମନ୍ତ ନୃପତିମାନଙ୍କୁ ପଥ ଦେଖାଇ ଆଣ ।

ଦୌବାରିକ

ଯେ ଆଜ୍ଞା ।

ଖୁଣ୍ଟିଆ

ଯା ଉର୍ବର ଦେଶମାଟି, ସୁଜଳା ସୁଫଳା,

 

 

ଗଙ୍ଗା-ବ୍ରହ୍ମପୁତ୍ର-ଜଳେ ନିତ୍ୟ-ଅଭିଷିକ୍ତା,

 

 

ଯା’ ମୁକୁଟ ହିମାଚଳ, ପଦ ମହୋଦଧି,

 

 

ବୀରଶ୍ରୀ ଲକ୍ଷ୍ମଣସେନ ସେ ଦେଶ-ରାଜନ,

 

 

ଗଜପତି ଦର୍ଶନାଶେ ଉଭା ଶ୍ରୀଛାମୁରେ ।

 

 

(ଲକ୍ଷ୍ମଣସେନଙ୍କର ପ୍ରବେଶ ଓ ଗଜପତିଙ୍କୁ ଅଭିବାଦନ)

ଅନଙ୍ଗ

(ଉଠି) ଆସନ୍ତୁ, ଗଉଡ଼ ନୃପ, ସ୍ୱାଗତ ଆପଣ ।

 

 

ପବିତ୍ର ଉତ୍କଳ-ଧାମ,–ଦୁଆର ଏହାର

 

 

ଚିରମୁକ୍ତ ଅତିଥିଙ୍କ ସତକାର ଲାଗି ।

 

 

ଦୀନ ଗୃହେ ମମ,

 

 

ଆପଣଙ୍କ ଯୋଗ୍ୟାତିଥ୍ୟ ପାରିବି ଯୋଗାଇ

 

 

ଏ ଦୁରାଶା ନାହିଁ ମୋର, ଯାହା କିଛି ଅଛି

 

 

ସବୁ କିନ୍ତୁ ଆପଣଙ୍କ । ରହିବେ ଏ ଦୁର୍ଗେ,

 

 

ଅଥବା ଶ୍ରୀ ନୀଳାଚଳେ–ଯହିଁ ଇଚ୍ଛା ତବ,

 

 

କରିବି ତା ଆୟୋଜନ ।

 

 

ପୁଣ୍ୟ ଅର୍ଯ୍ୟାବର୍ତ୍ତେ

 

 

ଶୁଣିଛି ଯବନ ଅତି ହେଲାଣି ଦୁର୍ଦ୍ଧର୍ଷ;

 

 

ବାସନା ତାହାର,

 

 

ଏ ଭୂମେ ବୈଦିକଧର୍ମ କରିଣ ନିପାତ

 

 

ପୋତିବ ତା ଧର୍ମ-ଧ୍ୱଜା । ଜଗନ୍ନାଥଙ୍କର

 

 

ସୁଦୀନ ସେବକ ରୂପେ କର୍ତ୍ତବ୍ୟ ଆମ୍ଭର

 

 

ଶାସ୍ତି ଦେବା ବିଧର୍ମୀରେ । ତେଣୁ ଗୌଡ଼ରାଜ,

 

 

ତୁମ୍ଭ ଶତ୍ରୁ, ଆମ୍ଭ ଶତ୍ରୁ । ନିଶ୍ଚିନ୍ତରେ ରହି,

 

 

ଶ୍ରୀକ୍ଷେତ୍ରେ କରନ୍ତୁ ପୂଜା ନୀଳାଦ୍ରି ନାଥର;

 

 

ଗୌଡ଼ ଜୟ ପ୍ରତିହିଂସା ଦେବି ମୁଁ ଯବନେ ।

ଲକ୍ଷ୍ମଣସେନ

ମହାରାଜ ଉତ୍କଳେଶ,

 

 

କେମନ୍ତେ ମୁଁ ଭାବ ମୋର ଭାଷେ ପ୍ରକାଶିବି,

 

 

ନାହିଁ ଜାଣିପାରେ ଆଜି । ବିତାଡ଼ିତ ଦେଶୁଁ

 

 

ଯବନର ଅତ୍ୟାଚାରେ; ତଥାପି ମୋ ପ୍ରାଣେ

 

 

ଅସୀମ ଆନନ୍ଦ ଆସେ, ଦେଖି ଏ ପବିତ୍ର

 

 

ଉତ୍କଳ ସାମ୍ରାଜ୍ୟ ମୁକ୍ତ ଯବନ ପରଶୁଁ ।

 

 

ଭାଗୀରଥୀ କୂଳୁଁ ମୁହିଁ ଦେଖି ଯେ ଆସିଲି

 

 

ମହାନଦୀ କୂଳଯାଏଁ ମହା ଦୁର୍ଗମାଳ,

 

 

ସୁଶିକ୍ଷିତ ସୈନ୍ୟସମ ଏକ ପରେ ଏକ

 

 

ଶତ୍ରୁକୁ ଅପେକ୍ଷାକରି ସତର୍କ ସର୍ବଦା,

 

 

ନୁହେ ତାହା ଅଗୋଚର ଯବନ ଶ୍ରବଣେ,

 

 

ତେଣୁ ସେ ଏ ଦୁର୍ଗାରଣ୍ୟେ ଭୀତ ପଶିବାକୁ ।

 

 

ମହାପ୍ରଭୁ ଜଗନ୍ନାଥ, ନାଥ ଏ ଦେଶର,

 

 

ତେଣୁ ଏ ଉତ୍କଳ,

 

 

ଧନେ, ମାନେ,କୀର୍ତ୍ତି-ଯଶେ ଅତୁଳ ଭାରତେ ।

 

 

ମନ୍ଦିର-ମୁକୁଟ ଦେଶ, ଦୁର୍ଗ-କଣ୍ଟକିତ,

 

 

ଦୁର୍ଦ୍ଧର୍ଷ କୃଷକ ସେନା, ତୁଷ୍ଟ ପ୍ରଜାକୁଳ

 

 

ଦେବେ ପ୍ରାଣ ଇଙ୍ଗିତରେ ଗଜପତି ପାଇଁ ।

 

 

ଜଗନ୍ନାଥ ଆଶୀଷରେ ଏ ମହା ବିଭବ

 

 

ରହୁ ଚିର ଏ ଉତ୍କଳେ । ତା’ ହେଲେ ଯବନ,

 

 

ନ ମାଡ଼ିବ କେଭେହେଲେ ଏ ପାବନ ମାଟି ।

 

 

ବୃଦ୍ଧ ମୁହିଁ, ଶୁକ୍ଳ କେଶ, ତୁମ୍ଭେ ଗଜପତି

 

 

ପୁତ୍ରସମ ମୋ ଚକ୍ଷୁରେ । ଏହି ଆଶୀର୍ବାଦ,

 

 

ଏ ପ୍ରାର୍ଥନା, ଏ କାମନା ପ୍ରେରି ମୋ ଅନ୍ତରୁ

 

 

ଘେନୁଛି ତୁମ୍ଭର ତୁଙ୍ଗ ଆତିଥ୍ୟ ଏ ଭୂମେ ।

ଆନଙ୍ଗ

ପୁତ୍ରସମ ସେ ଆଶୀଷ କଲି ମୁଁ ଗ୍ରହଣ ।

 

 

ନିବସନ୍ତୁ ପାଶେ ମମ

 

 

(ବସାଇବା)

 

 

ସାମନ୍ତ ରାଜନେ,

 

 

ଆସନ୍ତୁ ଏଥର, ମନ୍ତ୍ରୀ ।

ଖୁଣ୍ଟିଆ

ଉତ୍ତର ଉତ୍କଳେ ରାଜ୍ୟ-ପ୍ରଧାନ-ସାମନ୍ତ,

 

 

ସାନ୍ତାଳ ସୈନିକେ ଯା’ର ସୁସଜ୍ଜିତ ସଦା

 

 

ଦୁର୍ଭେଦ୍ୟ ପ୍ରାଚୀର ରୂପେ ଉତ୍କଳ ରାଜ୍ୟର;

 

 

ମେଘାସନ ମେଘାକୁଳ ଅରଣ୍ୟେ ଯାହାର

 

 

ବ୍ୟାଘ୍ର-ହସ୍ତୀ-ବିଦାରଣ କ୍ରୀଡ଼ା-କଉତୁକ,

 

 

ଯା’ପ୍ରତାପେ ତାମ୍ରଲିପ୍ତି ମହା ପୋତାଶ୍ରୟ

 

 

ଜଳଦସ୍ୟୁ ଅତ୍ୟଚାରୁ ହୋଇ ଚିରମୁକ୍ତ

 

 

ହୋଇଛି ସକଳ-ଦେଶ-ସାଧବଙ୍କ ପୀଠ;

 

 

ସେହି ସେ ମୟୂରଧ୍ୱଜ ହରିପୁର ରାଜା

 

 

ଦୂର ଭଞ୍ଜଭୂମି ଛାଡ଼ି ଆସିଛନ୍ତି ଆଜି

 

 

ଗଜ ଦାନେ ଗଜପତି ଦରଶନ ଆଶେ ।

 

 

(ହରିପୁର ରାଜାଙ୍କ ପ୍ରବେଶ)

ଅନଙ୍ଗ

ଆସନ୍ତୁ ସାମନ୍ତ-ମଣି ହରିପୁର ନୃପ ।

 

 

ଆପଣ ପ୍ରେରିତ,

 

 

ଦ୍ୱିରଦ ରଦ ପଲଙ୍କ, ମୟୂର ବ୍ୟଜନ

 

 

ପାଇଅଛି ସମ୍ବର୍ଦ୍ଧନା ମହାରାଣୀଙ୍କର ।

 

 

ଆଶା କରେ ସବୁ ଶୁଭ ରାଜ୍ୟେ ଆପଣଙ୍କ ।

 

 

ଶୁଣିବେଣି କିନ୍ତୁ ନିଶ୍ଚେ ଭାଗୀରଥି କୂଳେ

 

 

ଯବନର ସମାବେଶ । ସୀମାନ୍ତ-ସାମନ୍ତ

 

 

ଆପଣ ରହିବେ ଏବେ ଚିର ଜାଗରୂକ ।

 

 

ଅଥବା କୁଟିଳ–ଗତି ଯବନ ଏ ଭୂମେ

 

 

କୌଶଳେ ପଶିବ ଘରେ ପଶେ ଯେହ୍ନେ ମୂଷା ।

ହରିପୁର

ଜାଣିଥାନ୍ତୁ ମହାରାଜ, ଯବନ-ଉରଗ

 

 

ଭକ୍ଷିବାକୁ ଉତ୍‍କଣ୍ଠ ମୋ ସହସ୍ର ମୟୂର ।

 

 

ଭଞ୍ଜରାଜ ଥାଉଁ ଥାଉଁ ଉତ୍କଳ ସୀମାନ୍ତେ

 

 

କିଏ ସେ କରିବ ଛାମୁ-ଗରବ-ଭଞ୍ଜନ ?

ସକଳେ

ସାଧୁ, ସାଧୁ

 

 

(ତାଳି ଦାନ)

ଖୁଣ୍ଟିଆ

ଋଷିକୁଲ୍ୟା-ଗୋଦାବରୀ-ନୀର ବିଧଉତ,

 

 

ପାଶେ ସିନ୍ଧୁ, ପାଶେ ତୁଙ୍ଗ ମହେନ୍ଦ୍ର ଯାହାର

 

 

ପରିଖା, ପ୍ରାଚୀରରୂପେ ସୃଜିଅଛି ବିଧି,

 

 

ଭୟ-ହୀନ କନ୍ଧସେନା ରାଜ୍ୟରକ୍ଷୀ ଯାର,

 

 

ଉତ୍କଳ ଦକ୍ଷିଣ-ସୀମା-ଦ୍ୱାର-ରକ୍ଷୀ ସମ

 

 

ଗଜପତି-ଜ୍ଞାତି ରାଜା କଳିଙ୍ଗ ବିଶର,

 

 

ଦକ୍ଷିଣୁ ଗଞ୍ଜାମଦୁର୍ଗୁଁ ଆସିଛନ୍ତି ଆଜି

 

 

ସମ୍ରାଟଙ୍କ ପଦତଳେ ଦେବାକୁ ସମ୍ମାନ ।

 

 

(ଗଞ୍ଜାମରାଜାଙ୍କ ପ୍ରବେଶ)

ଅନଙ୍ଗ

କୁଶଳ ତ ସବୁ ରାଜ୍ୟେ ? (ଉପବେଶନ)

ଗଞ୍ଜାମ

ସମସ୍ତ କୁଶଳ ।

ଖୁଣ୍ଟିଆ

ଯା ଭୂମି-କନ୍ଦରା ସବୁ ହୁଏ ଆଲୋକିତ

 

 

ହୀରକ ଜ୍ୟୋତିରେ; ମହାନଦୀ ଦୁର୍ନିବାର

 

 

ତରୁଣୀ ସମାନ, ଯହିଁ ଉପଳ ସଂକୁଳ

 

 

ବିଷମ ଶଯ୍ୟାରେ ଆସେ କ୍ଷିପ୍ରସ୍ରୋତେ ଧାଇଁ,

 

 

ଅନେକ ସାମନ୍ତ-ସମର୍ଥିତ ଯା’ ଆସନ

 

 

ହୀରାଖଣ୍ତ ଅଧିପତି, କୋଶଳ ବଂଶଜ,

 

 

ଆସିଛନ୍ତି ଗଜପତି ଛାମୁ ଦରଶନେ ।

 

 

(ହୀରାଖଣ୍ତକର ପ୍ରବେଶ)

ଅନଙ୍ଗ

ଆସନ୍ତୁ ସମ୍ବଲପତି, ବଳ ଓ ସମ୍ବଳ

 

 

ଉତ୍କଳର ପଶ୍ଚିମରେ । କୁଶଳ ତ ସବୁ ?

ହୀରାଖଣ୍ତ

ସମସ୍ତ କୁଶଳ ।

 

 

(ଉପବେଶନ)

ଖୁଣ୍ଟିଆ

ଅନୁଗୋଳ, ଅନୁବ୍ରତେ ଅଶ୍ୱ ଯାହାଙ୍କର

 

 

ଧାମଇ ଦନ୍ତାଳି-ମୁଖେ ଶ୍ୱାପଦ ପଶ୍ଚାତେ;

 

 

ଯୁବରାଜ ବନ୍ଧୁବର, ମଧ୍ୟମ ଉତ୍କଳେ

 

 

ଯା’ଉଜ୍ଜଳ ତରବାରୀ ରଖିଛି ଶଂକିତ

 

 

ପାର୍ବତ୍ୟ ତସ୍କରଜନେ, କରି ନିରାପଦ

 

 

ପରଜାଙ୍କ ଧନ ଜନ; ମହାନଦୀ ଯାର

 

 

ଉଚିତ ପରିଖା ପାଇଁ ହୋଇ ସଙ୍କୁଚିତ

 

 

ସୃଜିଅଛି ନକ୍ରଚକ୍ରମୟ ଭୀମ ଗଣ୍ତ,

 

 

ଭୀଷଣ ସୁନ୍ଦର ସାତକୋଶିଆ ପ୍ରସିଦ୍ଧ;

 

 

ସେହି ଅନୁଗୋଳ ରାଜ ଆସିଛନ୍ତି ଆଜି

 

 

ଶ୍ରୀଛାମୁଙ୍କ ଦରଶନ ଆଶେ ଏ ସଭାରେ ।

 

 

(ଅନୁଗୋଳଙ୍କର ପ୍ରବେଶ)

ଅନଙ୍ଗ

ଆସନ୍ତୁ ଅନୁଗୋଳ ରାଜ ।

 

 

ତବ ପିତା ସଙ୍ଗେ

 

 

ତରୁଣ ବୟସେ କରିବାର ନକ୍ରହତ୍ୟା

 

 

ସାତକୋଶୀ ଗଣ୍ତେ, ପୁଣି କୂଳର ପର୍ବତେ

 

 

କ୍ଷେପି କ୍ଷେପି ମାରିବାର ବ୍ୟାଘ୍ର, ଦନ୍ତାବଳ

 

 

ସବୁ ମୋର ମନେ ପଡ଼େ । କୁଶଳ ତ ସବୁ ?

ଅନୁଗୋଳ

ସମସ୍ତ କୁଶଳ ।

 

 

(ଉପବେଶନ)

 

 

(ସହସା ଏକ ଭୃତ୍ୟର ପ୍ରବେଶ)

ଭୃତ୍ୟ

ମହାରାଜ,

 

 

ତୁରନ୍ତ ଉଦନ୍ତ ମୋର ଥିବାରୁ ଜଣାଣ

 

 

ସଭାକାର୍ଯ୍ୟେ ଛାମୁଙ୍କର ଦେଉଅଛି ବାଧା ।

ଅନଙ୍ଗ

କହିବାର ଅଛି ଯାହା କହ ନିର୍ଭୟରେ ।

ଭୃତ୍ୟ

ମାଳବଦେଶରୁ ଆମ୍ଭ ରାଜପୁରୋହିତ

 

 

ଦକ୍ଷିଣରୁ ଯୁବରାଜ ଫେରିଛନ୍ତି ଏବେ ।

ଅନଙ୍ଗ

କି ଭାଗ୍ୟ । ଯାଅ ଯୁବରାଜଙ୍କୁ କହ ପ୍ରଥମେ ମା’ଙ୍କ ସଙ୍ଗେ ଦେଖା କରିବେ । ଆଉ ପୁରୋହିତଙ୍କୁ ଶୀଘ୍ର ଏଠାକୁ ଘେନିଆସ । ମାଳବଦେଶର ସଂବାଦ ଜାଣିବାକୁ ମୁଁ ଅତ୍ୟନ୍ତ ଉତ୍କଣ୍ଠିତ ।

ଭୃତ୍ୟ

ଯେ ଆଜ୍ଞା ମହାରାଜ ।

 

 

(ପ୍ରସ୍ଥାନ)

ଅନଙ୍ଗ

(ଲକ୍ଷ୍ମଣସେନଙ୍କୁ ଅନାଇ) ଉତ୍କଳ ପରି ମାଲବ ମଧ୍ୟ ଏଯାବତ୍‍ ଯବନ ମୁକ୍ତ । ମୋର ପିଲାଦିନେ ମାଳବ ରାଜା ନୀଳାଚଳ ଦର୍ଶନ ଲାଗି ଆସିଥିଲେ । ନୀଳାଚଳରେ ଜଗନ୍ନାଥ-ସ୍ଥାପନା ତ ମାଳବ ରାଜବଂଶର କୀର୍ତ୍ତି । ମାଳବ ରାଜଧାନୀ ଉଜ୍ଜୟିନୀ କାଳିଦାସଙ୍କ ପ୍ରିୟ ନଗରୀ । ରାଜବାଳାମାନଙ୍କର ରୂପଲାବଣ୍ୟ ଓ ରାଜପୁରୁଷମାନଙ୍କର ଗୌରବର୍ଣ୍ଣ ଓ ଶାଳପ୍ରାଂଶୁ ଆକୃତି ଦେଖି କାଳିଦାସଙ୍କ ନାୟକ ନାୟିକ ସବୁ ମନେ ପଡ଼ିଲେ । ସେହି ସ୍ଥାନର ଲୋକଙ୍କୁ ଦେଖି ମହାକବି କାବ୍ୟ ରଚନା କରିଥିବା ଖୁବ୍ ସମ୍ଭବ । ଏଇଯେ ପଣ୍ତିତେ ଆସିଲେ ।

 

 

(ପୁରୋହିତଙ୍କର ପ୍ରବେଶ) କି ସଂବାଦ ପଣ୍ତିତ ଆପଣେ ? ସବୁ ଶୁଭ ତ-?

ପୁରୋହିତ

(ଆଶୀର୍ବାଦାନନ୍ତର) ସମସ୍ତ କୁଶଳ । ପରେ ପୁଙ୍ଖାନୁପୁଙ୍ଖ ରୂପେ ମୋର ଯାତ୍ରା ବର୍ଣ୍ଣନା କରିବି । ବର୍ତ୍ତମାନ ଏ ସଭାସ୍ଥଳରେ ଏତିକି ପ୍ରକାଶ କଲେ ଯଥେଷ୍ଟ ହେବ ଯେ ମାଳବ ରାଜ ଯୁବରାଜଙ୍କୁ କନ୍ୟା ପ୍ରଦାନ ପାଇଁ ମୋ ସଙ୍ଗରେ ତାଙ୍କର ସ୍ୱକୁଳ ପୁରୋହିତ ହସ୍ତରେ ଶ୍ରୀଫଳ ପ୍ରେରଣ କରିଅଛନ୍ତି ।

ସମସ୍ତେ

ସାଧୁ, ସାଧୁ ।

ସଦସ୍ୟ

(ଉଠିପଡ଼ି) ବାଃ ବାଃ, ବିଶିଆ ଭାଇନା, ଗୋଟାଏ କାମ କଲୁ ଜାଣି ଏତେଦିନେ । ତୁ ଇଭିତରେ ଭିତରେ କାହିଁ ମାଳବ ଯାଇଁ ଯୁବରାଜଙ୍କ ପାଇଁ ଜେମା ଠିକ୍ କରି ଆସିଛୁ ? କୁଣ୍ତଳ, କଙ୍କଣ ପାଟକଥା ତ ଢେର ପାଇଥିବୁ । କାଢ଼୍‍ କାଢ଼୍‍ ଭାଇନା ସମସ୍ତ ଦେଖିବା । କାଲିକାର ବିଶିଆ ଭାଇନା ଆମ ସାଥିରେ କେରାଣ୍ତି ଧରୁଥିଲୁ...

ଆନଙ୍ଗ

ଥାଉ ଥାଉ ସଦସ୍ୟେ, ସେ କାମ ପାଇଁ ଏ ସ୍ଥାନ ନୁହେଁ, ତମର ଏତକ ଯା ଜ୍ଞାନ ହେଲାନି, ବସ ନିଜ ଜାଗାରେ ।

 

 

(ସଦସ୍ୟ ଓ ପୁରୋହିତଙ୍କର ଉପବେଶନ)

 

 

ଶୁଣ ହେ ସାମନ୍ତ ନୃପ, ଜାଣିଛ ତ ସର୍ବେ

 

 

ଉତ୍ତର ସୀମାନ୍ତେ ନବ ଯବନ ବିପଦ ?

 

 

ସଜ୍ଜିତ ରହିବ ଆଜିଠାରୁ ଅହୋରାତ୍ର

 

 

ସାମ୍ରାଜ୍ୟର ରକ୍ଷାଲାଗି । ପାଳୁଥିବ ଏଣେ

 

 

ନିଜ ନିଜ ରାଜ୍ୟଖଣ୍ତ, ପିତା ଯେହ୍ନେ ପାଳେ

 

 

ନିଜ ସନ୍ତତିରେ, ହୃଦୟର ରସ ଦେଇ ।

 

 

ବିରାଟ ଉତ୍କଳ ରାଜ୍ୟ ନଳି ମୁଁ ଯତନେ

 

 

ଭିନ୍ନ ଭିନ୍ନ କରିଅଛି ଦେଶର ସମ୍ପଦ;

 

 

ଧର୍ମ ଲାଗି, ପ୍ରଜା ଲାଗି ଉତ୍ସୃଷ୍ଟ ଯେ ବିତ୍ତ

 

 

କେବେ ହେଲେ ନିଜ ସୁଖେ ନାହିଁ ଲଗାଇବ ।

 

 

ପ୍ରଜାସୁଖ-କଣ୍ଟା ଯଦି ହୁଏ କେ ସାମନ୍ତ

 

 

ଜାଣିଲାକ୍ଷଣି ମୁଁ ତାଙ୍କୁ କରିବି ବିଚ୍ୟୁତ

 

 

ପଇତୃକ ସିଂହାସନୁ ।

 

 

କାଲି ପ୍ରଭାତରୁ

 

 

କରିବା ଏଠାରୁ ଯାତ୍ରା ପବିତ୍ର ଶ୍ରୀକ୍ଷେତ୍ରେ

 

 

ବିଶ୍ୱକର୍ମା ବାଜପେୟୀ ରଚିଛନ୍ତି ଯହିଁ

 

 

ଉତ୍ତୁଙ୍ଗ ମନ୍ଦିର ପ୍ରଭୁପାଇଁ ମୋ ଆଦେଶେ ।

 

 

ହୋଇବ ପ୍ରତିଷ୍ଠା ତାର । ଧର୍ମଦୁର୍ଗ ସେହୁ,

 

 

କର୍ମ-ଦୁର୍ଗ ବାରବାଟୀ । ଦୁଇ ଏହି ଦୁର୍ଗେ

 

 

ଯେତେଦିନ ଓଡିଆଏ ଥିବ ରଖି ମନେ,

 

 

ସାମଞ୍ଜସ୍ୟ ରଖି ଉଭୟରେ,

 

 

ସେତେଦିନ ଏ ସାମ୍ରାଜ୍ୟ ରହିବ ଅକ୍ଷୁର୍ଣ୍ଣ;

 

 

ଯବନ ବା ଅନ୍ୟ ଶତ୍ରୁ ନପାରିବେ ପଶି଼

 

 

ପବିତ୍ର ଉତ୍କଳ-ଭୂମେ ।

 

 

ସଭା ହେଉ ଭଙ୍ଗ

 

 

ଯାଅ ମନ୍ତ୍ରୀବର, କର ସମସ୍ତଙ୍କ ଚର୍ଚ୍ଚା ।

(ପଟ୍ଟପତନ)

 

Unknown

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

(ଶ୍ରୀକ୍ଷେତ୍ର । ନବମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସିଂହଦ୍ୱାର ସମ୍ମୁଖରେ ଯଜ୍ଞାୟୋଜନ । ମହାରାଜ ଅନଙ୍ଗଭୀମଦେବ, ପାତ୍ର ମନ୍ତ୍ରୀ ସାମନ୍ତଗଣ ଏବଂ ପୁରୋଧାଗଣ ସମାସୀନ । ଟିକିଏ ଦୂରରେ ଜନତାର କିୟଦଂଶ ଦେଖାଯାଉଛି; ସେଥି ମଧ୍ୟରେ ଜୟପୁରାଞ୍ଚଳର ଶବର ରାଜା ଉପସ୍ଥିତ-।)

 

ପଟ୍ଟପୁରୋହିତ

ପୂର୍ଣ୍ଣାହୁତି ଦଣ୍ତ ଏତେ ହେଲା ଉପସ୍ଥିତ ।

 

 

ଶ୍ରୀକ୍ଷେତ୍ରେ ଏ ଶ୍ରୀମନ୍ଦିର ସଂସ୍ଥାପିବା ପାଇଁ,

 

 

ଉତ୍କଳର ଗଜପତି-ନୃପତି-ସାଧନା

 

 

ପଞ୍ଚଦଶ ବର୍ଷ ତପେ ହେଲା ଆଜି ପୂର୍ଣ୍ଣ ।

 

 

ଉତ୍କଳର ସର୍ବପ୍ରାନ୍ତୁ ରାଜା, ମହାରାଜା,

 

 

ଦଳାଇ, ଖଣ୍ତାଧିପତି, ବିଶୋଇ ସାମନ୍ତ

 

 

ଦଳବଳ ଘେନି ସର୍ବେ ଉପସ୍ଥିତ ଆଜି ।

 

 

ଉପସ୍ଥିତ ପୁଣି ଦେଖ ରାଜଭକ୍ତ ପ୍ରଜା;

 

 

ବାଳ, ବୁଦ୍ଧ, ନାରୀ, ନର ସର୍ବ ପ୍ରଦେଶରୁ ।

 

 

ପୂରିଅଛି ବଡ଼ଦାଣ୍ତ ତାଙ୍କ ଗହଳରେ ।

 

 

ଲୋକନାଥ ଘାଟ ପାଶୁଁ, ଚକ୍ରତୀର୍ଥ ଯାଏଁ

 

 

ସମଗ୍ର ସିକତା ଭୂମି, ନରାରଣ୍ୟ ଏବେ ।

 

 

ଉଠୁଅଛି କ୍ଷଣେ କ୍ଷଣେ ଅନ୍ତରୀକ୍ଷ ଭେଦି

 

 

“ଜୟ ଶ୍ରୀ ଅନଙ୍ଗଭୀମ ମହାରାଜ ଜୟ

 

 

ଦୀର୍ଘଜୀବୀ କରିଥାନ୍ତୁ ତାଙ୍କୁ ଜଗନ୍ନାଥ,”

 

 

ସେ ଜନସମୁଦ୍ର ଏବେ ରହି ନିସ୍ତରଙ୍ଗ

 

 

ଅପେକ୍ଷିଛି ଗଜପତି-ଚନ୍ଦ୍ର ଦରଶନେ

 

 

ଉଠନ୍ତୁ ଶ୍ରୀ ମହାରାଜ ଦେଇ ଦରଶନ

 

 

କରନ୍ତୁ ଅୟୁତ ପ୍ରିୟ ପ୍ରଜା-ପ୍ରାଣ ଶାନ୍ତ ।

 

 

ପୂର୍ଣ୍ଣାହୁତି ପରେ ସର୍ବେ ପଶିବା ମନ୍ଦିରେ,

 

 

ଉଦ୍‍ଗ୍ରୀବ ଜନତା ପଡ଼ିରହି ବାହାରରେ

 

 

କରିବେ କେବଳ ଅକାରଣେ ଗଣ୍ତଗୋଳ ।

 

 

ଏତେ ଦେଶୁଁ, ଏତେ ବାଟ ଆସିଛନ୍ତି ଧାଇଁ,

 

 

ନଈ, ନାଳ, ବଣ, ଗିରି, କାନନ ପ୍ରାନ୍ତର

 

 

ଡେଇଁ, ଶତ ଶତ କ୍ରୋଶ ପଥ ଅତିକ୍ରମି,

 

 

ଛାମୁଙ୍କ ଶ୍ରୀମୁଖ ବାକ୍ୟ ନ କରି ଶ୍ରବଣ

 

 

ଫେରିଗଲେ, ହେବ ତାଙ୍କ ଘୋର ମନସ୍ତାପ ।

ଅନଙ୍ଗ

ଆଜି ଏ ପୁଣ୍ୟାହେ, ଏହି ପୁଣ୍ୟ ମୁହୂର୍ତ୍ତରେ

 

 

ଛାତି ମୋର ହୋଇ ଆସେ ଭାବେ ଅଭିଷିକ୍ତ

 

 

ସ୍ମରି ଏ ଅଧମ ପ୍ରତି ଦେବ-ଅନୁଗ୍ରହ ।

 

 

କହିବି ବା କିଛି ପଛେ–ନ କହିଲେ କିଛି

 

 

ପ୍ରାଣପ୍ରିୟ ପ୍ରଜାଗଣ ହୋଇବେ ବ୍ୟଥିତ ।

 

 

ପଡ଼ୋଶୀ ଆପଣେ, ତୁମେ କିନ୍ତୁ ଉଠ ଆଗେ

 

 

କହ ପ୍ରଜାବର୍ଗେ,

 

 

ତାଙ୍କର ସଂପଦ ବ୍ୟୟି ପ୍ରଭୁ–ଦାସ ମୁହିଁ

 

 

ତାଙ୍କ ଲାଗି ନିର୍ମିଅଛି ଏ ମହା ଦେଉଳ ।

 

 

ଏ କୀର୍ତ୍ତିରେ ଯଦି କିଛି ଥାଏ ଅହଂକାର

 

 

ସବୁ ମୋର ପ୍ରଜାଙ୍କର, ମୋର କିଛି ନାହିଁ ।

 

 

ମୋର ଅହଂକାର ଖାଲି ପ୍ରଭୁ ପରସାଦ ।

ମନ୍ତ୍ରୀ

ଯଥା ଆଜ୍ଞା ମହାରାଜ ।

 

 

ଆଜ୍ଞା ପାଳି କିନ୍ତୁ,

 

 

ଉଠିବି, କହିବି ସିନା,

 

 

ବିପୁଳ ଜନତା

 

 

ମୋ ବଚନେ କି ସେ ଶାନ୍ତ ହେବେ କେବେହେଲେ ?

 

 

ବଇଶାଖ-ତପ୍ତଧରା ଜଳଦ ଗର୍ଜନେ

 

 

ହେବ ସିନା ପୁଲକିତ ?

 

 

ହଉ ତେବେ ଉଠେଁ ।

 

 

(ମନ୍ତ୍ରୀ ଉଠିଲେ)

ଜନତା

ଶୁଣ, ଶୁଣ, ମନ୍ତ୍ରୀ କହୁଛନ୍ତି ।

ମନ୍ତ୍ରୀ

ଶୁଣ ସର୍ବେ,

 

 

ଗୋଳମାଳ ନକର, ହେ ଭାଇ ।

ଜନତା

ଶାନ୍ତି ହୁଅ ସର୍ବ ଜନେ, ମନ୍ତ୍ରୀ କହୁଛନ୍ତି ।

ମନ୍ତ୍ରୀ

ଶୁଣ ସର୍ବ ପ୍ରଜାବର୍ଗ, ଶୁଣ ଦଳାଇଏ,

 

 

ଶୁଣ ଖଣ୍ତ-ଅଧିପତି, ସକଳ ପ୍ରାନ୍ତର;

 

 

ପୂର୍ଣ୍ଣାହୁତି ହେବ ଆଉ ଅଳ୍ପକ୍ଷଣ ପରେ

 

 

ଫେରିବେ ଆପଣେ ସବୁ ଯେ ଯାହା ଆସ୍ଥାନେ,

 

 

ନ ହେଉଣୁ ପ୍ରାତଃ କାଲି । ଫେରିବା ପୂର୍ବରୁ

 

 

ଶୁଣିଯାଅ କିଛି କଥା ଦେଉଳ ପ୍ରସଙ୍ଗେ ।

 

 

ଏ ଯେଉଁ ଦେଉଳ,

 

 

ଅଭ୍ର ଭେଦି ଦେଖୁଅଛ ଠିଆ ସମ୍ମୁଖରେ,

 

 

ବହୁକ୍ରୋଶ ଧରି ଯାଇ ଚକ୍ର ସକେତନ

 

 

କୋଟି କୋଟି ଭକ୍ତ-ପ୍ରାଣେ ହେବ ଧ୍ରୁବତାରା,

 

 

ହୋଇଛି ପନ୍ଦରଲକ୍ଷ ମାଢ଼ ସ୍ୱର୍ଣ୍ଣ ବ୍ୟୟ

 

 

ଲାଗିଛି ପନ୍ଦରବର୍ଷ ହେବାକୁ ସମ୍ପୂର୍ଣ୍ଣ ।

 

 

ପୁଣି ଏହି ଦେବତାଙ୍କୁ ଦେଉଳର ନାଥ

 

 

ଅଥବା ପୂଜାରି-ନାଥ ନକରି କେବଳ,

 

 

କରିବାକୁ ପ୍ରକୃତରେ ପ୍ରଭୁ ‘ଜଗନ୍ନାଥ’

 

 

ଛାମୁଙ୍କର ଆଜ୍ଞାବଳେ ହୋଇଅଛି ଗଢ଼ା

 

 

ବେଢ଼ା ମଧ୍ୟେ ସର୍ବ ଦେବ ଦେବୀଙ୍କ ଆସ୍ଥାନ;

 

 

ଯେହ୍ନେ ସର୍ବ ଉପାସକେ, ସକଳ ଭକତେ

 

 

ଦେବେ ସ୍ୱ ସ୍ୱ ଦେବତାଙ୍କୁ ପୂଜା ହୃଦୟର,

 

 

ଜଗନ୍ନାଥ ପଦ ପ୍ରାନ୍ତେ । ବହୁ, ଆମ୍ଭଲାଗି

 

 

ସିନା ପ୍ରଭୁ; ନୁହନ୍ତିକି ପ୍ରକୃତରେ ଏକ ?

 

 

ଏହି ମହାଭାବ,

 

 

ଛାମୁଙ୍କ ଆଜ୍ଞାରେ ଏଥି ହୋଇଛି ପ୍ରକାଶ

 

 

ଏକମାତ୍ର ଏହିଠାବେ, ଏ ଭାରତ ଧାମେ ।

 

 

ଗଜପତି ନିର୍ଦ୍ଦେଶରେ ହେବ ଏ ଶ୍ରୀକ୍ଷେତ୍ର

 

 

ସର୍ବ-ଧର୍ମ-ସମନ୍ୱୟ-ପୀଠ ମହାପୁଣ୍ୟ,

 

 

ଭେଦା ଭେଦ ଭୁଲି ଏଥି, ସୌର, ଗାଣପତ୍ୟ,

 

 

ଶାକ୍ତ, ଶୈବ, ବଇଷ୍ଣବ, ବେଦାନ୍ତୀ, ଚାର୍ବାକୀ

 

 

ସକଳେ ପୂଜିବେ ଇଷ୍ଟେ ଆପଣା ବିଶ୍ୱାସେ ।

 

 

ତେଣୁ ଏ... (ଜୟପୁରର ଶବର ଦଳପତି ବାଧା ଦେଲେ)

ଶବରାଧିପତି

କିନ୍ତୁ ହେ ଗୋସାଇଁ,

 

 

ପତିତପାବନ ଯେଉଁ ଦେବଙ୍କର ନାମ,

 

 

ମନ୍ଦିରେ ତାଙ୍କର କାହିଁ ପତିତର ସ୍ଥାନ ?

 

 

ନୀଳାଚଳ ଥିଲା ଯେବେ ଘୋର ବନାକୀର୍ଣ୍ଣ

 

 

ହରିଣ-ଶିକାରୀ ବଣ୍ୟ ଶବରଙ୍କ ଛଡ଼ା

 

 

ନଥିଲେ ପରଜା ଏଥି; ଆମରି ଶବରେ

 

 

ବେଳା ଭୂମେ ନିପାତିତ ଦାରୁ ବ୍ରହ୍ମେ ପାଇ,

 

 

କୁଟୀରେ ପୂଜିଲେ ତାଙ୍କୁ, ବନ୍ୟ ଫଳପୁଷ୍ପେ ।

 

 

ତା ପରେ ଆସିଲେ ରାଜା ମାଳବ ଦେଶରୁ

 

 

ଇନ୍ଦ୍ରଦ୍ୟୁମ୍ନ ନାମଧାରୀ; ମନ୍ଦିର ଯେ ତୋଳି

 

 

ଥାପିଲେ ପ୍ରଭୁଙ୍କୁ ଆଣି ନୀଳାଚଳ ଶିଖେ ।

 

 

ସେହି ସେ ମନ୍ଦିର ଆଜି ଉଠିଛି ଆକାଶେ,

 

 

ସେହି ଦେବ ହୋଇଛନ୍ତି ଜଗତର ନାଥ;

 

 

ପ୍ରଥମ ପୂଜକ ଆମେ ଶବରାଳି, କିନ୍ତୁ

 

 

ଚ୍ୟୁତ ହୋଇଅଛୁଁ ପ୍ରଭୁ–ପାଦ ଦରଶନୁଁ ।

 

 

ଏକି ପ୍ରଭୁ ହେଲା ନ୍ୟାୟ ? ଦୂର ଜୟପୁରୁ

 

 

ଦୁଇମାସ ପଥଚାଲି ଆସିଛି ମୁଁ ଏଥି;

 

 

ସଙ୍ଗେ ଛନ୍ତି ଶତ ଶତ ପ୍ରଜା ପୁଣି ମୋର;

 

 

ପୁଣି ଛନ୍ତି ହାଡ଼ି, ପାଣ, ବାଉରି, କଣ୍ତରା

 

 

ଲକ୍ଷ ଲକ୍ଷ ରାଜଭକ୍ତ ପ୍ରଜା ଛାମୁଙ୍କର

 

 

ଉତ୍କଳର ନାନା ଖଣ୍ତୁଁ । ପତିତପାବନେ

 

 

ନ ଦେଖି, ନ ପୂଜି, ଏହି ପତିତ ଜନତା

 

 

ଶ୍ରୀ କ୍ଷେତ୍ରୁଁ ଫେରିବେ ଯଦି, ଯୁଧିଷ୍ଠିରଙ୍କର

 

 

ରାଜସୂୟ ଯଜ୍ଞେ ଯାହା କହିଥିଲା ମୂଷା,

 

 

କହି ତାହା ବ୍ୟଥିତରେ, ଯିବେ ସିନା ଫେରି ?

ପୁରୋହିତ

ଶୁଣିଲେତ ମହାରାଜ ? ଶବର ମୁଖରେ

 

 

କହୁଅଛି ଯାହା, ସେତ ଅତି ବିଜ୍ଞ କଥା ।

 

 

ଜଗତର ନାଥ ଯେହୁ କେମନ୍ତେ ତାହାଙ୍କୁ

 

 

କୋଟି କୋଟି ଜଗଜ୍ଜନ- ନୟନ ପଥରୁ

 

 

ରଖିବା ଘୋଡ଼ାଇ ଲୌହ, ପଥର ଉଢ଼ାଳେ ?

 

 

ହୁଏତ ଅସ୍ଫୃଶ୍ୟଯାକ ଛାମୁଙ୍କ ଆଜ୍ଞାରେ

 

 

ହୋଇଯାନ୍ତୁ ସ୍ପୃଶ୍ୟ ଏବେ; ନତୁବା ନୂତନ-

 

 

ବ୍ୟବସ୍ଥା, ହେଉ ଯା ବଳେ, ଏ ପତିତ ଜନେ

 

 

ଦୂରୁଁ ହେଲେ ଲଭିବେ ବା ପ୍ରଭୁ- ଦରଶନ ।

ଶବରାଧିପତି

ଶୁଣନ୍ତୁ ଗୋସାଇଁ, ଆମେ, ଜାଣି ତ ପତିତ,

 

 

ପୂର୍ବ ଜନ୍ମ ପାପ ଫଳେ ଅମେଧ୍ୟ ସେବୁଛୁଁ,

 

 

ଗୋମାଂସ ଭକ୍ଷୁଛୁ, ସୁରାପାନ ମତ୍ତଭୋଳେ ।

 

 

ଜାଣି ଜାଣି ଆମ-ସ୍ପର୍ଶେ କିପାଁ ଦେବ-ପୀଠ,

 

 

ବ୍ରାହ୍ମଣର ଉପବୀତ, କରିବୁଁ ଆଶୁଚି ?

 

 

କରିବା କାହିଁକି ପୁଣି ବଢ଼ାଇବୁଁ ପାପ ?

 

 

କରନ୍ତୁ ବ୍ୟବସ୍ଥା କିଛି,-ଦାରୁବ୍ରହ୍ମଙ୍କର

 

 

ପ୍ରତିମୂର୍ତ୍ତି, ଦୂରୁଁ ଏହି ବଡ଼ ଦାଣ୍ତ ଧୂଳି

 

 

ମାଥେ ଦେଇ ଦରଶନ ଲଭିବୁଁ ପତିତେ ।

 

 

ସେହି ହେଲେ ହେଲା ଜାଣି ଯଥେଷ୍ଟ ଆମ୍ଭର ।

ଅନଙ୍ଗ

(ଉଠିପଡ଼ି) ସାଧୁ ତୁ ଶବର- ରାଜ, ତୋହରି ବାସନା

 

 

ପୂରିବାକୁ କରେ ଆଜ୍ଞା–ଏହି ସିଂହଦ୍ୱାରେ

 

 

ପ୍ରଭୁଙ୍କର ମୂର୍ତ୍ତି ସମ ଆଉ ଏକ ମୂର୍ତ୍ତି

 

 

ହୋଇବେ ସ୍ଥାପିତ; ଯାକୁ କରି ଦରଶନ

 

 

ଅସ୍ପୃଶ୍ୟ ପତିତ ସବୁ ପ୍ରଭୁ ଦରଶନ–

 

 

ଫଳ ପାଇ ହେବେ ଧନ୍ୟ । ତାଙ୍କ ଲାଗି ପୁଣି

 

 

ସେହି ମୂର୍ତ୍ତି ବୋଲାଇବେ ‘ପତିତପାବନ’ ।

 

 

(ଜନତାର ଘନଘନ କରତାଳି ଓ ‘ଜୟ ଗଜପତିଙ୍କର ଜୟ’, ‘ମହାରାଜ ଅନଙ୍ଗଭୀମ ଦେବଙ୍କର ଜୟ’ ଆଦି ଧ୍ୱନି ।)

 

 

(ଗୋଳମାଳ ଶାନ୍ତି ହେଲା ପରେ)

 

 

ଶୁଣ ପ୍ରିୟ ପ୍ରଜାଗଣ, ଅଜ୍ଞାନରେ ଖାଲି

 

 

କର ତୁମ୍ଭେ ଜୟଧ୍ୱନି, ଏ ଅଧମ ନାମେ ।

 

 

ପ୍ରଭୁ ଜଗନ୍ନାଥଙ୍କର ଦାସାନୁଦାସ ମୁଁ

 

 

ଅତି ଅକିଞ୍ଚିତ୍‍କର; ତାଙ୍କରି ଆଦେଶେ

 

 

ତାଙ୍କ ଅନୁଗ୍ରହେ ଖାଲି, ଏ ମହା ମନ୍ଦିର

 

 

ହୋଇଅଛି ଠିଆ ଆଗେ । ଶକ୍ତି ମୋ ଛାରର

 

 

କାହିଁ ଥିଲା କରିବି ଏ ମନ୍ଦିର ଗଠନ ?

 

 

ସବୁ ପୁଣି ତୁମ୍ଭ ଦାନ, ପ୍ରିୟ ପ୍ରଜାବର୍ଗ ।

 

 

ସୂର୍ଯ୍ୟ ଯେହ୍ନେ ବାଷ୍ପରୂପେ ନେଇ ବସୁଧାରୁ

 

 

ମେଘରୂପେ ବସୁଧାକୁ ଫେରାଏ ତା ଜଳ,

 

 

ମୁହିଁ ସେହିରୂପେ ତୁମ ଧନ, କର ରୂପେ

 

 

ନେଇ, ଦେଉଅଛି ପୁଣି ଫେରାଇ ତୁମ୍ଭରେ,

 

 

ପୁଷ୍କରିଣୀ, ଘାଟ, ଗ୍ରାମ, ଦେଉଳ ନିର୍ମାଣି ।

 

 

ପ୍ରଭୁଙ୍କର ଦାସ ମୁଁ ତ, ଦାସ ପୁଣି ତବ;

 

 

ଆଶୀର୍ବାଦ କର ମୋର ପ୍ରିୟ ପ୍ରଜାଗଣ,

 

 

ଏକ ହସ୍ତେ ପ୍ରଭୁଙ୍କର, ଅନ୍ୟ ହସ୍ତେ ତବ

 

 

ସେବାକରି ଏ ଜୀବନ- ଅବଶେଷ ତକ

 

 

ଯାଉ ଚାଲି, ଯାଇଅଛି,ଯେହ୍ନେ ଏ ଯାବତ ।

 

 

(ଘନଘନ କରତାଳି, ‘ଜୟ ମହାରାଜା ଅନଙ୍ଗଭୀମ ଦେବଙ୍କର ଜୟ’ ଧ୍ୱନି ମଧ୍ୟରେ ପଟ୍ଟପତ୍ତନ ।)

 

ଦ୍ୱିତୀୟ ଦୃଶ୍ୟ

 

(ପୁରୀ ବଡ଼ ଦାଣ୍ତ । ସମୟ ଦିବାଲୋକ । ଉତ୍ସବ-ମତ୍ତ ଜନତା ଭିତରେ ଭିନ୍ନଭିନ୍ନ ନୃତ୍ୟ ଓ କ୍ରୀଡ଼ା । ପ୍ରଥମେ ଶବର ଶବରିଣୀମାନଙ୍କର ନାଚି ନାଚି ପ୍ରବେଶ ।)

 

ନାଳେ ନାଳେ ଗଲା ଗାଈ ଲୋ,

ନାଳେ ନାଳେ ଗଲା ଗାଈ

ବିଲେ ବିଲେ ଫୁଟେ ସୋରିଷ ଫୁଲ ଲୋ

ମୋ ପରାଣ ମିତ କାହିଁ ?

ପାହାଡ଼ ଉପରେ ଘର ଲୋ,

ପାହାଡ଼ ଉପରେ ଘର

ମତେ ଛାଡ଼ି ନାଥ, ଦୂରେ ନାହିଁ ଯିବ

ଧରିଥାଏଁ ତବ କର,

(ସଦା) ଧରିଥାଏଁ ତବ କର ।

ସମୁଦ୍ରର ଗରଜଇ

ମହାପ୍ରଭୁ ସମୁଦ୍ରର ଗରଜଇ,

ଦେଶେ ଦେଶେ ଜିଣି ଗଜପତି ରାଜା

ବସି ଭୋଗୁଥାଅ ମହୀ ।

 

 

(ପ୍ରସ୍ଥାନ)

ଜନତାରୁ ଦୁଇତିନି ଜଣ

ଆରେ ଖଞ୍ଜଣିଆ ଆଇଲାରେ । ମନେ ହେଉଛି ଏଇଟା କେନ୍ଦ୍ରାପଡ଼ିଆ ।

(ଖଞ୍ଜଣୀ ବାଦକର ବଜାଇ ବଜାଇ ପ୍ରବେଶ)

ଜଗନ୍ନାଥ ହେ,

ଶୁଣ ଅରକ୍ଷ ଡାକ,

ଜଗନ୍ନାଥ ହେ । (ଘୋଷା)

ଲକ୍ଷେ ଯୋଜନରୁ ଆର୍ତ୍ତେ ଡାକିଲା କରୀ

ଚକ୍ର ପେଶି ନକ୍ର ନାଶି ରଖିଲ ହରି,

ପ୍ରହ୍ଲାଦ ଡାକ ଶୁଣି

କଲ କଶିପୁ ନାଶ,

ଇନ୍ଦ୍ର ପଦବୀ ତାକୁ

ଦେଲ ହେ ପୀତବାସ;

ପାପୀ ଅଜାମ୍ବିଳକୁ

ଦେଲ ପାଦ ପଙ୍କଜ

ମୃଗିଣୀ ନିସ୍ତାରିଲ, ମୃଗିଣୀ ନିସ୍ତାରିଲ,

ମାରିଣ କ୍ରୂର ବ୍ୟାଧ,

ମୁଁ କିପାଁ ପଡ଼ିଅଛି

ମୁଁ କିପାଁ ପଡ଼ିଅଛି ଅନାଥ,

 

ହେ ଜଗନ୍ନାଥ,

ଶୁଣ ଅରକ୍ଷ ଡାକ ।

 

 

(ପ୍ରସ୍ଥାନ)

ଜନତାରୁ ଜଣେ

ହଇରେ ନେତ୍ରାଭାଇ, ଆମଗାଁ କୁଶୁନିଆଠୁଁ ଇଏ କଣ ଅଧିକଟା ବଜାଉଛି କିରେ ? ଖାଲି ନାଁ କେନ୍ଦ୍ରାପଡ଼ିଆ ।

ଆଉଜଣେ

ଚୁପ୍‍କର । ତୁ ପୁଣି ଗୋଟେ ହେଇଗଲୁଣି ଭଲମନ୍ଦ ବିଚାର କରିବାକୁ । ୟା’ ଆଗରେ କୁଶୁନିଆଁ ।

ପ୍ରଥମ ବ୍ୟକ୍ତି

ଏ ସଂସାରରେ ତୁଇ ଏକା ସବୁ ଜାଣିଛୁ । ଆଉ ସମସ୍ତେ ମୂର୍ଖ ପରା ! (କେନ୍ଦ୍ରାଧ୍ୱନି)

ତୃତୀୟ ବ୍ୟକ୍ତି

ଏ ଭାଇ, ଏ ଭାଇ, କଳି କରନା ଭଲା; ଗୋଟାକୁ ଗୋଟା ଦେଖି ଯା ଖାଲି । ଏଇ କେନ୍ଦ୍ରାବାଲା ଜଣେ ଆସୁଛି ।

(କେନ୍ଦ୍ରାବାଲାର ପ୍ରବେଶ ଓ ଗୀତ)

ଧନ ମୋ ମାନିନୀ,

କିପରି କଟୁଥିବ ଏ ବରଷା ରଜନୀ । (ଘାଷା)

କୋମଳାଙ୍ଗୀ ଯଉବନୀ ଷୋଡ଼ଶ ବୟସୀ

ବିରହ ଲୋତକ ଶେଯେ ପଡ଼ୁଥିବ ଖସି,

ଖସୁଥିବ ଶତହ୍ରଦା ସଂଗତେ ଅଶନି ।

କଣ୍ଟ କରିଥିଲି ଯାହା ନ ପାରିଲି ରଖି

ବାଟ ଚାହିଁ ଦିନ ଗଣୁଥିବ ମୋ ସୁମୁଖୀ,

ରାଗୁଥିବ, ହିୟା ମୋର ପଥର କି ମଣି ।

 

 

(ପ୍ରସ୍ଥାନ)

ଜନତା

ବଢ଼ିଆ ସ୍ୱର ଅଛି । ଏ ଚାଲ, ଚାଲ, ସିଂହଦ୍ୱାର ଆଗରେ ଦକ୍ଷିଣୀ ନାଟ ସେଣେ ଆରମ୍ଭ ହୋଇ ଗଲାଣି ।

 

 

(ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

 

(ବାରବାଟୀର ଏକ କକ୍ଷ । ଯୁବରାଜ ନରସିଂହଦେବ ଓ ଅନୁଗୋଳର ତରୁଣ ରାଜାଙ୍କର ପ୍ରବେଶ । ଯୁବରାଜଙ୍କ ଉଷ୍ଣୀଷରୁ ଗୋଟିଏ ଦୀର୍ଘ ବାଘ ଲାଙ୍ଗୁଡ଼ ଲମ୍ବିତ ।)

 

ଅନୁଗୋଳ

ଯେନାମଣି, ଆପଣଙ୍କୁ ଆଜିଠୁଁ ଲୋକେ ଲାଙ୍ଗୁଳା, ଲାଙ୍ଗୁଡ଼ିଆ କେତେ ବି ଲଙ୍ଗଳା ନରସିଂହଦେବ ଡାକିଲୋଣି । କେବଳ ମୁଷ୍ଟି ଯୁଦ୍ଧରେ ଦଶପଲ୍ଲା ଜଙ୍ଗଲରେ ଯେ ଏତେବଡ଼ ମହାବଳ ବାଘଟା ମାରି ଦେଲ, ଏଇଟା ଅବଶ୍ୟ ଭାରି ବୀରତ୍ୱର କଥା । କିନ୍ତୁ ସବୁବେଳେ ତାର ଲାଙ୍ଗୁଡ଼ଟା ମୁଣ୍ତରେ ମାରି ବୁଲିବାରେ ବ୍ୟାପାର ବଡ଼ ହାସ୍ୟକର ହୋଇ ଉଠୁଛି ।

ନରସିଂହ

ସେଦିନ ମାମା ମୋ ମୁଣ୍ତରେ ଏ ଉଷ୍ଣୀଷ, ବାନ୍ଧିଦେଇ, ସେଥିରେ ଏ ବାଘ ପୁଚ୍ଛକୁ ଝୁଲାଇଦେଲେ ଏବଂ ପରମ ଆନନ୍ଦରେ ମୋର କପାଳରେ ଚୁମ୍ବନ ଦେଲେ । ମାଆଙ୍କର ଏ ଉପହାର ମୋତେ ଛାଡ଼ିବାକୁ ମନ ହେଉନାହିଁ । କ୍ଷତି ବା କଣ ? ଲୋକେ ଯାହା କହିବାର କହନ୍ତୁ । ଆଜି ଥଟ୍ଟା କରୁଛନ୍ତି, କିନ୍ତୁ ମୁଁ ଗାଦିରେ ବସେଁ– ।

ଅନୁଗୋଳ

ଛି, ଯେନାମଣି । ପ୍ରଜାମାନଙ୍କର ସମ୍ବନ୍ଧରେ ଏପରି କହିବା ତୁମ ମୁହଁରେ ଶୋଭା ପାଉନି । କାଳିଦାସଙ୍କ ରଘୁବଂଶ ରାଜାମାନଙ୍କ ପରି ଉତ୍କଳର ଗଙ୍ଗବଂଶ ରାଜମହିମାର ଆଦର୍ଶ । ଏ ଦେଶରେ କେଶରୀମାନେ ଅତୁଳକୀର୍ତ୍ତି ରଖି ଯାଇଅଛନ୍ତି । କିନ୍ତୁ ଗଙ୍ଗବଂଶର କୀର୍ତ୍ତି କେଶରୀ ସ୍ମୃତିକୁ ଲୋକମନରୁ ଏକାବେଳକେ ପୋଛି ଦେଇଛି । ବିଶେଷତଃ ମହାରାଜ ଅନଙ୍ଗଭୀମ ଯେଭଳି ପ୍ରଜାରଞ୍ଜନବ୍ରତ ପାଳନ କଲେ, ସେଥିଲାଗି ଉତ୍କଳ ଓ ଗଙ୍ଗବଂଶ ଉଭୟେ ଧନ୍ୟ । ଦୁଃଖର କଥା ମହାରାଜଙ୍କ ଚରିତକୁ କାବ୍ୟ କରିବାପାଇଁ ଏ ପର୍ଯ୍ୟନ୍ତ କୌଣସି କାଳିଦାସ ଜୁଟିଲେ ନାହିଁ । ବିଶ୍ୱନାଥ କେବଳ ଅଳଙ୍କାର ଆଲୋଚନାରେ ରହିଲେ । ମୁଁ ତାଙ୍କୁ କେତେ ଥର ଏକଥା କହିଲିଣି, କିନ୍ତୁ କରିବେ କରିବେ ବୋଲି ସେ ଆସି ବୁଢ଼ା ହେଲେ । ତଥାପି, ମହାରାଜ ଏଇ ବାରବାଟୀ ଦୁର୍ଗ ଓ ଶ୍ରୀମନ୍ଦିର ନିର୍ମାଣକରି, ସମଗ୍ର ସାମ୍ରାଜ୍ୟକୁ ନଳ କରି ଓ ନ୍ୟାୟପର ଭାବରେ କର ଧାର୍ଯ୍ୟକରି, ରାଜ୍ୟର ଘାଟ, ପୋଖରୀ, ଗ୍ରାମ, ଦେଉଳ ସ୍ଥାପନ କରି, ସମଗ୍ର ସାମ୍ରାଜ୍ୟରେ ସାମନ୍ତ ନୃପତି ସୃଷ୍ଟିକରି ଯେଉଁ ଯଶ ରଖିଗଲେ, ତାହା ମରିବାର ବା ଲୋକସ୍ମୃତିରୁ ଲିଭିଯିବାର ନୁହେଁ । ଏପରି ରାଜା ଉତ୍କଳର ଆକାଶରେ କେଭେଁ ହେଲେ ଉଦିତ ହୋଇ ନଥିଲେ ଏବଂ ଆଜିର ଯବନ ପ୍ରପୀଡ଼ିତ ଆର୍ଯ୍ୟ ବର୍ତ୍ତରେ ୟାଙ୍କପରି ଦ୍ୱିତୀୟ ସ୍ୱଧୀନରାଜା ଥିବେ କି ନାହିଁ ସନ୍ଦେହ-। ଯେନାମଣି, ଆପଣ ବାବାଙ୍କର ଉପଯୁକ୍ତ ଦାୟାଦ ନହେଲେ, ବଂଶର କଳଙ୍କ ସଙ୍ଗେ ସାମ୍ରାଜ୍ୟର ଦୁର୍ଗତିକି ଆଣିବେ କେବଳ । ଆପଣଙ୍କର ଶ୍ରେଷ୍ଠ ଦାୟ ହେଉଛି, ପବିତ୍ର ପ୍ରଜାରଞ୍ଜନ ଧର୍ମ । ମହାରାଜ ଅନଙ୍ଗଭୀମ ବାଘ ଲାଙ୍ଗୁଡ଼ରେ ଶାସନକରି ଆଦର୍ଶ ଗଙ୍ଗରାଜା ହୋଇନାହାନ୍ତି ।

 

 

(ବଳରାମ ସଦସ୍ୟଙ୍କର ହଠାତ୍ ନସ୍ୟ ସେବନ କରୁ କରୁ ପ୍ରବେଶ)

ସଦସ୍ୟ

କି ଯୁବକ ନୃପତିଗଣ, କି ବିଚାର ପଡ଼ିଛି ? ବୁଢ଼ାମାନଙ୍କୁ ହଟେଇବ ? ନା ? ଶ୍ରୀକ୍ଷେତ୍ରରୁ ଫେରିଲାବେଳେ ମହାରାଜ କହିଲେ “ଆସ ଆସ, ମୋ ସାଥିରେ ହାତୀରେ ବସ ।” କଥାଟା ଭରି ଅପମାନ ଲାଗିଗଲା ଯେ, ଦିହେଁଯାକ କହି ପକାଇଲ “ନା, ନା ବସନ୍ତୁ ମିଶ୍ରେ । ଆମେ ଟୋକାସବୁ ଘୋଡ଼ାରେ ଯିବୁ ।” ଆହେ ବାବୁ ମିଶ୍ରେ ବି ତମପରି ଦିନେ ଟୋକା ଥିଲେ ହେ । ସେ ବି ଚଢ଼ୁଥିଲେ ଘୋଡ଼ା, ଆଉ ତମପରି ତାଙ୍କୁ ବି ଚାହିଁରହୁଥିଲେ ଟୋକୀମାନେ । ମିଶ୍ରଙ୍କ ପକ୍ଷରେ ଏ ଗୁଡ଼ାକ କିଛି ନୂତନ ନୁହେଁ ବାବାମାନେ ।

ଅନୁଗୋଳ

ମିଶ୍ର ଆପଣେ, ତମେ ପରା ଏବେ ଦ୍ୱିତୀୟପକ୍ଷ ଆଣିଛ ? ତମକୁ ଆମେ ବୁଢ଼ା ବୋଲି ତାତ୍ସଲ୍ୟ କରିବୁଁ ?

ସଦସ୍ୟ

ହଁ, ହଁ, ତମେ ଟୋକାଦଳ, ମହାରାଜଙ୍କୁ ମତେଇ, ମୋ ବେକରେ ଗୋଟାଏ ବାନ୍ଧି ଦେଲ, ପୁଣି ଥଟ୍ଟା କରୁଛ ? ହଉ ସେମିତି ହେଲେ କହିଦେବିଟି, ମହାରାଜାଙ୍କୁ କହିଦେବି । ନିଶ୍ଚେଁ କହିଦେବି ।

ନରସିଂହ

(ବ୍ୟଗ୍ରହୋଇ) କ’ଣ ସଦସ୍ୟେ, କ’ଣ କହିବ ?

ସଦସ୍ୟ

ସେଦିନ...ଶ୍ରୀକ୍ଷେତ୍ରରେ... ସଭା ମଣ୍ତପରେ... ମନେ ପଡ଼ୁନି ?... କିଆଁ ପଡ଼ିବ ? ମୁଁ ଜାଣେ ଯେ–ଆଜିକାଲିକା ଟୋକା ଜାଣି ସିଆଣିଆ ।

ଅନୁଗୋଳ

ସଦସ୍ୟେ, ଆମର ତ କିଛି ହେଲେ ମନେ ପଡ଼ୁନି ।

ସଦସ୍ୟ

ମନେ ନାଇଁ ? ମନେ ପକା । ନାଟ ହେଉଥିଲା–ତମେ ଦିହେଁଯାକ କା’କୁ ଚାହିଁଥିଲ ?

ନରସିଂହ

ଆମେ ତ, ସଦସ୍ୟେ, ନାଟ ଦେଖିବାକୁ ଯାଇଥିଲୁଁ । ନାଟ ଦେଖୁଥିଲୁଁ । ଆଉ କଣ ଆଖି ବୁଜି ବସିଥାନ୍ତୁ ?

ସଦସ୍ୟ

ହଁ, ହଁ, ଭଲଲୋକ ସାଜୁଛ, ନାଁ ? ମତେ ଥଟ୍ଟା କରୁଛ ପରା ? ସବୁ ମହାରାଜାଙ୍କୁ କହିବି । ଏଇ ଗଲି...

 

 

(ଯିବାର ଉଦ୍ୟମ)

ଅନୁଗୋଳ

(ଧାଇଁ ଧରି) ସଦସ୍ୟେ, ତମ ହାତ ଧରୁଛି, ମହାରାଜାଙ୍କୁ ତମେ ଆମ ନାଁରେ, କିଛି ହେଲେ କହନି ।

ସଦସ୍ୟ

(ଦୃଢ଼ଭାବରେ) ତା’ ହେଲେ ତମେ ମାନ, ମୁଁ ଯାହା କହୁଥିଲି ।

ନରସିଂହ

ଆଚ୍ଛା । କ’ଣ କହୁଥିଲଟି ?

 

 

(ଅନୁଗୋଳକୁ ହାତମାରି ଇଙ୍ଗିତ ଦେବା)

ସହସ୍ୟ

ନାଟବେଳେ ।

ଉଭୟେ

ନାଟବେଳେ ।

ସଦସ୍ୟ

ଦେବଦାସୀକୁ ।

ଉଭୟେ

ଦେବଦାସୀକୁ ।

ସଦସ୍ୟ

ଅନାଇଥିଲୁ ।

ଉଭୟେ

ଅନାଇଥିଲୁଁ ।

ସଦସ୍ୟ

ମାନିଲ ?

ଉଭୟେ

ହଁ ମାନିଲୁଁ ।

ସଦସ୍ୟ

ମହାରାଜାଙ୍କୁ ଏଇକଥା କହିବି ?

ଉଭୟେ

ହଉ, ଯା, କହ ।

ସଦସ୍ୟ

(ସ୍ୱଗତ) ବାବା ଏ କି ପରିବର୍ତ୍ତନ । ବର୍ତ୍ତମାନ ମୁହଁ ବଦଳାଇବାକୁ ହେବ ଦେଖୁଛି । ଏ ଟୋକାଙ୍କୁ ଆଉ ପାରି ହେଉନି ।

ଅନୁଗୋଳ

କି ସଦସ୍ୟେ, କ’ଣ ଭାବୁଛ ଆଉ ? ଯାଅ, କହ ।

ସଦସ୍ୟ

ହଇହେ, ଯୁବରାଜ, ତମେ କ’ଣ ମତେ ଚିହ୍ନିନା ? ବଳରାମ ସଦସ୍ୟ କ’ଣ ଅନଙ୍ଗଭୀମଦେବର କାନକୁହା ଗୁପ୍ତଚର ? ଆମର ୟା’ ତା’ ନାଁରେ କହିବାର କି ଦରକାର ଭାଇ ? କେବେ ଶୁଣିଛ କାହା ନାଁରେ, ମହାରାଜାଙ୍କୁ କହିବାର ? ଏ ବ୍ରାହ୍ମଣର ଜାତକରେ ତା’ ନାହିଁ । ତମ ଟୋକାଗୁଡ଼ାଙ୍କୁ ଟିକିଏ ଧମକାଇ କଉତୁକ କରୁଥିଲି ନା ହଉ, ହଉ, ଦେଖିଲି ତମମାନଙ୍କୁ ଆଉ ପାରିହେବନି । ଏବେ ନୂଆ କଥା ପକେଇବା । ଶୁଣିଛ ନା, ମାଳବ ଦେଶରୁ ଲୋକ ଆସିବାର ? ବିଭାଘର ତ ନିକଟରେ ହୋଇଯିବ ।

ଅନୁଗୋଳ

ଅତି ଆନନ୍ଦର କଥା, ସଦସ୍ୟେ । କ’ଣ କହୁଛ ଯେନାମଣି ?

ସଦସ୍ୟ

କାଳିଦାସଙ୍କ ସ୍ୱପ୍ନପୁରୀ ଉଜ୍ଜୟିନୀର ସୁନ୍ଦରୀ ଶ୍ରେଷ୍ଠାଙ୍କୁ ସେ ଯେତେବେଳେ ପାଇବାକୁ ଯାଉଛନ୍ତି, ତାଙ୍କୁ ଆଉ ପଚାରୁଛ କ’ଣ ? ଦେବତାମାନଙ୍କର ତ ଲାଳ ବୋହିବାର କଥା । କିନ୍ତୁ ବାବା, ଅନଙ୍ଗଭୀମଦେବଙ୍କର ପୁତ୍ର ରୂପେ, ଏ ବିଶାଳ ସାମ୍ରାଜ୍ୟର ଉପଯୁକ୍ତ ହୁଅ, ଏହାହିଁ ଆମର ଏକାନ୍ତ କାମନା । କଣ କହୁଛ, ଅନୁଗୋଳ ?

ଅନୁଗୋଳ

ତମେ ଆସିବା ପୂର୍ବରୁ ମୁଁ ତାଙ୍କୁ ଠିକ୍‍ ଏଇୟା କହୁଥିଲି ।

ସଦସ୍ୟ

ସେ କେବଳ ତମରି କଥାଇ ମାନିବେ । ତମେଇ ତାଙ୍କୁ ବୁଝେଇ ପାରିବ-

ନରସିଂହ

(ଉତ୍ତେଜିତ ହୋଇ) ସମସ୍ତେ ସେହି କଥା କହିଲେ । ମୁଁ କ’ଣ ଦୁଗ୍‍ଧପୋଷ୍ୟ ଶିଶୁ, ଚାଟଶାଳୀର ଖଡ଼ିଛୁଆଁ ପିଲା ଯେ, ମତେ ଯିଏ ମନ ସିଏ ଉପଦେଶ ଦେବାରେ ଲାଗିବେ । ଦେଖ ସଦସ୍ୟେ, ମୁଁ କେବଳ ବାବାଙ୍କ ସାମ୍ରାଜ୍ୟ ପାଇ ସନ୍ତୁଷ୍ଟ ହେବି ନାହିଁ । ମୋ ସାମ୍ରାଜ୍ୟ ତାଙ୍କ ସାମ୍ରାଜ୍ୟର ସୀମାକୁ ଶ୍ରାବଣମାସର ପାଣି, ଜୁଆର ବନ୍ଧ ଡେଇଁଲା ପରି ଡେଇଁ ବହିଯିବ । ମୁଁ ଯେଉଁ ଦେଉଳ ତୋଳିବି, ତା ତୁଳନାରେ ତାଙ୍କ ଦେଉଳକୁ ଲୋକେ ଅନାଇବେ ନି । ମୁଁ ଏହା କରିବିଇ କରିବି । ମନେ ରଖ ମୁଁ ଅନଙ୍ଗଭୀମଦେବଙ୍କ ପୁତ୍ର ବାବାଙ୍କୁ କହ, ବିବାହର ସମସ୍ତ ଆୟୋଜନ ବନ୍ଦ ରହୁ । ମୁଁ ମୋର ଅଧୀନସ୍ଥ ବାହିନୀକୁ ଧରି ବାହାରିଲି ତେଲିଙ୍ଗାନା ଆକ୍ରମଣରେ ବାବା ଯାହା ବାକି ରଖିଛନ୍ତି, ତାହା ସାରିବି; ତେବେ ଯାଇ କୌଣସି ରାଜକନ୍ୟାର କରଧାରଣ କରିବି-। ଅନୁଗୋଳ, ମୋ ସଙ୍ଗରେ ଯିବ ତ ଆସ ।

 

 

(ପ୍ରସ୍ଥାନ)

ସଦସ୍ୟ

ବଡ଼ ଏକମୁହାଁଟା । ଯାହା ମନରେ ଉଠିଛି, ତାହା କରିବଇ କରିବ । ଯାଅ, ଯାଅ, ଅନୁଗୋଳ, ତା ପଛ ଧର । ମୁଁ ଏଣେ ମହାରାଜାଙ୍କୁ ଏ ଖବର ଦେବାବୁ ଯାଏଁ । ଆଚ୍ଛା ସାରୁ ଖୋଳୁ ଖୋଳୁ ମହାଦେବ ବାହାରିଲା ହୋ ।

 

 

(ଉଭୟେ ଦୁଇ ଦିଗେ ନିଷ୍କ୍ରାନ୍ତ)

 

ଚତୁର୍ଥ ଦୃଶ୍ୟ

 

(ଲକ୍ଷ୍ମଣାବତୀରେ ବକ୍ତିଆର୍ ଖିଲିଜୀଙ୍କ ଶିବିର ।)

ସିରାଜ୍

କହନ୍ତୁ ଖୋଦାବନ୍ଦ୍ ।

ବକ୍ତିଆର୍

ପିଞ୍ଜରା ରହିଛି । କିନ୍ତୁ ପକ୍ଷୀ ଯେ ଉଡ଼ିଗଲା ।

ସିରାଜ୍

ହଁ, ସେ ପିଞ୍ଜରାରେ ପୁଣି ପଶିବାକୁ ଚେଷ୍ଟା କରିପାରେ ।

ବକ୍ତିଆର୍‍

ତାହାହେଲେ କଣ କରାଯିବ ?

ସିରାଜ୍

ବାଣୁଆ ପଠାଇ ତାକୁ ମାରି ବା ଧରି ଆଣିବାକୁ ହେବ । ସେହି ବାଣରେ ଅନ୍ୟ ପକ୍ଷୀ ମଲେ ବି ଉତ୍ତମ କଥା ।

ବକ୍ତିଆର୍‍

ସେଟା ସେତେ ସହଜ କଥା ନୁହେଁ ସିରାଜ୍ ଖାଁ । ଏ ପର୍ଯ୍ୟନ୍ତ ଆମେ ଛୋଟ ଛୋଟ ହିନ୍ଦୁ ରାଜ୍ୟକୁ ଅଲଗା ଅଲଗା ଆକ୍ରମଣ କରିବାରୁ, ଆଉ ସେମାନଙ୍କ ଭିତରେ ଏକତା ଓ ସାହାଯ୍ୟ ନଥିବାରୁ, ଗୋଟାକ ପରେ ଗୋଟାଏ ଜୟ କରିଗଲୁଁ । କିନ୍ତୁ ଲକ୍ଷ୍ମଣସେନ ଯେଉଁ ଦେଶରେ ଆଶ୍ରୟ ନେବାକୁ ପଳାଇଗଲେ, ସେ ରାଜ୍ୟ– ନୁହେଁ ଛୋଟ ଆକାରରେ ବା ନୁହେଁ ଦୁର୍ବଳ ଶକ୍ତିରେ । ଛୋଟ ବଡ଼ ପଥର ସବୁ ଜାକି ହୋଇ ଯେପରି ପ୍ରକାଣ୍ତ ପାହାଡ଼ ଦୃଢ଼ତାର ସହିତ ଠିଆ ହୋଇଥାଏ ପ୍ରକୃତିର ଶକ୍ତି ସମୂହକୁ ତାତ୍ସଲ୍ୟ କରି, ବହୁ ସାମନ୍ତ ପରିବେଷ୍ଟିତ ଉତ୍କଳ– ରାଜ ସେହିପରି ଦୁର୍ଜୟ ।

ସିରାଜ୍

ମୁସଲମାନ୍ କାହାକୁ ଦୁର୍ଜୟ ମନେ କରେନା ଖୋଦାବନ୍ଦ୍ । ତା ହୋଇଥିଲେ ଅଲମ୍ବ୍ରାଠାରୁ ଆସାମ ପର୍ଯ୍ୟନ୍ତ ସମଗ୍ର ପୃଥିବୀର ଅର୍ଦ୍ଧେକରେ ଆଜି ଚନ୍ଦ୍ର ଲାଞ୍ଛିତ ପତାକା ଉଡ଼ୁନଥାନ୍ତା । ଇସଲାମ୍‍ରେ ସିପାହୀ ସ୍ୱୟଂ ଆଲ୍ଲା । ସ୍ୱୟଂ ରସୁଲ୍‍ ଏହାର ରକ୍ଷକ । ମୁସଲମାନ୍‍ ତେଣୁ ନିର୍ଭୀକ । ତା ପରେ, କାଫେର୍ ବିରୁଦ୍ଧରେ ଠିଆ ହେବାର ତ ଜେହାଦ୍ । ଏଥିରେ ମଲେ, ମୁସଲମାନ୍‍ ହେବ ସହୀଦ୍ । ମାରିଲେ ପାଇବ ଆଲ୍ଲାର ଆଶୀର୍ବାଦ । ପୁଣି ଦେଖନ୍ତୁ ଉତ୍କଳ, ସାରା ହିନ୍ଦୁସ୍ଥାନର କାଫେର୍‍ମାନଙ୍କର ମକ୍‍କା । ସେଠି ଜଗନ୍ନାଥଙ୍କର ଦେଉଳ ଅଛି । ମାମୁଦ, ସୋମନାଥ ଓ ନଗରକୋଟ୍‍ରେ ଏବଂ ମହମ୍ମଦ ଘୋରୀ, ମଥୁରାରେ ଯାହା କରି, ଇସଲାମ୍‍ର ବିଜୟ କାଫେର୍ ଦେବତାର ମୁଣ୍ତ ଉପରେ ଠିଆ ହୋଇ ଘୋଷଣା କଲେ, ଖୋଦାବନ୍ଦ୍, ଜଗନ୍ନାଥର ଦେବତାକୁ ଭସ୍ମକରି, ବ୍ରାହ୍ମଣମାନଙ୍କୁ କତଲ୍ କରି ମନ୍ଦିରକୁ ଧୂଳିସାତ୍ କରି ମନ୍ଦିରର ଧନରତ୍ନ ଲୁଣ୍ଠନ କରି ଆମ୍ଭେ ସେହି ମାନ୍ ପାଇବା । ଇସଲାମ୍‍ର ମାନ୍‍ ରଖିବା ପାଇଁ ଆମ୍ଭମାନଙ୍କୁ ଉତ୍କଳ ନିଶ୍ଚୟ ଚଢ଼ାଉ କରିବାକୁ ହେବ ।

ବକ୍ତିଆର୍‍

ପ୍ରକୃତରେ ଉତ୍କଳ ହିନ୍ଦୁମାନଙ୍କର ମକ୍‍କା । ଆମେ ତ ଏ ଦେଶକୁ ରାଜା ହେବା ପାଇଁ ଆସି ନାହୁଁ । ଆମେ ଆସିଛୁଁ କାଫେର୍ ଧ୍ୱଂସ କରି ଇସଲାମ୍‍ର ଥାପନା କରିବାକୁ । ନହେଲେ କାବୁଲିସ୍ତାନର ଥଣ୍ତା ହାଓୟା, ସେଓ, ନାସ୍‍ପାତୀ,ଅଙ୍ଗୁର ଓ ସିରାଜି- ସରବତ୍‍ ଛାଡ଼ି, ଏ ଧୂଳିମୟ ଗରମି ଦେଶରେ ଘାଣ୍ଟି ହେଉଥାନ୍ତୁ କାହିଁକି ? ଇସ୍‍ଲାମ୍ ପାଇଁ ଆମ ସମସ୍ତଙ୍କର ଜାନ୍ ଆମେ ଦେଇଛେଁ । ଆଉ, ସାରା ହିନ୍ଦୁସ୍ଥାନକୁ ଜିଣି ଯଦି ଜଗନ୍ନାଥକୁ ଛାଡ଼ିଯାଉଁ ତେବେ କଲିଜାଟା ଛାଡ଼ି ଜାନୁଆରର ଅନ୍ୟ ମାଂସ ଖାଇବା ଭଳି ହେବ । ନା, ସିରାଜ୍ ତମେ ଠିକ୍ କହୁଛ । ଉତ୍କଳ ଆକ୍ରମଣ ମୁସଲମାନ୍‍ର ଏକ ପ୍ରଧାନ ଜେହାଦ୍ । ଯାଅ; ଏହାହିଁ ଫଉଜରେ ପ୍ରଚାର କର ଏବଂ କାଲି ଯାତ୍ରା ପାଇଁ ସମସ୍ତ ବନ୍ଦୋବସ୍ତ କର ।

 

 

(ପ୍ରସ୍ଥାନ)

 

ପଞ୍ଚମ ଦୃଶ୍ୟ

 

(ବାରବାଟୀର କକ୍ଷାନ୍ତର)

ଅନଙ୍ଗ

ତୁମେ କେତେଦୂର ଯାଏଁ ଯାଇଥିଲ ପାଡ଼ୁଶୀଏ ?

ପଟ୍ଟଯୋଶୀ

ମୁଁ ଭୁବନେଶ୍ୱର ପର୍ଯ୍ୟନ୍ତ ଗଲି । ଈଶାନ ପଟ୍ଟନାୟକଙ୍କୁ ସବୁ କଥା ବୁଝାଇ କହିଛି । ଯୁବରାଜାଙ୍କୁ ମଧ୍ୟ ସାବଧାନତାର ସହିତ ସବୁ କରିବାକୁ କହିଲି । ଯୁବରାଜ, ବାବା ଓ ମାମାଙ୍କୁ ଭୂମିଷ୍ଠ ପ୍ରଣାମ ମୋ ହାତରେ ଦେଇ ବିଦାୟ ନେଲେ । ତାଙ୍କର ଅଶ୍ୱଖୁରୋତ୍‍ଥିତ ଧୂଳି ନ ଦିଶିଲା ପର୍ଯ୍ୟନ୍ତ, ମୁଁ ତାଙ୍କୁ ଅନାଇଥାଏଁ । ଶେଷରେ ସେ ତରବାରୀ ହଲାଇ ହଲାଇ ଅଦୃଶ୍ୟ ହୋଇଗଲେ । ସାଙ୍ଗରେ ଅନୁଗୋଳ ତ ଥାନ୍ତି । ତା ଛଡ଼ା, ବଉଦ, ବାଣପୁର, ଗଞ୍ଜାମର ସାମନ୍ତଗଣ ଦେଶଜୟ–ଯଶରେ ଭାଗୀ ହେବାପାଇଁ ବାଟରେ ମିଶିବାକୁ ସମ୍ବାଦ ପଠାଇଛନ୍ତି ।

ଅନଙ୍ଗ

କୁଆଡ଼େ ଅଭିଯାନ କରିବେ କହିଛନ୍ତି କିଛି ?

ପଟ୍ଟଯୋଶୀ

ରାଜମହେନ୍ଦ୍ରୀଠାରେ ସମଗ୍ର ବାହିନୀ ସମବେତ ହେଲାପରେ, ସାମନ୍ତ ଓ ଦଳପତିମାନଙ୍କ ପରାମର୍ଶରେ ଯାହା ହେଲେ କରିବେ । କିନ୍ତୁ, ମୋର ମନେ ହେଉଛି ତାଙ୍କର ଇଚ୍ଛା ତେଲିଙ୍ଗାନାର ରାଜଧାନୀ ବାରଙ୍ଗଲ୍ ପ୍ରଥମେ ଅଧିକାର କରି ପରେ ଚାଲୁକ୍ୟ ରାଜ୍ୟର ପ୍ରସିଦ୍ଧ ଦୁର୍ଗ କୁଳବର୍ଗ ଆକ୍ରମଣ କରିବେ ।

ଅନଙ୍ଗ

ଭଲ କଥା । ପ୍ରଥମ ବୟସରେ ମୋର ବି ଏକାନ୍ତ କାମନା ଥିଲା ସମଗ୍ର ତେଲିଙ୍ଗାନାକୁ ଉତ୍କଳ ସଙ୍ଗେ ମିଶାଇ ଦେବାକୁ । ଗୋଲକୁଣ୍ତାର ହୀରକଖଣି ଏହି ତେଲିଙ୍ଗାନାରେ । କିନ୍ତୁ ପଟ୍ଟଯୋଶୀଏ, ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ମତେ ଏସବୁ ଆଉ ଭଲ ଲାଗୁ ନାହିଁ । ଏକ ଦୁର୍ଦ୍ଧର୍ଷ, ଦୁର୍ଜେୟ ଶତ୍ରୁ ଆର୍ଯ୍ୟାବର୍ତ୍ତରେ ରାଜ୍ୟ ପରେ ରାଜ୍ୟ ନେଇ ଯାଉଥିଲାବେଳେ, ଆମେ ପରସ୍ପରକୁ ହାଣ କାଟ କରିବା ବିଜ୍ଞତାର କାର୍ଯ୍ୟ ନୁହେଁ । ରାଜ୍ୟ ସିନା ଖଣ୍ତ ଖଣ୍ତ ଧର୍ମ ତ ଏକ ? ଆମେ କ୍ଷତ୍ରିୟ ରାଜନ୍ୟବୃନ୍ଦ ସମସ୍ତେ ଏକତ୍ର ହେଲେ ସିନା ଧର୍ମରକ୍ଷା ହୁଅନ୍ତା । ଆମେ ଯଦି ଆପେ ଆପେ ମରାମରି ହେବା, ତେବେ ଧୂର୍ତ୍ତ ବିଦେଶୀ ସମସ୍ତଙ୍କୁ ଦୁର୍ବଳ ଦେଖି ଗୋଟି ଗୋଟି କରି ଚିପିଦେବ । ପୃଥ୍ୱୀରାଜ ଜୟଚନ୍ଦ୍ର କଳିରୁ କଣ ଆମର କିଛି ଶିଖିବାର ନାହିଁ ?

ପଟ୍ଟଯୋଶୀ

ରାଜପୁତମାନଙ୍କ ଅହଙ୍କାରରୁ ହିଁ ମୁସଲମାନ୍‍ ଆର୍ଯ୍ୟାବର୍ତ୍ତରେ ପଶି ପାରିଲା । ରାଠୋର ଓ ଚୌହାନମାନେ ଉଡ଼୍ର ଓ ଚାଲୁକ୍ୟମାନଙ୍କୁ ତାଚ୍ଛଲ୍ୟ କରନ୍ତି । ଥାନେଶ୍ୱର ବା ତିରୋରୀ ଯୁଦ୍ଧକୁ ବଙ୍ଗ, ଉତ୍କଳ ଓ ସମଗ୍ର ଦାକ୍ଷିଣାତ୍ୟର କୌଣସି ରାଜାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଉଡ଼୍ର ବା ପଦାତିକ ଓ ଚାଲୁକ୍ୟ ଅଶ୍ୱାରୋହୀ ମିଶିଥିଲେ ଯବନ ସିନ୍ଧୁନଦୀର ଏ ପଟକୁ ପାଦ ଦେଇ ପାରି ନଥାନ୍ତା । କିଏ କଣ କରିବ ? ପୃଥ୍ୱୀରାଜ ନିଜ ଜାତୀୟ ଅହଙ୍କାରର ଫଳ ପାଇଲେ । ଏଣେ ଚାଲୁକ୍ୟ ଓ ତେଲିଙ୍ଗାନାର ରାଜାମାନେ ମଧ୍ୟ ଉଡ଼୍ରମାନଙ୍କୁ ବେଖାତିର କରନ୍ତି । ତରୁଣ ଯୁବରାଜ ସେହି ତାଚ୍ଛଲ୍ୟର ପ୍ରତିଶୋଧ ନେବାକୁ ଯାଇଛନ୍ତି ମାତ୍ର-। କ୍ଷାତ୍ର ଯଶ ତ ଖଣ୍ତାୟତର ଶିରୋଭୂଷଣ । ନବ ବିଜୟର ଯଶକୀର୍ତ୍ତି, ନବନିର୍ମିତ ବାରବାଟୀର ପ୍ରଥମ ବନ୍ଦନା ହେବ, ମହାରାଜ ।

ଅନଙ୍ଗ

(ଚିନ୍ତାକୁଳ ଭାବରେ) ଯଶ । କୀର୍ତ୍ତି ! ମନୁଷ୍ୟ ଯଶ ଚାହେଁ, ରାଜା କୀର୍ତ୍ତି ରଖିବାକୁ ଚାହେଁ । ସେଥିପାଇଁ ନରରକ୍ତରେ ପୃଥିବୀ ରଞ୍ଜିତ କରିବାକୁ ହୁଏ, ଶତ ଶତ ନାରୀକୁ ବିଧବା, ସହସ୍ର ସହସ୍ର ବାଳକବାଳିକାଙ୍କୁ ପିତୃମାତୃଶୂନ୍ୟ କରିବାକୁ ହୁଏ । ଏଇ ହେଲା କ୍ଷତ୍ରିୟର ଯଶ, ନୁହେଁ ମନ୍ତ୍ରୀ ? ଅନଙ୍ଗଭୀମଦେବ ଗୋଟାଏ ଦୁର୍ଗ ଓ ଗୋଟାଏ ମନ୍ଦିର ତୋଳାଇଛି ବୋଲି ଲୋକେ ତାର କୀର୍ତ୍ତି ଗାନ କରୁଛନ୍ତି । ଛୋଟ ଉଇ କି ବିରାଟ ହୁଙ୍କା ତିଆର ନ କରେ । ତା ତୁଳନାରେ ମଣିଷର ଏ ଶିଳ୍ପକୀର୍ତ୍ତି କି ଅକିଞ୍ଚିତ୍‍କର ? ମନିଷ ସତେ ବଡ଼ ଅହଙ୍କାରୀ, ମନ୍ତ୍ରୀ ନୁହେଁ ? ଅଢ଼େଇ ଦିନର ଜୀବନ । ପୃଥିବୀର ରଙ୍ଗମଞ୍ଚରେ ଆମେ ଯାଉଛୁ ନାଟ କରିବାକୁ...

ଚର

(ସସବ୍ୟସ୍ତେ ପ୍ରବେଶ କରି) ମହାରାଜ, ମୁସଲମାନ୍‍ ଉତ୍କଳ ଆକ୍ରମଣ କରିଛି । ଭାଗୀରଥୀ ପାରହୋଇ ମୁସଲମାନ୍‍ ବର୍ତ୍ତମାନ ଜଳେଶ୍ୱର ଆଡ଼କୁ ଧାବମାନ । ହରିହରପୁର ସାମନ୍ତ ମୁସଲମାନ୍‍ର ପ୍ରତିରୋଧ କରିବା ସଙ୍ଗେ ସଙ୍ଗେ ଛାମୁଙ୍କ ନିକଟକୁ ମୋଦ୍ୱାରା ଏହି ଖବର ପଠାଇଛନ୍ତି ।

ଅନଙ୍ଗ

(ଉତ୍ତେଜିତ ହୋଇ) ପଡ଼ୁଶୀଏ, ଯାଅ, ଚତୁର୍ଦ୍ଦିଗକୁ ତୁରନ୍ତ ସମ୍ବାଦ ପଠାଅ । ଏଣେ ଆମର ସ୍ଥାୟୀ ବାହିନୀକୁ ଆଜି ଦିନଭିତରେ ସଜ୍ଜିତ ହେବାକୁ ଆଦେଶ ଦିଅ । ଆମ୍ଭେମାନେ କାଲି ପ୍ରତ୍ୟୁଷରୁ ହିଁ ଯାତ୍ରା କରିବା ।

ଚର

ଛାମୁଙ୍କ ନିକଟକୁ ହରିହରପୁରର ସାମନ୍ତ ଏଇ ପତ୍ର ଦେଇଅଛନ୍ତି ।

 

 

(ପତ୍ରଦାନ)

ଅନଙ୍ଗ

ନିଅ ମନ୍ତ୍ରୀ, ଏଇ ପତ୍ର ପାଠକରି ତା ଅନୁସାରେ ଆୟୋଜନ କର । ଚାରିଆଡ଼େ ଡେଙ୍ଗୁରା ଦେଇଦିଅ ଯେ, ଯେ ଯେଉଁ ଅବସ୍ଥାରେ ଅଛ, ମୁସଲମାନ୍‍ ସଙ୍ଗେ ଲଢ଼ିବା ପାଇଁ ଜଳେଶ୍ୱର ଯିବାକୁ ପ୍ରସ୍ତୁତ ହୋଇ ଆସ । ଯାଅ ।

(ପଟପତନ)

 

ଷଷ୍ଠ ଦୃଶ୍ୟ

 

(ଦାକ୍ଷିଣାତ୍ୟରେ ଉତ୍କଳ ଶିବିର । ସମୟ ସନ୍ଧ୍ୟା । ଯୁବରାଜ ନରସିଂହ ଓ ସାମନ୍ତରାଜଗଣ ।)

 

ନରସିଂହ

ହୟୋ ଅନୁଗୋଳ, ବାଣପୁରଙ୍କୁ କହ ସେ ଏଠାରୁ ଫେରିଯାଆନ୍ତୁ । ମୁଁ ଯେତେ କହିଲେ ସେ ତ ଶୁଣୁ ନାହାନ୍ତି । ତମେ ଟିକିଏ କହନା ।

ଅନୁଗୋଳ

ମୁଁ ବି ତାଙ୍କୁ କହିଲି । ଏଇ ତ ତାଙ୍କ ଶିବିରରୁ ଫେରୁଛି ମୁଁ । ଫେରିବା କଥା ପକେଇଲେଇ ସେ ଗର୍ଜି ଉଠୁଛନ୍ତି । ତାଙ୍କର କଥାରୁ ଜଣାପଡ଼ୁଛି, ଆମେ ଯେପରି ତାଙ୍କୁ ହିଂସା କରି ଏପରି କରାଉଛୁଁ ।

ନରସିଂହ

ମୁଁ ପୁଣି ଆଜି ଆଉ ଥରେ ତାଙ୍କୁ କହେଁ । ତେଲିଙ୍ଗାନାରେ ବୃଦ୍ଧ ବାଣପୁର ନ ଥିଲେ ତ ଆମ ଅବସ୍ଥା ସାଙ୍ଘାତିକ ହୋଇଥାନ୍ତା । ବାଣପୁର ଓ ଘୁମୁସରର କନ୍ଧ ପାଇକମାନେ ଆମର ମାନ ରକ୍ଷା କଲେ-। କିନ୍ତୁ ସେ ବର୍ତ୍ତମାନ ରୋଗାକ୍ରାନ୍ତ ବାରଙ୍ଗଲ ତ ଆଉରି ଅନେକ ବାଟ । ବାବଙ୍କର ସେ ବିଶ୍ୱସ୍ତ ବନ୍ଧୁ । ଯଦି କିଛି କଣ ଘଟେ ତାଙ୍କୁ, ବାବା କଣ କହିବେ ଆମକୁ ?

ଘୁମୁସର

ବୁଢ଼ା ବେଶ୍ ଥିଲେ । କୋଣ୍ତାଭିଦୁରେ ସେହି ଶରଟା ଯେ ତାଙ୍କ ବାଁ କାନ୍ଧ କାଟି ଦେଇଗଲା, ସେ ଘାଆଟା ତ ଆଉ ଶୁଖୁନି । ତାରି ଫଳରେ ଜର ଲାଗି ରହିଛି ।

ନରସିଂହ

ଦଶପଲ୍ଲାଙ୍କୁ ଦେଖୁନି ଯେ । ଲାଜ ହେଇଯାଇଛି କି ତାଙ୍କୁ ? ତାଙ୍କଠୁ ଯାହା ଆଶା କରୁଥିଲି କିନ୍ତୁ ତା ପାଉନି । କଥାଟି ଚିକ୍‍କଣ କରି କହି ଜାଣନ୍ତି କେବଳ; କିନ୍ତୁ କାମ ବେଳକୁ ମାଙ୍କଡ଼ଚିତ୍ । ସେଦିନ ଶତ୍ରୁପକ୍ଷର ସାମାନ୍ୟ ମାଡ଼ଟା ସମ୍ଭାଳି ପାରିଲେନି । ପଛକୁ ଆଠମଲ୍ଲିକ ଥିଲେ ବୋଲି ସିନା । ଆଠମଲ୍ଲିକଙ୍କର ଏତେ ଗୁଣ ଅଛି ବୋଲି ମତେ ଜଣା ନ ଥିଲା । ସେ ବଡ଼ ଚୁପ୍‍ଚାପ୍ । କି ସୁନ୍ଦର କବିତା ସେ ରଚନା କରୁଛନ୍ତି, ଶୁଣିଛ ଘୁମୁସର ? ବାବାଙ୍କୁ ଗଲେ ଏ କଥା ନିଶ୍ଚେ କହିବି । ବାବାଙ୍କର କବିପ୍ରତି ସମ୍ମାନ କିପରି ଜାଣ ତ ସମସ୍ତେ ? (ଦୂରରୁ ଗୀତଧ୍ୱନି) ଦୁଇ ଦିନ ହେଲା ମୁଁ ଏଇ ଗୀତଟା ବରାବର ଶୁଣୁଛି । କିଏ ସେ ଗାଉଛି ? ବଡ଼ କରୁଣ, ଅଥଚ ମଧୁର । ଏଇ ଯେ ସେ ଲୋକଟା ଏଣେ ବୋଲି ବୋଲି ଆସୁଛି । ସେ ଆସୁ । ତାକୁ ବାଧା ଦିଅନି ।

(ଜଣେ ଓଡ଼ିଆ ପାଇକର ଗୀତ ଗାଇ ଗାଇ ପ୍ରବେଶ)

ଦୂର ପରବାସେ ପିଣ୍ତ ଛାଡ଼ିଗଲୁ

ଜନନୀ ପୁଛିଲେ କହିବି କିସ

ଭାଇ ଭାଗ୍ୟରଥୀ

କାଟି ହୁଏ ଛାତି

ହୁଅନ୍ତା କି ମୋର ଆହାର ବିଷ ।

ଫେରିବି ମୁଁ ଗ୍ରାମେ

କି ସୁଖ ଏ ପ୍ରାଣେ,

ଏକା ଦେଖି ପଚାରିବେ ଗ୍ରାମଜନେ,

ଭାଗ୍ୟରଥୀ କାହିଁ ?

ଫେରିବ କି ନାହିଁ ?

ସୁଖ ଲାଗିଲା କି ସେ ପରବାସ ?

ଧେନୁ ଗୋଠେ ଆଉ ଯିବି କାହା ସାଥେ,

କଟା ଧାନ ବାନ୍ଧି ଦେବି କାର ମାଥେ

ଜୋଛନା ରାତିରେ

ଚିଲିକା ପବନ

କରିବ କାହାର ଚିତ୍ତ ଉଲ୍ଲାସ ?

କୁଡ଼ିଆରେ ମାଆା ଚାହିଁଥିବ ପରା

ରଣୁ ଫେରିବ ତା ରଙ୍କୁଣୀପସରା,

ମନେ କି ପଡ଼ିବ ନାହିଁ ଭାଇ ମୋର

ଶୋଲେରି ପାହାଡ଼, ମାଆ ଲୁହଧାର

ପାଉଁଶରେ ତୋର

କଲି ତରପଣ

ଦେଇ ମୋର ଯେତେ ଲୋତକ, ଶ୍ୱାସ ।

ନରସିଂହ

କିଏ ତୁମ୍ଭେ ପାଇକ ? ଘର କେଉଁଠି ? କାହିଁକି ଏପରି ବିକଳଭାବରେ କାନ୍ଦୁଛ ?

ପାଇକ

ମୋର ଘର ବାଣପୁରରେ । ଦୁଇ ଭାଇ ଲଢ଼େଇକି ଆସିଥିଲୁଁ । ସାନଟି ଯାହା ଚାଲିଗଲା, ମୁଁ ନ ଗଲି କିଆଁ ? ଘରକୁ ଫେରିଲେ ବୋଉ ପଚାରିଲେ କି କଥା କହି ତାକୁ ବୋଧ ଦେବି ? ସେ ତାକୁ ବେଶି ଭଲ ପାଉଥିଲା । ମୋର ହୃଦୟ ଆଉ ଥୟ ରହୁନି, ତା କଥା ଭାବି ଭାବି ।

ନରସିଂହ

ବଡ଼ କରୁଣ ଘଟଣା । ଅନୁଗୋଳ ତମେ ଏହାର ନାମଧାମ ଲେଖି ରଖ-। ପାଇକ, ତମେ ବାଣପୁର ଭ୍ରମରାଙ୍କ ମେଳରେ ଅଛ ତ ? ଆଜିଠାରୁ ଆମରି ଶିବିରରେ ରହିବ । ଫେରିବା ବାଟରେ ତମ ମାଆଙ୍କୁ ମୁଁ ସବୁ କଥା କହିବି । ତୁମକୁ କିଛି କହିବାକୁ ପଡ଼ିବନି । ଦୁଃଖ କରନା ।

ପାଇକ

ମହାପ୍ରଭୁ ! ଏ ଭାଗ୍ୟ ପୁଣି ମୋର ହେବ । (ସାଷ୍ଟାଙ୍ଗ ପ୍ରଣାମ)

ନରସିଂହ

ଉଠ, ଉଠ । (ପାଇକ ଉଠିବା) ଆଠମଲ୍ଲିକ ଏ ଘଟଣାକୁ ନେଇ ଏକ କାବ୍ୟ ଲେଖି ପକାଇବେ ବୋଧହୁଏ । ନା କଣ ଅନୁଗୋଳ ? ତାଙ୍କ ପ୍ରାଣ ଏଡ଼େ କୋମଳ, ସେ ଶିକାର କରନ୍ତି କିପରି ଅନୁଗୋଳ ?

ବଉଦ

ଶିକାରରେ ବି କଣ ଆଠମଲ୍ଲିକଙ୍କର ସେତେ ଶ୍ରଦ୍ଧା ? ଛାମୁ ସମ୍ରାଟ୍ ହେଲେ ତାଙ୍କୁ ସଭାପଣ୍ତିତ କରି ରଖିଲେ ଠିକ୍ ହୁଅନ୍ତା । (ସମସ୍ତଙ୍କର ହାସ୍ୟ)

ନରସିଂହ

ଆସ ସମସ୍ତେ ବାଣପୁରଙ୍କ ଶିବିରକୁ ଯିବା । ସେଇଠି ବସି କାଲିର ଅଭିଯାନର ବିଚାର କରିବା । (ସମସ୍ତେ ନିଷ୍କ୍ରାନ୍ତ)

 

ସପ୍ତମ ଦୃଶ୍ୟ

 

(ଉଜ୍ଜୟିନୀରେ ରାଜପ୍ରାସାଦର ଏକ କକ୍ଷ ।)

ମାଳବିକା

ଶୁଣିଛୁ କୁଞ୍ଜରିକା, ଆଜି ନୃସିଂହନାଥଙ୍କଠାରେ ନୃସିଂହ ପ୍ରଣୟ ନାଟକ ଅଭିନୀତ ହେବ । ସ୍ୱୟଂ ନାଟ୍ୟାଚାର୍ଯ୍ୟ ଉଦ୍‍ବାଳକ ନୃସିଂହ ଓ କଳାବତୀ ଲକ୍ଷ୍ମୀ ହେବ । ତୁ ଯିବୁ ତ ? ଭର୍ତ୍ତୃଦାରିକେ, ମୁଁ ରାଣୀ-ମାଙ୍କୁ କହି ରଖିଛି; ତୁମେ ଯିବ ତ ?

କାଞ୍ଚନପ୍ରଭା

କୁଞ୍ଜରିକା ଓ ମାଳବିକା, ତୁମେ ସବୁ ମିଳି ମିଶି ମୋ ହାଡ଼ମାଂସ ଖାଇବ ନା କଣ ? ମତେ ଯଦି ଦିବାରାତ୍ର ଥଟ୍ଟା କର, ତେବେ ଦେଖୁଛି ମତେ ଉଜ୍ଜୟିନୀ ଛାଡ଼ି ପଳେଇଯିବାକୁ ହେବ ?

ମାଳବିକା

ହଁ, ଛାଡ଼ ପଳେଇ ନ ଗଲେ ପ୍ରକୃତରେ ରକ୍ଷା ନାହିଁ, ବିଶେଷତଃ ଉତ୍କଳକୁ । କିନ୍ତୁ ତମେ ପଳେଇଗଲେ ଆମେ ଗୋଡ଼ାଇ ଜାଣୁ ଯେ, କୁଆଡ଼େ ଯିବ ।

କାଞ୍ଚନପ୍ରଭା

ତମେ ସବୁ କଣ ମନିଷର ଦୁଃଖକୁ ନେଇ ଥଟ୍ଟା କରିବ ?

କୁଞ୍ଜରିକା

ମଲା, ମାଳବ ରାଜଜେମାର ପୁଣି ଦୁଃଖ । ଉତ୍କଳର ଯୁବରାଜ ଦେଶ ଜୟ କରି ଯାଇଥିବାରୁ ବିବାହ ବନ୍ଦ ରହିଯାଇଛି । ଏଇ ପୁଣି ଦୁଃଖ ? ବୀର ତ ଯୁଦ୍ଧ ଜିଣି ଆସିବ । ନରସିଂହ କାଞ୍ଚନପ୍ରଭା ତ ଦିନେ ଏକାଠି ହେବେ । ଦୁଃଖ କଣ ଆଉ ?

କାଞ୍ଚନପ୍ରଭା

ତମର ଆଉ ଅନ୍ୟ ଭାବନା କଣ ଥାଇପାରେ ? ଗାଙ୍ଗେଇ ପକ୍ଷୀର କେବଳ ମାଛ ଚିନ୍ତା । ଦୁରାଚାରୀ ଯବନ ଆସି ଦୁଆରେ ଧକ୍‍କା ମାଇଲା ପରି, ଆଜି ଦୂତ ଜଣାଇଛି ଯେ କାଳିଞ୍ଜର ଦୁର୍ଗ ମୁସଲମାନ୍‍- କବଳିତ; ସମଗ୍ର ଚାନ୍ଦେଲ ରାଜ୍ୟ ବର୍ତ୍ତମାନ ଲୁଣ୍ଠିତ । ମୁଁ ମହାରାଜ ବିକ୍ରମାଦିତ୍ୟଙ୍କର ବଂଶଜା । ମୋର ରକ୍ତ କ୍ଷତ୍ରିୟ-ରକ୍ତ । ମୋର ଦୁଃଖ ଏହା ନୁହେ ଯେ ମୋର ବିବାହ ବନ୍ଦ ହୋଇଯାଇଛି । ମୋର ଦୁଃଖ ଏହି ଯେ ଆଜି ସମଗ୍ର ଆର୍ଯ୍ୟାବର୍ତ୍ତରେ କେହି ହେଲେ ବୀର ନାହିଁ ଯେ କି ଶତ୍ରୁର ପ୍ରତିରୋଧ କରିପାରିବ । ହାୟ ପୃଥ୍ୱୀରାଜ, ତମ ସଙ୍ଗେ ସଙ୍ଗେ କି ଭାରତବର୍ଷର କ୍ଷତ୍ରିୟ ଶୌର୍ଯ୍ୟ ଚିରଦିନ ପାଇଁ ଅସ୍ତମିତ ହେଲା ?

ମାଳବିକା

ମଲା, ଯବନ ଛାଡ଼ି ଯମ ଏ ଦେଶର ରାଜା ହେଲେ ମିଶେ, ମଣିଷ ଟିକିଏ ଗୀତ ଗାଇବ, କି ଟିକିଏ ହସ ଖେଳ କରିବନି ନା’ କଣ ?

କୁଞ୍ଜରିକା

ଛି ମାଳବିକା, ଥଟ୍ଟାତାମସା ରଖ୍ ଏକ୍ଷଣି । ଜେମା, ଆମେ ଏସବୁ ଜାଣିନଥିଲୁ । ଆମକୁ ରକ୍ଷା କର । ଭାରତବର୍ଷ ବୀରଶୂନ୍ୟ ହେବ କିପରି ? ଯୁବରାଜ ନରସିଂହ ଯବନକୁ ଶାସ୍ତି ଦେଇ ନିଶ୍ଚେ ତୁମର କ୍ରୋଧ ଦିନେ ଶାନ୍ତ କରିବେ । ଜେମା, ଆସ । ତେଣେ ରାଣୀମା ଫୁଲଧରି ଆମକୁ ଅପେକ୍ଷା କରି ବସିଥିବେ । ଆସ ।

 

 

(ପ୍ରସ୍ଥାନ)

 

ଅଷ୍ଟମ ଦୃଶ୍ୟ

 

(ବାରଙ୍ଗଲ ଦୁର୍ଗର ବହିର୍ଭାଗ)

 

(ଜରାକ୍ରାନ୍ତ ବୃଦ୍ଧ ବାଣପୁର ସାମନ୍ତଙ୍କର ଛୋଟେଇ ଛୋଟେଇ ପ୍ରବେଶ । ପଛରେ ଓଡିଆ ପାଇକ ।)

 

ବାଣପୁର

ମୁଁ ଶୋଇ ରହିବି ? ଏତେ ବାଟ ଆସିଲି, ଏତେ କଷ୍ଟ ଦେହରେ ମାରିଲି, ଏଇ ଶେଷ ମୁହୂର୍ତ୍ତରେ ଶୋଇ ରହିବି । ଶୋଇବାର ହୋଇଥିଲେ ଘର ଛାଡ଼ିଥାନ୍ତି କାହିଁକି ? ମୋ ପିଲାମାନେ ଲଢ଼େଇ କରି କରି ରଣଚଣ୍ତୀ ଆଗରେ ସହସ୍ର ସହସ୍ର ମୁଣ୍ତ ବଳି ନେଇ ଦେଉଥିବା ବେଳେ, ବାଣପୁରର ଭ୍ରମରା କୁଡ଼ିଆରେ ଶୋଇ ରହିଥିବ ? ଏହା ସମ୍ରାଟ ଶୁଣିଲେ କ’ଣ ଭାବିବେ ? ମୁଁ ବା ଶାନ୍ତିରେ ମରିବି କିପରି ? ଯୁଦ୍ଧ କରି କରି ମରିବାରେ ଖଣ୍ତାୟତର କି ସୁଖ, ତାହା କଣ ତେତେ ଅଜଣା ପାଇକ ? ମତେ ଅଟକା ନା...

ପାଇକ

ଆଜ୍ଞା ଯୁବରାଜଙ୍କର ଯାହା ଆଦେଶ । କେବଳ ମତେ ନୁହେଁ, ଆମ ସମସ୍ତଙ୍କୁ ଆଜ୍ଞା ହେଉଛି ଯେ ଭ୍ରମରାଙ୍କୁ ଶୁଆଇ ରଖ ତାଙ୍କୁ କୁଆଡ଼େ ଛାଡ଼ି ଦେବନି । ଆପଣ ତ କଥା ମାନୁ ନାହାନ୍ତି; ଯୁବରାଜ ଆମ ଉପରେ ବୃଥା ରାଗ ହେବେ ସିନା ।

ବାଣପୁର

ମୁଁ ଯୁବରାଜଙ୍କୁ ସବୁ କହିବି । ତମ ଉପରେ କିଛି ଦୋଷ ଲାଗିବନି । (ବୁଲୁ ବୁଲୁ) ହଇରେ ପାଇକ, ଏଠି ତ ସବୁ ଶୂନ୍‍ଶାନ୍ ଦେଖୁଛି । କୁଆଡ଼େ ଗଲେ ସବୁ ? ହୋହା କୁଆଡ଼େ ଶୁଭୁଛି କହିଲୁ, ସେଇ ଆଡ଼କୁ ମୁଁ ଯିବି ।

 

 

(ତରତରରେ ଜଣେ ଉତ୍କଳୀୟର ପ୍ରବେଶ)

ଉତ୍କଳୀୟ

ଦୁର୍ଗଦ୍ୱାର ଭାଙ୍ଗି ପଡ଼ିଲା, ଦୁର୍ଗଦ୍ୱାର ଭାଙ୍ଗି ପଡ଼ିଲା । ଆମ ସୈନ୍ୟ ଦୁର୍ଗ ଭିତରେ ପଶିଲେ, ଦୁର୍ଗ ଭିତରେ ପଶିଲେ ।

 

 

(ତରତରରେ ପ୍ରସ୍ଥାନ)

ବାଣପୁର

ଏ, ଏ, ପାଇକ, ଶୁଣ୍ ଶୁଣ୍ ଏଇଟା କେଉଁ ଆଡ଼ର ଭୂତଟା କିରେ ? ତାକୁ କ’ଣ ମଣିଷ ଦିଶୁନାହାନ୍ତି ?

ପାଇକ

ଆଜ୍ଞା ସେଇଟା ତଳମାଳିଆଟା, ଭଦ୍ରତା ଜାଣିବ କଣ ? ଥୟ ଧରନ୍ତୁ । ଏଇ ଆଉ ଦଳେ ମାଡ଼ି ଆସୁଛନ୍ତି । (ଅନୁଗୋଳ, ଗଞ୍ଜାମର ସାମନ୍ତ ଓ କେତେକ ପାଇକଙ୍କର ପ୍ରବେଶ)

ଅନୁଗୋଳ

ମଉସା, ଆପଣ ଏଠି ! ଚାଲନ୍ତୁ, ଆପଣଙ୍କୁ ଶିବିରରେ ପହଞ୍ଚାଇ ଦେବୁ, ସେଇଠି ବସି ଶୁଣିବେ ସବୁକଥା । (ହାତ ଧରୁ ଧରୁ) ଏ କଣ । ଆପଣଙ୍କ ଦେହରେ ଖଇ ଫୁଟୁଛି; ଆପଣ ଥରୁଛନ୍ତି । ଯୁବରାଜ କଣ କହିବେ ଆମକୁ ସବୁ ।

ବାଣପୁର

ଅନୁଗୋଳ, ଯଦି ମରିବାର କଥା ତେବେ ବାଣପୁର ଭ୍ରମରାର ମୃତ୍ୟୁ କୁଡ଼ିଆରେ ରୋଗଶଯ୍ୟାରେ ହେବା ଅପେକ୍ଷା ଏଇ ରଣଭୂଇଁରେ ହେବା ଶ୍ରେୟସ୍କର ଓ ସୁଖକର ନୁହେ କି ? ମଉସାକୁ ଅପମାନ ଦେବାକୁ ଚାହଁ ଶେଷ ନିଶ୍ୱାସବେଳେ ଅନୁଗୋଳ ? କହ, କ’ଣ କହିବାର ଅଛି କହ, ମୁଁ ଆଗ ଶୁଣେ–ଏକ ମାସ ହେଲା ଅପେକ୍ଷା କଲିଣି ଯାହା ଶୁଣିବାକୁ, ସେଥିପାଇଁ ମୁଁ ଯେ ମରୁନି ।

ଅନୁଗୋଳ

ତେବେ ଶୁଣନ୍ତୁ ଯେ ପ୍ରସିଦ୍ଧ ବାରଙ୍ଗଲ ଦୁର୍ଗ ବର୍ତ୍ତମାନ ପତିତ ଓ ଓଡ଼ିଶା ଗଜପତିଙ୍କ ଗଜଲାଞ୍ଛିତ ପତାକା ତା’ ଉପରେ ଉଡ୍‍ଡୀୟମାନ ।

ବାଣପୁର

ଜୟ ଜଗନ୍ନାଥ । ଜୟ ଜଗନ୍ନାଥ । ଜୟ ମା ଭଗବତୀ ! ଜୟ ମା ଭଗବତୀ । ନରସିଂହ ଦେବ କାହାନ୍ତି ? କାହାନ୍ତି ତମର ଯୁବରାଜ ? ଏତେଦିନେ ସେ ଅନଙ୍ଗଭୀମଦେବଙ୍କର ପୁତ୍ର ହେଲେ ବୋଲି ଜାଣ । ମରିବା ପୂର୍ବରୁ ଆଶୀର୍ବାଦ ଦେଇ ମରିବି । କାହାନ୍ତି ସେ ?

ଗଞ୍ଜାମ

ଯୁବରାଜ ଦୁଇଦିନ ହେଲା ଆହାର ଦେଖି ନାହାନ୍ତି କି ଶୋଇ ନାହାନ୍ତି । କେବଳ ଅଶ୍ୱପୃଷ୍ଠରେ ରହି ଏଇକ୍ଷଣି ଏଠି, ଏଇକ୍ଷଣି ସେଠି ହୋଇ ଶ୍ରାନ୍ତ କ୍ଳାନ୍ତ ସୈନିକମାନଙ୍କୁ ଉତ୍ସାହ ଦେଉଥାନ୍ତି; ଦଳେଇ ଓ ଦଳବେହେରାମାନଙ୍କୁ ପରାମର୍ଶ ଦେଉଥାନ୍ତି । ତା ନ ହୋଇଥିଲେ, ଏ ଦୁର୍ଗର ପତନ ଏତେଶୀଘ୍ର ଘଟିପାରି ନଥାନ୍ତା ।

 

 

(ନେପଥ୍ୟେ–ଜୟ ଗଜପତିଙ୍କର ଜୟ ଜୟ ନରସିଂହଦେବଙ୍କର ଜୟ)

 

 

ଏଇ ଯେ ଯୁବରାଜ ଆସିଗଲେଣି ।

 

 

(ନରସିଂହଦେବ ଓ କେତେକ ପାଇକଙ୍କର ପ୍ରବେଶ ।)

ନରସିଂହ

ଭ୍ରମରେ, ଆପଣ ଏଠି । ଦେହ କିପରି ଅଛି ?

ବାଣପୁର

(କମ୍ପି କମ୍ପି) ଯୁବରାଜ ! ଯୁବରାଜ ! (ହାତ ଟେକି ଆଶୀର୍ବାଦ କରୁ କରୁ ଟଳି ପଡ଼ିବା ।)

ଅନୁଗୋଳ

(ଧରି ପକାଇ) ଯୁବରାଜ, ବୁଢ଼ାଙ୍କର ଅଙ୍ଗ ଯେ ଥଣ୍ତା ହୋଇ ଆସୁଛି... ମଉସା... ମଉସା...

ନରସିଂହ

ଭାବାବେଗ ସମ୍ଭାଳି ପାରିଲେ ନାହିଁ । ଧର, ଧର, ତାଙ୍କୁ ନେଇଯାଅ କୁଟୀରକୁ । ଭ୍ରମରାଙ୍କର ମୃତ୍ୟୁ ଲୋଭନୀୟ । ତାଙ୍କର ଚିତା ଜଳିବ ଗଜପତିଙ୍କ ବିଜୟ ପତାକା ତଳେ । ଚାଲ, ଚାଲ ।

(ପଟପତନ)

Image

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

(ଜଳେଶ୍ୱର ଦୁର୍ଗର ଅଭ୍ୟନ୍ତର–ହରିପୁର ସାମନ୍ତ ବିକ୍ରମ ଭଞ୍ଜ, ଜଳେଶ୍ୱର ଦୁର୍ଗାଧିପତି ଶ୍ରୀମନ୍ତ ରାୟ, ଦଳବେହେରା ଓ ପ୍ରଧାନ ପାଇକଗଣ ।)

 

ଦଳବେହେରା

ଏକ ମାସରୁ ବେଶି ହେଲାଣି, ଶତ୍ରୁ ହୁଗୁଳି କୂଳରୁ ଆମ ଉଡ଼୍ରସୈନ୍ୟମାନଙ୍କୁ ଘଉଡ଼େଇ ଆଣି ମୂଷାକୁ ଗାତରେ ବନ୍ଦ କଲାପରି ଏହି ଦୁର୍ଗଶ୍ରେଣୀ ଭିତରେ ଅଟକେଇ ରଖିଛି । ଜଳେଶ୍ୱର, ଭୋଗରାଇ, ପର୍ବଦା, ବାନସନ୍ଦ, ବାଳକସି, ବଗଡ଼ି, ସବଙ୍ଗୀ, ନାରାୟଣଗଡ଼ ଆଦି ଆଖ ପାଖରେ ଯେତେ ଦୁର୍ଗ ଥିଲା, ସବୁଥିରେ ଉତ୍ସଳୀୟ ସୈନ୍ୟମାନେ ଆଶ୍ରୟ ନେଇ ଶତ୍ରୁକୁ ବି ଅଟକାଇ ରଖିଛନ୍ତି । ଅବରୋଧର କାଳ ମାସକୁ ବଳିଗଲାଣି । ସବୁ ଦୁର୍ଗରୁ ଆତଙ୍କ ସମ୍ବାଦ ଆସୁଛି । ସବୁଠି ଖାଦ୍ୟର ଅଭାବ । ପୁଣି ସବୁ ଦୁର୍ଗରେ ବହୁସଂଖ୍ୟାରେ ନାରୀ ଓ ଶିଶୁ ରହିଯାଇ ସୈନିକମାନଙ୍କର ଆତଙ୍କ ବଢ଼ାଉଛନ୍ତି । ଏବେ, କଣ କରିବା-? କେତେ କାଳ ମାଟି କାମୁଡ଼ି ଏଇଠି ପଡ଼ି ରହିବା ? ନାରୀ ଓ ଶିଶୁମାନଙ୍କର କି ଗତି ହେବ ? ନଚେତ୍‍ ଚାଲ ଏଠୁ ଖସି, ଅନ୍ୟଆଡ଼େ ପଳାଇ ଯିବାର ଚେଷ୍ଟା କରିବା । ଶତ୍ରୁ ଯଦି ସନ୍ଧାନ ପାଇ ପଛରୁ ଗୋଡ଼ାଏ ତେବେ ବାଟଯାକ ଦଳ ଦଳ ରହି, ତାକୁ ଅଟକାଇବାକୁ ହେବ-। ଏମିତି କରୁ କରୁ ଯେତେଦିନ ଯିବ ।

ଜଳେଶ୍ୱର ସାମନ୍ତ

ଦଳବେହେରାଏ, ଖାଦ୍ୟାଭାବ ବିଷୟରେ ଯାହା କହିଲେ ତାହା ସତ୍ୟ । ଦୁର୍ଗାଧିପତି ରୂପେ ଏ ଦୋଷ ମୁଁ ମୁଣ୍ତାଉଛି । କିନ୍ତୁ ଶତ୍ରୁ ଅତର୍କିତଭାବରେ ଆକ୍ରମଣ କରିବାରୁ ପ୍ରଚୁର ପରିମାଣରେ ଖାଦ୍ୟଦ୍ରବ୍ୟ ସଞ୍ଚୟ କରି ପାରିଲୁ ନାହିଁ ବା ପିଲାପିଲିମାନଙ୍କୁ ଦୂର ଯାଗାକୁ ପଠାଇ ପାରିଲୁ ନାହିଁ । ଏବେ ଖାଦ୍ୟ ଯାହା ଅଛି ତାହା ସପ୍ତାହେ ମାତ୍ର ଯିବ । ହୁଏତ ସମ୍ରାଟ ବାହିନୀ ଏ ଭିତରେ ଆସିପାରେ । ତେଣୁ ଆତଙ୍କିତ ହେବାର କାରଣ ବେଶି ନାହିଁ ବୋଲି ମୋର ବିଶ୍ୱାସ ।

ଦଳବେହେରା

ରାୟ ଆପଣେ, ଖଣ୍ତାୟତ ପିଲାର ଯମକୃତ ଭୟ ନାହିଁ ଆନ ଭୟ କଣ ଥିଲା ? ଭୟ ଖାଲି ଏ ନୂଆ ଶତ୍ରୁର ପ୍ରକୃତି । ସାତଦିନ ଭିତରେ ସାହାଯ୍ୟ ନ ଆସିଲେ ଓ ଶତ୍ରୁ ଯଦି ପଳାଇବା ବାଟ ବନ୍ଦ କରିଦିଏ ତେବେ କଣ କରିବା ବିଚାର କର । ଆମେ ଯଦି ଏ ଦୁର୍ଗକୁ ଶତ୍ରୁ ହସ୍ତରେ ଅର୍ପଣ କରୁ ତେବେ ଦେବ ମନ୍ଦିର ସବୁ ଗୋ ରକ୍ତରେ ପିଚ୍ଛିଳ ହେବ ଏବଂ ଦୁର୍ଗ ଦାଣ୍ତ ଯୁବତୀମାନଙ୍କ ଚିତ୍କାରରେ ବିଭୀଷିକାମୟ ହେବ । ଆମେ ତ ହାଣ ଖାଇବା, ଯହିବା ବଞ୍ଚୁ, ତେବେ କିଏ ଜାଣେ ଆମର ଜାତି ଧର୍ମ ସଙ୍ଗେ ସଙ୍ଗେ ନଷ୍ଟ ନ ହେବ?

ଜଳେଶ୍ୱର ସାମନ୍ତ

ଏ କଥା ନିଶ୍ଚୟ ବିଚାରିବାର ବିଷୟ । ଆମ ଆଗରେ ଏବେ ତିନିଟା ରାସ୍ତା ମେଲା ଅଛି । ଏକରେ ଦୁର୍ଗ ଭିତରୁ ବାହାରି ଶତ୍ରୁ ସଙ୍ଗେ ଲଢ଼ାଇ କରି ଗୋଟି ଗୋଟି ହୋଇ ସମସ୍ତେ ମରିବା । କାରଣ ବାରବାଟୀ ଦୁର୍ଗରୁ ସାହାଯ୍ୟ ବ୍ୟତିରେକେ ଆମର ଜିଣିବାର କୌଣସି ଆଶା ନାହିଁ । ଦୁଇରେ, ବେଳହୁଁ ଏ ଦୁର୍ଗରୁ ଖସିଯାଇ ପରବର୍ତ୍ତୀ ଦୁର୍ଗଶ୍ରେଣୀରେ ଆଶ୍ରୟ ନେବା । ନଚେତ୍ ଦୁର୍ଗକୁ ଶତ୍ରୁ ହସ୍ତରେ ଅର୍ପଣକରି ସନ୍ଧିଭିକ୍ଷା କରିବା । କହନ୍ତୁ, ତ ମହାରାଜ, ଏ ସଙ୍କଟବେଳେ କଣ କରିବା ?

ବିନ୍ତ୍ରମଭଞ୍ଜ

ମୁସଲମାନ୍‍ ଆକ୍ରମଣରୁ ଉତ୍କଳର ଉତ୍ତମ ସୀମା ରକ୍ଷା କରିବାପାଇଁ ଗଜପତି ସମ୍ରାଟଙ୍କ ଆଗରେ ମୁଁ ପ୍ରତିଜ୍ଞା କରିଆସିଛି । ସେ ପ୍ରତିଜ୍ଞା ମୁଁ ମୋର ରକ୍ତ ଦେଇ ରକ୍ଷା କରିବି । ଯବନ ଯେ ହୁଗୁଳି କୂଳରୁ ସ୍ୱର୍ଣ୍ଣରେଖା ଯାଏଁ ମାଡ଼ି ଆସିଲାଣି, ତାହା ଶୁଣିଲେ ଓ ଦେଖିଲେ, ସମ୍ରାଟ୍ ଭୀଷଣ ବ୍ୟଥିତ ହେବେ । ଯାହା ତ ହେବାର ହେଲାଣି, ଏବେ ମୋ ରାଜ୍ୟ ସୀମାରୁ ଦକ୍ଷିଣକୁ ଆଉ ହାତେ ମୁଁ ଶତ୍ରୁକୁ ଛାଡ଼ି ଦେବାକୁ ପ୍ରସ୍ତୁତ ନୁହେଁ । ସମୁଦ୍ରକୂଳରୁ ଶିମୂଳିପାଳ ପାହାଡ଼ ଯାଏଁ, ମୁଁ ସବୁ ଦୁର୍ଗରେ ଆଦେଶ ଦେଇଛି, ‘ଶେଷ ପାଇକ ବଞ୍ଚିଥିବା ଯାଏଁ ଦୁର୍ଗର ମାନ ରଖିବି । ଯେତେବେଳେ ଜାଣିବ ଯେ ଦୁର୍ଗ ଆଉ କୌଣସିମତେ ରକ୍ଷା କରି ହେବ ନାହିଁ, ସେତେବେଳେ ସ୍ତ୍ରୀଲୋକମାନଙ୍କୁ ନିଆଁ ଜାଳି ଜହର-ବ୍ରତ ପାଳନ କରିବାକୁ କହିବ । ବିଦେଶୀର ଧର୍ଷଣଠାରୁ ସେ ଜୀବନ୍ତ-ଦହନ ଶତ ଗୁଣରେ ଶ୍ରେୟସ୍କର । ଯିଏ ସବୁ, ଜହରରେ ମରିବାକୁ ମଙ୍ଗିବେ ନାହିଁ, ତାଙ୍କୁ ନିଜ ହସ୍ତରେ ହତ୍ୟା କରିବ । ବିଧର୍ମୀର ଘୃଣ୍ୟ ଶେଯରେ ଶୟନ ସୁଖଠାରୁ ସେ ମୃତ୍ୟୁ ଆତି ଭଲ । ବାଳକ ଶିଶୁମାନଙ୍କୁ ମଧ୍ୟ ନିର୍ମମ ଅକୁଣ୍ଠିତଭାବରେ ହତ୍ୟା କରିବ । ବିଧର୍ମୀ ହୋଇ ବଞ୍ଚିବାଠାରୁ ସେ ମୃତ୍ୟୁ ଢେର ଭଲ । ମୋର ଏ ଆଜ୍ଞା କଣ ମନେ ନାହିଁ ? ସେ ଆଜ୍ଞା, ଏ ଦୁର୍ଗରେ ମଧ୍ୟ ଅକ୍ଷରେ ଅକ୍ଷରେ ପ୍ରତିପାଳିତ ହେବ । ଏ ଦୁର୍ଗରେ କେବଳ ଖାଦ୍ୟାଭାବ ଘଟିନାହିଁ ବା ଏ ଦୁର୍ଗରେ କେବଳ ନାରୀ ଓ ଶିଶୁ ନାହାନ୍ତି; ସବୁ ଦୁର୍ଗରେ ଏକ ସଙ୍କଟ । ତେଣୁ, ସବୁ ଦୁର୍ଗରେ ଏକବିଧ ପ୍ରତିକାର ହେବ । ଯବନ ଯଦି ଜଣେ, ତେବେ ଉଡ଼୍ରସୈନିକର ଶବ ଉପରେ ଓ ଓଡ଼ିଆ ନାରୀର ଭସ୍ମ ଉପରେ ପାଦ ପକେଇ ପକେଇ ଯିବା ଦୁର୍ଗ ପରେ ଦୁର୍ଗରେ ଏହି ବିଭତ୍ସ ଲୀଳା ଦେଖି ଦେଖି ଯବନ କେତେବାଟ ଯାଉଛି ଯାଉ। ସିଂହ ତ ବଣରେ ଅଛି-? ବଣର କେଉଁ କୋଣରେ ବଳିଆ କୁକୁର ଉତ୍ପାତ କରିପାରେ, କିନ୍ତୁ ସିଂହ ଯେତେବେଳେ ଗର୍ଜନ କରି ଉଠିବ, ସେତେବେଳେ ବଳିଆ ତା ବାଟରେ ସେ ପଳାଇଯିବାକୁ କେତେ ସମୟ ଲାଗିବ ? ଦୁଇଦିନ ଭିତରେ ସମ୍ରାଟ ସୈନ୍ୟ ନିଶ୍ଚୟ ଏଠି ଉପସ୍ଥିତ ହେବେ । ଯବନ ତଡ଼ା ଖାଇ ହୁଗୁଳି ଆରପଟକୁ ପଳେଇବାକୁ ବାଟ ପାଇବନାହିଁ । କିନ୍ତୁ ଇତିମଧ୍ୟରେ କୌଣସି ପ୍ରକାର ଆତଙ୍କକୁ ଭ୍ରୂକ୍ଷେପ ନକରି ପ୍ରତ୍ୟେକ ପାଇକ ନିଜ ନିଜ ସ୍ଥାନରେ ଠିଆ ହୋଇ ରୁହ ଏବଂ ମନକୁ ଟାଣ କରି ରଖ ଯେ, ଯେତେବେଳେ ଦରକାର ପଡ଼ିବ, ଯବନ ହାତରୁ ରକ୍ଷା କରିବା ପାଇଁ ନିଜ ହାତରେ ନିଜର ସ୍ତ୍ରୀ, କନ୍ୟା, ପୁଅ, ଭଉଣୀଙ୍କୁ ହତ୍ୟା କରିବ । ଯାହା ଖାଦ୍ୟ ଅଛି, ତାହା ପ୍ରଥମେ ଶିଶୁଙ୍କୁ ଦିଅ; ତା ପରେ ସ୍ତ୍ରୀମାନଙ୍କୁ ଓ ସଭା ଶେଷରେ ପାଇକମାନଙ୍କୁ ଦିଅ । ଏଥିରେ ସମସ୍ତେ ସମ୍ମତ ତ ?

ସକଳେ

ସମସ୍ତେ ସମ୍ମତ ।

ବିକ୍ରମ

ଏକ ବାକ୍ୟରେ କହ–

 

 

ପ୍ରତି ହସ୍ତ ଭୂମି ପାଇଁ ଲଢ଼ିବୁ ଅରିରେ,

 

 

ରାଜା ଆଉ ଧର୍ମ ଲାଗି ଦେବୁ ଏ ପରାଣ ।

ସକଳେ

ପ୍ରତିହାତ ଭୂମିପାଇଁ ଲଢ଼ିବୁ ଅରିରେ,

 

 

ରାଜା ଆଉ ଧର୍ମ ଲାଗି ଦେବୁ ଏ ପରାଣ ।

ସକଳେ

ଜୟ ଜଗନ୍ନାଥଙ୍କର ଜୟ ।

 

 

ଜୟ ମହାରାଜ ଅନଙ୍ଗଭୀମଦେବଙ୍କର ଜୟ ।

 

 

ଜୟ ଉତ୍କଳର ଜୟ ।

(ପଟ ପତନ)

 

ଦ୍ୱିତୀୟ ଦୃଶ୍ୟ

 

(ଜଳେଶ୍ୱର ଦୁର୍ଗର ବହିର୍ଭାଗ । ମୁସଲମାନ୍‍ ଶିବିର ।)

ପ୍ରଥମ ମୁସଲମାନ୍‍ ସୈନିକ

(ମନ ଆନନ୍ଦରେ ଗାଇ ଗାଇ ପ୍ରବେଶ)

ଖୋଦା ମେହେର୍‍ବାନ୍

ମୁସଲମାନ୍‍କୋ ଛୋଡ୍ ଦିଆ

ସାରା ହିନ୍ଦୁସ୍ଥାନ ।

ଖୋଦା ମେହେର୍‍ବାନ୍

ଦ୍ୱିତୀୟ ମୁସଲମାନ୍‍ ସୈନିକ

(ଗାଇ ଗାଇ ପ୍ରବେଶ)

ଦୁନିଆ ମେ ସେରା ଏ ଦେଶ୍

ଜମିନ୍, ଅଉରତ, ଜଓହର୍ ବେଶ୍

(ଆସ) କରିବା ମଉଜ୍ ସାରା ଫଉଜ୍

ହିନ୍ଦୁ ଯାଉ ଜାହନ୍ନାମ୍ ।

 

 

(ଏକତ୍ର )– ଖୋଦା ମେହେର୍‍ବାନ୍ ଇତ୍ୟାଦି ।

ତୃତୀୟ ମୁସଲମାନ୍‍ ସୈନିକ

(ଗାଇ ଗାଇ ପ୍ରବେଶ)

ମସ୍‍ଜିଦ୍ ଉଠୁ ଗାଏଁ ଗାଏଁ

ଆଲ୍ଲାକା ନାମ୍ ମୁହେଁ ମୁହେଁ

ପେଟ୍ ବାଲା ବିରାମନ୍ ସବ୍

ପଢ଼ିବେ କୋରାନ୍ ।

 

 

(ଏକତ୍ର) – ଖୋଦା ମେହେର୍‍ବାନ୍... ଇତ୍ୟାଦି ।

 

 

ଚତୁର୍ଥ ମୁସଲମାନ୍‍ ସୈନିକ (ଗାଇ ଗାଇ ପ୍ରବେଶ)

କାଫେର ସବ୍ କତଲ୍ କର୍

ଦେଓଲ୍‍ ସବ୍ ତୋଡ଼୍‍କର୍

ରଖେଙ୍ଗା ଇସ୍‍ଲାମ୍ ।

 

 

(ଏକତ୍ର) – ଖୋଦା ମେହେର୍‍ବାନ୍… ଇତ୍ୟାଦି ।

 

 

ଜଣେ ମୁସଲମାନ୍‍ ମୌଲବୀର ପ୍ରବେଶ (କିଞ୍ଚିତ୍ କ୍ରୁଦ୍ଧହୋଇ)

ମୌଲବୀ

ନମାଜ ବଖତ୍‍ରେ ତମେ ସବୁ ଏସା ହଲ୍ଲା କରୁଛ । ନିଜେ କରିବିନି କି ଆର୍ କିସ୍‍କୋ କରେଇ ଦବନି । ଦେଖୁଛି ତୁମ୍‍ଲୋକ୍ ହିନ୍ଦୁସ୍ଥାନକୁ ଆସି ହିନ୍ଦୁ ବନିବା ଉପରେ ।

ପ୍ରଥମ ସୈନିକ

ମୌଲବୀ ସାହେବ, ଆମେ ସମସ୍ତେ ନମାଜ କରିଛୁ । ଏ ଲଢ଼େଇ ତ ଆଲ୍ଲାଙ୍କର । ତାଙ୍କରି ସିପାହୀ ହେଇ ତାଙ୍କ ନାମ ଆମେ ଭୁଲିଯିବୁ ?

ଦ୍ୱିତୀୟ ସୈନିକ

ଜାଫର୍ ଆମ ଭିତରେ ଶାୟେର୍ । ସେ ଏକ ନୟା ଗାନା କରି ହାମ୍‍ଲୋଗ୍‍କୋ ଶିକେଇଚି । ଆଜି ଛୁଟି ଥିବାରୁ ଦିଲ୍ ଖୁସିରେ ଟିକିଏ ବୋଲା ବୋଲି ହେଉଛୁ । ଆପ୍ ନମାଜ କରୁଥିବାର ହାମ୍‍କୁ ମାଲୁମ ନଥିଲା । ମାଫ୍ କରିୟେଗା ।

ମୌଲବୀ

ଗାନା ଆଚ୍ଛା ହୁଆ । ମୁଁ ଶୁଣିଛି । ଜାଫର୍ କାହାଁ ହୈ ? ଆନେସେ ମେରା ପାଶ୍ ଭେଜି ଦେବ । ଏ ଯାଗା ତମକୁ କୈସା ଲଗତା ?

ତୃତୀୟ ସୈନିକ

ମୌଲବୀ ସାହେବ, ସତ୍ କହୋ ତୋ, ହାମାରା ଆଫଗାନୀସ୍ତାନ୍‍ ଜନ୍ନତ୍ (୧) ହୈ । ଓ ଥଣ୍ତୀ ହାଓ୍ୟା, ଅଙ୍ଗୁର ନାସ୍‍ପାତି, ସର୍‍ବତ୍ ଇହାଁ କାହାଁ ମିଲେଗା ? ଗର୍ମି ଆଉ ଧୂଲାମେ ଆଦ୍‍ମୀ ଛଟ୍‍ପଟ୍ ହୋଯାତା ହୈ । ଜାଫର୍‍କୁ ଏ ଦେଶ୍ ଜନ୍ନତ ହୈ କ୍ୟୋଁ କି ଓ ଏକ ହିନ୍ଦୁସ୍ଥାନୀକା ମୋହବତ୍ (୨) ମେ ପଡ଼ିଯାଇଛି ।

ମୌଲାବୀ

ସତେ ନା (ହସି ହସି) ପାୟା କାହାଁ ସେ ?

ଚତୁର୍ଥ ସୈନିକ

ଏ ଦେଶରେ ତ ଔରତ୍ ଲୋଗୋଁକୋ ପର୍ଦ୍ଦା ନେହିଁ, ହମାରା ଦେଶ୍‍କା ଐସା । ହର୍ ଜାଗା ମେଁ ହାମଲୋଗ୍ ଉନ୍‍ସେ ମିଲ୍‍ତେ ହୈ । ଜାଫର୍‍କା କଲିଜା କିସ୍‍କେ ଲିୟେ ପାନି ହୋ ଜାତା ହୈ, ଓ ବୋଲ୍‍ତା ନେହିଁ । ଛିପାତା ହୈ ।

ମୌଲବୀ

ଇହାଁକା ଅଉରତ୍ ଦେଖନେକା ଲାୟକ । ଶ୍ରେଫ୍ ଅସଭ୍ୟ ବିରାମନ୍ ଧରମକୁ ଛାଡ଼ିଦେଲେ ଇହାଁ ସବ୍ କୁଛ ଆଚ୍ଛା ହୈ । ବଙ୍ଗାଲ ମେଁ ହାମେତ ଦେଖିଲେ ସ୍ୱାମୀ ମର୍‍ଯାନେକା ବାଦ୍ ଇସ୍‍କୀ ଔରତ୍‍କୋ ଆଗ୍ ମେ ଜଲା ଦିଆ । ହାମ୍ ବହୁତ୍ ବାର ଆଲ୍ଲାସେ ଦୁଆ (୩) କିଆ କି, ଉସ୍ ଔରତ୍ ଜନ୍ନତମେ ଯାୟେ । ଇହାଁ ତୋ ଉସ୍‍ସେଭି ଅଜୁବ୍ ବାତ୍ ଦେଖା । ଏକ୍‍ ଗଛକା ନୀଚେ ଏକ ପଥର ହାୟ । ଉସ୍‍ମେ ସିନ୍ଦୁର ଲଗା ହୁଆ । ଓହି ହିନ୍ଦୁକା ଖୋଦା ହୈ । ଉସ୍‍କେ ଆଗେ ଜାନୟାରକୋ କତଲ କିଆ ଯାତା ହୈ ।

 

(୧) ଜନ୍ନତ–ସ୍ୱର୍ଗ, (୨) ମୋହବତ୍‍–ପ୍ରେମ, (୩) ଦୁଆ–ପ୍ରାର୍ଥନା

 

 

 

ଇସ୍ ଦେଶ୍ ଜାହାନ୍ନାମ (୧) ସିବା ଆଉର୍ କ୍ୟା ହୋ ସକ୍‍ତା ହୈ । ଯା କୁଛ ଧରମ୍‍କି କିତାପ୍ ହୈ, ଉସ୍‍କୁ ସ୍ରେଫ ବିରାମନ୍‍ହି ପଢ଼େଙ୍ଗେ । ଆଓର୍ ସବ୍‍କୋଇ ମୁରଖ୍ । ବହୁତସେ ଆଦ୍‍ମୀ ଗାଁ କେ ବାହାର ଗଛକା ନୀଚେ ପଡ଼େ ରହେଁ ହୈ । ଶୁନ୍‍ତେ ହେଁ ଇନ୍‍ଲୋଗକୋ କୋଇ ଛୁତା ବି ନେହିଁ । ଇନଲୋକ୍‍କା ପରଛାର ପଡ଼ନେସେ ଉଚ୍ଚେ ଜାତ୍‍କୋ ଗୋସଲ୍ କର୍‍ନା ପଡ଼ତା ହୈ । ତୋବା, ତୋବା... ଇସ୍ ଦେଶ୍‍ମେ ଇସ୍‍ଲାମ୍ ଫୈଲାନା (୨) ଖୋଦାକା ବରାଦ୍ । ଐସାବି ଏକ୍ ଦିନ ଥା ଯବ୍‍କେ ହାମ୍‍ଲୋଗ୍‍ଭି କାଠ ଆଓର ପଥରକୋ ପୂଜା କରତେଥେ । ହାମ୍‍ଲୋଗ୍‍କା ଚୁଟି ମତାବଲୀ (୩) ବା ହାତମେ ଥେ ହାମ୍‍ଲୋଗା ବି ବଚ୍ଚୋ କୋ କତଲ କରତେଥେ । ରସୁଲ୍‍ସେ ସବୁ ନିକାଶ୍ କରି ହାମ୍‍ଲୋଗାକୋ ଆଦ୍‍ମୀ ବନାଦିୟେ । ଆଜ୍ ଆଲ୍ଲା ଓର ଆଦ୍‍ମୀ କେ ବିଚ୍‍ମେ କୋଇ ଫରକ୍ ନେହିଁ ହୈ । ଆଦ୍‍ମୀ ଓର୍ ଆଦ୍‍ମୀକା ବିଚ୍‍ମେ ଭି ଫରକ୍ ଉଠ୍ ଗୟା । ମର୍ଦ୍ଦ ଔର ଅଉରତ୍‍ ଭି ସମାନ୍ । ସାରା ହିନ୍ଦୁସ୍ଥାନ ମେ ରସୁଲ୍‍କେ ଧରମ ପ୍ରଚାର ହୋନେସେ କ୍ୟା ଆଛା ନେହିଁ ହୋତା । ଦେଖା ଯାୟେ । ସବ୍ ଖୋଦାକା ମର୍ଜିମେ । ବୋଲୋ ଆଲ୍ଲା ହୋ ଆକବର୍‍ ।

 

(୧) ଜାହାନ୍ନାମ–ନରକ, (୨) ଫୈଲାନା–ପ୍ରଚାର, (୩) ମତାବଲୀ–ମହନ୍ତ

 

ସମସ୍ତେ

ଆଲ୍ଲା ହୋ ଆକବର୍‍, ଆଲ୍ଲା ହୋ ଆକବର୍‍ ।

(ଧ୍ୱନି କରୁ କରୁ ପଟପତନ)

 

ତୃତୀୟ ଦୃଶ୍ୟ

 

(ବାରବାଟୀ ପ୍ରାଙ୍ଗଣ । ମନ୍ତ୍ରୀ ଓ ରାଜପୁରୋହିତ ପ୍ରବେଶ)

ମନ୍ତ୍ରୀ

କୌଣସି ଆଡ଼ୁ କିଛି ଖବର ଆସିଲା ନାହିଁ । ନାହିଁ ଯୁବରାଜଙ୍କଠାରୁ; ନାହିଁ ମହାରାଜାଙ୍କଠାରୁ । ପାଟମହାଦେଈ ତ ବ୍ୟସ୍ତ, ମୁଁ ମଧ୍ୟ ବିନିଦ୍ର ଯାମିନୀ ଯାପନ କରୁଅଛି । ପୁରୋହିତେ, ପିତା ପୁତ୍ର ତ ଅଧେ ଅଧେ ହସ୍ତୀ ଅଶ୍ୱ ପାଇକ ଧରି ଜଣେ ଦକ୍ଷିଣକୁ ଜଣେ ଉତ୍ତରକୁ ଚାଲିଗଲେ । ମୁଁ ଏକୁଟିଆ ରହିଲି ଏ ବିରାଟ ଦୁର୍ଗ ରକ୍ଷା କରିବାକୁ । ସେମାନେ ନ ଫେରିଲାଯାଏଁ ମୋ ଦେହରେ ରକ୍ତ ନାହିଁ ।

ପୁରୋହିତ

କିନ୍ତୁ ମୋର ମନ ହେଉଛି ମାଳବ ଦେଶରୁ ଲୋକବାକ ଆସଛନ୍ତି ଯେପରି । ମୁଁ ଆଜି ସକାଳେ ନଦୀରେ ସ୍ନାନ କରି ଫେରିଲାବେଳେ ସେହି ଦେଶୀୟ ଦୁଇ ତିନୋଟି ଲୋକ ନଈ ବନ୍ଧେ ବନ୍ଧେ ଫେରୁଥିବାର ଦେଖିବାକୁ ପାଇଲି । ସେମାନେ ବୋଧହୁଏ ଜାଣିଛନ୍ତି ମହାରାଜା ବା ଯୁବରାଜ ନାହାନ୍ତି । ତେଣୁ ଦୁର୍ଗକୁ ଆସୁ ନାହାନ୍ତି ।

ମନ୍ତ୍ରୀ

ମୁଁ ତ ସେ ସମ୍ପର୍କରେ କିଛି ହିଁ ଜାଣେନା । ପୁଣି ମାଳବରୁ ଏ ସମୟରେ ଲୋକ ବା ଆସିବେ କାହିଁକି ? ଆମର ତ ଖବର ପଠାଯାଇଛି ଯେ ଯୁବରାଜ କୁଳବର୍ଗରୁ ନ ଫେରିଲାଯାଏ, ବିବାହବିଧି ବନ୍ଦ ।

ପୁରୋହିତ

କିନ୍ତୁ ଏଇ ଦେଖ, ମନ୍ତ୍ରୀ ମହାଶୟ, ଏଇ ଯେ ସେହି ଦେଶର ଲୋକ ଆସୁଛି । ବୋଧହୁଏ ତୁମ ସଙ୍ଗେ କିଛି କଥାବାର୍ତ୍ତା ହେବାକୁ ଆସୁଛନ୍ତି-

ମାଳବ ଦୂତ

(ପ୍ରବେଶ କରି) ମୁଁ କି ଉତ୍କଳମନ୍ତ୍ରୀଙ୍କ ସମ୍ମୁଖରେ ?

ମନ୍ତ୍ରୀ

ହଁ ମୁଁଇ ମନ୍ତ୍ରୀ । ଆସିବାର ଉଦ୍ଦେଶ୍ୟ ।

ମାଳବ ଦୂତ

ମାଳବ ଦେଶ ବର୍ତ୍ତମାନ ମୁସଲମାନ ଦ୍ୱାରା ଆକ୍ରାନ୍ତ । ତେଣୁ ରାଜନନ୍ଦିନୀଙ୍କ ଅନିଚ୍ଛାସତ୍ତ୍ୱେ, କନିଷ୍ଠ ରାଜକୁମାର ସହ, ମାଳବରାଜା ତାଙ୍କର ବାଗ୍‍ଦତ୍ତା ଜ୍ୟେଷ୍ଠା କୁମାରୀଙ୍କୁ ଉତ୍କଳକୁ ପଠାଇ ଦେଇଛନ୍ତି । ଆମ୍ଭେମାନେ ଉଜ୍ଜୟିନୀରୁ ବାହାରି ଚେଦି ଓ କୋଶଳ ରାଜ୍ୟର ଘୋର ବନ ଭେଦ କରି ସମ୍ବଲପୁରଠାରେ ମହାନଦୀରେ ନୌକା ଧରିଲୁ । ପ୍ରାୟ ଦୁଇମାସ ହେଲା ଦେଶ ଛାଡ଼ିଛୁ । ମହାନଦୀରେ ଭାସି ଭାସି ଶେଷରେ ବାଙ୍କି ଦୁର୍ଗରେ ଆମର ଲୋକବାକ ଆଶ୍ରୟ ନେଇଅଛନ୍ତି । ଆମ୍ଭମାନଙ୍କର ପରିଚୟ ପାଇ, ଦୁର୍ଗେଶ୍ୱର ପରମ ସମ୍ମାନରେ ଆମ୍ଭମାନଙ୍କର ସମ୍ବର୍ଦ୍ଧନା କରିଛନ୍ତି । ରାଜନନ୍ଦିନୀ ବାଙ୍କି ରାଣୀଙ୍କର ପ୍ରାଣସମା କନ୍ୟରୂପେ ଅନ୍ତଃପୁରରେ ଅବସ୍ଥାନ କରୁଅଛନ୍ତି । ମୁଁ କେବଳ ରାଜଧାନୀରେ ଏ ଖବର ଦେବା ପାଇଁ ପ୍ରେରିତ ହୋଇଅଛି । ମାଳବ ରାଜାଙ୍କର ଅନୁରୋଧ, ଯୁବରାଜ କୁଳବର୍ଗରୁ ଫେରିଲେ, ବାରବାଟୀ ଦୁର୍ଗରେ ବିବାହୋତ୍ସବ ଅନୁଷ୍ଠିତ ହେବ ।

ମନ୍ତ୍ରୀ

ରାଜନନ୍ଦିନୀ ଓ ଅନୁଚରମାନଙ୍କର ଶରୀର କୁଶଳ ତ ?

ଦୂତ

ହଁ ଆଜ୍ଞା ।

ମନ୍ତ୍ରୀ

ତା ହେଲେ ପୁରୋହିତ ଆପଣେ ଆପଣ ଅଦ୍ୟ ଅପରାହ୍ନରେ ହିଁ ବାଙ୍କି ଯାତ୍ରା କରନ୍ତୁ । ସଯତ୍ନରେ ମାଳବୀୟ ମାନଙ୍କୁ ସାଙ୍ଗରେ ଘେନି ଆସିବେ । ଏ ସମ୍ବାଦ ଶୁଣିଲେ ପାଟମହାଦେଈ ତୁମକୁ ଉଠେଇ ବସେଇ ଦେବେନି । ତୁମେ ଶୀଘ୍ର ପ୍ରସ୍ତୁତ ହୁଅ । ଏଇ, ପୁଣି ଆମ ଦୁର୍ଗଦୂତ ଆସିଲାଣି ଯେ । (ଉତ୍କଳୀୟ ଦୂତର ପ୍ରବେଶ ।)

ଉତ୍କଳ ଦୂତ

(ପ୍ରବେଶ କରି) ମନ୍ତ୍ରୀ ମହାରାଜ, ଯୁବରାଜ ବାରଙ୍ଗଲ ଓ କୁଳବର୍ଗ ପଦାନତ କରି ସଗୌରବରେ ଫେରି ଆସିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ୱରଠାରେ । ବିଶେଷ, ବିବରଣ ଏହି ପତ୍ରରୁ ପାଇବେ ।

ପୁରୋହିତ

କି ସୌଭାଗ୍ୟ । କି ଶୁଭ ସମ୍ବାଦ । ଏଣେ ମାଳବ ରାଜନନ୍ଦିନୀ ଆସିଲାବେଳକୁ, ତେଣୁ ଯୁବରାଜ ବିଜୟମୁକୁଟ ମୁଣ୍ତରେ ଘେନି ଉପସ୍ଥିତ । ବାରବାଟୀ ଦୁର୍ଗର କି ଭାଗ୍ୟ । ମୁଁ ଯାଏଁ ମନ୍ତ୍ରୀ, ଏ ଶୁଭ ସମ୍ବାଦ ପାଟମହାଦେଈଙ୍କି ତୁରନ୍ତ ନ କହି ରହିବା ଉଚିତ ହେବନି ।

ମନ୍ତ୍ରୀ

ଚାଲ ସମସ୍ତେ, ଯେଝା କାମରେ ଯିବା । ଆସ ଦୂତଦ୍ୱୟ ।

 

 

(ନିଷ୍କ୍ରାନ୍ତ)

 

ଚତୁର୍ଥ ଦୃଶ୍ୟ

 

(ଜଳେଶ୍ୱର ଦୁର୍ଗର ଅଭ୍ୟନ୍ତର । ହରିପୁର ରାଜା ଓ ଜଳେଶ୍ୱରର ସାମନ୍ତ ।)

ହରିପୁର

ମୁସଲମାନ୍‍ ସୈନ୍ୟ ପଳାଇଲେଣି ବୋଲି କହୁଛ । କିପରି ? କେବଳ ଏଇଠାରୁ, ନା ଅନ୍ୟ ଦୁର୍ଗମାନଙ୍କର ସମ୍ବାଦ ମଧ୍ୟ ଏଇପରି ?

ଜଳେଶ୍ୱର ସାମନ୍ତ

ମହାରାଜ, ମୋର ମନେ ହେଉଛି ସମ୍ରାଟ- ବାହିନୀ ଅନ୍ୟ ପଥରେ ଶତ୍ରୁକୁ ଆକ୍ରାନ୍ତ କରିବାରୁ ଅନନ୍ୟୋପାୟ ହୋଇ ଏଠାରୁ ଶତ୍ରୁ ବାଟେ ବାଟେ ପଳାଇଗଲାଣି । ଉଦ୍‍ବିଗ୍ନ ହୁଅନ୍ତୁ ନାହିଁ । ମୁଁ ଶୀଘ୍ର ସଠିକ୍ ସମ୍ବାଦ ସଂଗ୍ରହ କରୁଛି । (ଦୌବାରିକର ପ୍ରବେଶ)

ଦୌବାରିକ

ମହାରାଜ, ରେମୁଣାର ଏକ ପାଇକ ପତ୍ର ହସ୍ତରେ ଆସି ସାକ୍ଷାତ୍‍କାର ମାଗୁଛନ୍ତି ।

ହରିପୁର

ଶୀଘ୍ର ତାଙ୍କୁ ନେଇଆସ । (ଦୌବାରିକର ପ୍ରସ୍ଥାନ) ମହାରାଜ ବୋଧହୁଏ ରେଣୁମା ବାଟେ ଚାଲିଗଲେଣି । ହୁଏତ ଫେରିବା ପଥରେ ଏଇଠି ଆଶ୍ରୟ ନେବେ । ଏଇଯେ ନିଜେ ଦଳାଇଏ । କି ଖବର ?

ରେମୁଣା ଦଳାଇ

ଗଜପତି ସମ୍ରାଟଙ୍କ ଆଦେଶରେ ଏଇ ଖବର ଦେବାକୁ ଆସିଛି ଯେ ସବୁ ଦୁର୍ଗର ଆଖପାଖରୁ ମୁସଲମାନ୍‍ମାନେ ବର୍ତ୍ତମାନ ଉଡ଼୍ରସୈନ୍ୟମାନଙ୍କ ଦ୍ୱାରା ବିତାଡିତ ହୋଇ ବୈଶାଖ ଝଡ଼ରେ ଶୁଖିଲା ପତ୍ର ପରି ପଳାୟିତ । ଉତ୍କଳର ସୈନ୍ୟମାନେ ଶତ୍ରୁ ନିଶ୍ୱାସ ନ ଛାଡ଼ିଲା ଯାଏଁ, କୌଣସିଠାରେ ଛିଡ଼ା ହେବେ ନାହିଁ । ନିଜେ ସମ୍ରାଟ ସେମାନଙ୍କର ଅଗ୍ରଣୀ । ଚମ୍ପତ୍ତି, ବେବର୍ତ୍ତା ଓ ବିଶୋଇମାନେ ମାରିବାକୁ ସମୟ ନଦେଇ ରୂପନାରାୟଣ ଆରପଟେ ମହାରାଜାଙ୍କୁ ଫେରି ଆସିବାକୁ ବହୁତ କହିଲେ । କିନ୍ତୁ ମହାରାଜ ବିଶ୍ରାମ ନେବାକୁ ସମ୍ପୂର୍ଣ୍ଣ ଅନିଚ୍ଛା ପ୍ରକାଶ କଲେ । ତାଙ୍କ ପଛରେ ବିରାଟ ଉତ୍ସଳ ଥାଟ, ସାର ଭୂଖଣ୍ତକୁ ଧୂଳିମୟ କରି ଧାଇଁଛି । ତାଙ୍କର ଫେରୁ ଫେରୁ ବିଳମ୍ବ ହେବ ଭାବି ସମ୍ରାଟ୍‍ ମତେ ପଛରୁ ଡାକି କହିଲେ “ଦଳେଇଏ, ତମେ ଜଳେଶ୍ୱରକୁ ଫେରିଯାଅ । ଦୁର୍ଗଦ୍ୱାର ଖୋଲାଅ ଓ ଅବରୁଦ୍ଧ ଦୁର୍ଗବାସୀଙ୍କ ପାଇଁ ଖାଦ୍ୟର ଯୋଗାଡ଼ କର । ସେମାନଙ୍କୁ କହ ଯେ ମୁଁ ଫେରନ୍ତା ଜଳେଶ୍ୱରରେ ରହିବି ।” ଏହା କହି ଘୋଡ଼ା ଝପଟାଇ ଦେଲେ । ମୁଁ ଏକ ନିଶ୍ୱାସରେ ଏ ସମ୍ବାଦ ଦେବାପାଇଁ ଧାଇଁଛି । ଦେଖୁଛି ଦୁର୍ଗଦ୍ୱାର ଆଗରୁ ଖୋଲି ଗଲାଣି । କେବଳ ଦୁର୍ଗବାସୀଙ୍କୁ ଏ ସମ୍ବାଦ ଦିଅନ୍ତୁ ।

ଦୁର୍ଗେଶ୍ୱର

ଦଳାଇଏ, ଲୋକ ଯେବେ ଜାଣିବେ ଯେ ଗଜପତିଙ୍କ ନିକଟରୁ ଲୋକ ଆସିଛନ୍ତି, ସେମାନେ ସବୁ କାମ ଛାଡ଼ି ତୁମକୁ ଘେରିଯିବେ । ତୁମକୁ ଚାଲିବାକୁ ସୁଦ୍ଧା ଦେବେନି । ତେଣୁ ତୁମେ ଆଗେ ବିଶ୍ରାମ କର । ତା ପରେ ସବୁ କଥା । ମୁଁ ତେଣେ ଦେଖେ ଯେପରି ସୈନ୍ୟମାନେ ବୃଥା ଗଣ୍ତଗୋଳ ନ କରନ୍ତି ।

 

 

(ଦୁଇ ଦିଗରେ ଦୁଇଦଳ ନିଷ୍କ୍ରାନ୍ତ)

 

ପଞ୍ଚମ ଦୃଶ୍ୟ

 

(ବାରବାଟୀର ଏକ କକ୍ଷ)

କାଞ୍ଚନପ୍ରଭା

ତା ପରେ କଣ ହେଲା ?

ନରସିଂହ

କୁଳବର୍ଗ ଦୁର୍ଗର ଶକ୍ତି କ୍ରମଶଃ କ୍ଷୀଣ ହୋଇ ଆସିଲା ଏବଂ କର୍ଣ୍ଣାଟବାହିନୀ ତୃତୀୟ ଦିନରେ ଅସ୍ତ୍ର ତ୍ୟାଗକରି ପଳାୟନ କଲେ । କିନ୍ତୁ ହସ୍ତୀ, ଅଶ୍ୱ ଧନରତ୍ନାଦି କେବଳ ଉପଢ଼ୌକନ ରୂପେ ଗ୍ରହଣ କରି କର୍ଣ୍ଣାଟ ରାଜାଙ୍କୁ ତାଙ୍କର ଦୁର୍ଗ ଫେରାଇଦେଇ ମଞ୍ଜିରା ନଦୀ ଅତିକ୍ରମ କରି ବାରଙ୍ଗଲ ଦୁର୍ଗ ଆଡ଼କୁ ଫେରିଲୁଁ । ବାରଙ୍ଗଲ ଦୁର୍ଗ ଅତି ପୁରାତନ ଓ ବହୁ କ୍ରୋଶ ବ୍ୟାପୀ । ଉଚ୍ଚ ପ୍ରସ୍ତର- ପ୍ରାଚୀର ଓ ସୁଗଭୀର ପରିଖା ଦ୍ୱାରା ସୁରକ୍ଷିତ ତାର ଏକମାତ୍ର ଦ୍ୱାର, ଲୌହ ଓ ବଜ୍ରପରି କଠିନ । କି ପ୍ରକାରେ ଆକ୍ରମଣ କରିବୁ ଭାବି ଭାବି ମୁଁ ଉତ୍ତୁଙ୍ଗ, ଗଜବାହୀ ଅସଂଖ୍ୟ ରଥ ରଚନା ପାଇଁ ଆଦେଶ ଦେଲି । ସେହି ରଥମାନଙ୍କର ଉଚ୍ଚମଞ୍ଚାରେ ବିଚକ୍ଷଣ ଧନୁର୍ଦ୍ଧରମାନଙ୍କୁ ରଖାଇଦେଲି ଏବଂ ସେମାନେ ସ୍ୱ ସ୍ୱ ରଥକୁ ଦୁର୍ଗର ଚାରିପଟେ ଘୁରାଇ ଘୁରାଇ ତୀକ୍ଷ୍‍ଣ ଶର ପ୍ରେରଣ କରି ଦୁର୍ଗ ପ୍ରାଚୀରସ୍ଥ ଦଳ ଦଳ ପ୍ରହରୀଙ୍କୁ ନିପାତ କରିବାକୁ ଲାଗିଲେ । ତା ପରେ ସେମାନେ ଦୁର୍ଗର ଚାରିପଟୁ ଅସଂଖ୍ୟ ଆଗ୍ନେୟ ହୁଳା ଦୁର୍ଗ ଭିତରକୁ ଛାଡ଼ିବାକୁ ଲାଗିଲେ, ଯା ଫଳରେ ଦୁର୍ଗ ଭିତରେ ଭୀଷଣ ଅଗ୍ନିକାଣ୍ତ ଘଟିଲା । ଏଣେ ଦନ୍ତାବଳମାନଙ୍କ ଦ୍ୱାରା ଦୁର୍ଗଦ୍ୱାର ବାରମ୍ବାର ପିଟା ହେଉଥାଏ । ପନ୍ଦରଦିନରେ ତାହା ଦୋହଲିବାକୁ ଆରମ୍ଭ କଲା । କ୍ରମେ କ୍ରମେ ଶର, ଅଗ୍ନିକାଣ୍ତ ଓ ଅନାହାର ଫଳରେ ବାରଙ୍ଗଲପତି ଏକ ମାସରେ ଦୁର୍ଗ ଛାଡ଼ିଦେଇ ସନ୍ଧି ପ୍ରସ୍ତାବ କଲେ । କାକତୀୟ ଅହଂକାରକୁ ସମୂଳେ ନଷ୍ଟକରି, କୃଷ୍ଣା ଓ ଗୋଦାବରୀ ମଧ୍ୟସ୍ଥ ସକଳ ଭୂଖଣ୍ତକୁ ସଂତ୍ରାସିତ କରି ତୁମର ଆଗମନର ସମ୍ବାଦ ଶୁଣି ମୁଁ ତରତରରେ ଫେରୁଛି ।

କାଞ୍ଚନପ୍ରଭା

ଶୁଣ ଯୁବରାଜ, ମୁଁ ଅତି ଅକିଞ୍ଚନ । ମୋର ମନକୁ ଆସୁ ନାହିଁ ଯେ ରୂପ ବା ଗୁଣ କେଉଁଥିରେ ହେଲେ ତୁମ୍ଭର ପୂଜା ପାଇଁ ମୁଁ ଯୋଗ୍ୟ । ତୁମ୍ଭେ ବିରାଟ ଉତ୍କଳ ସାମ୍ରାଜ୍ୟର ଭବିଷ୍ୟତ ସମ୍ରାଟ । ତୁମ୍ଭେ ବିଖ୍ୟାତ ଗାଙ୍ଗେୟ ବଂଶର କୁଳଚୁଡ଼ାମଣି । ତୁମ୍ଭର ପାଦତଳେ ଯଦି ଦାସୀ ହେବାର ଅଧିକାର ପାଏ, ସେଇଇ ମୋର ବଡ଼ ଭାଗ୍ୟ । ଯୌବରାଜ୍ୟରେ ଯେଉଁ ଯଶ ଘରକୁ ଆଣିଛ, ସମ୍ରାଟ ସିଂହାସନରେ ତାହା ଶତଗୁଣିତ ହେଉ, ଏହାହିଁ ମୋର ଅନ୍ତରର ପ୍ରାର୍ଥନା । କିନ୍ତୁ ଅନୁମତି ହେଲେ ତୁମ୍ଭର ବିଚାର ପାଇଁ ଗୋଟିଏ ପ୍ରସଙ୍ଗ ପକାନ୍ତି ।

ନରସିଂହ

ଶୀଘ୍ର କହ ।

କାଞ୍ଚନପ୍ରଭା

ପଠାଣ ଏବେ ମାଳବରେ ପଶିଛି ଜାଣିଛ ତ ?

ନରସିଂହ

ଶୁଣିଲି ମୁଁ କାଲିମାତ୍ର । ତୁମ୍ଭ ଦୂତଠାରୁ ।

କାଞ୍ଚନପ୍ରଭା

କାଳିଦାସ ଓ ବିକ୍ରମାଦିତ୍ୟଙ୍କର ପ୍ରସିଦ୍ଧ ନଗରୀ ମୋର ପ୍ରିୟ ଉଜ୍ଜୟିନୀ, ଯବନ ହସ୍ତରେ ଲୁଣ୍ଠିତ ହେଉଥିବ; ଯେଉଁଠି ମହାକବି କାଳିଦାସ ସିପ୍ରାନଦୀରେ ପ୍ରାତଃସ୍ନାନ କରି ଶିବ ଆରାଧନା କରୁଥିଲେ, ସେହି ମହାକାଳ ମନ୍ଦିର ଯବନର ବିଧର୍ମୀ ହସ୍ତରେ ଚୂର୍ଣ୍ଣିଭୂତ ହେବ, ବାପା ମା ଓ ଅନ୍ୟାନ୍ୟ ଜ୍ଞାତିଜନଙ୍କର ଦଶା ଯେ କଣ ହେବ ଏ ସବୁ ଭାବି ଭାବି ମୁଁ ବଡ଼ ଅସ୍ଥିର ଯୁବରାଜ । (ଲୋତକ ତ୍ୟାଗ)

ନରସିଂହ

ସ୍ଥିର ହୁଅ, କାଞ୍ଚନପ୍ରଭା । ଆଜିଠାରୁ ଜାଣି ରଖ ଯେ ତୁମର ଲୋତକ, ମୋର ରକ୍ତ । ମତେ ଅକାରଣେ ବ୍ୟଥା ଦିଅ ନାହିଁ । କି ପ୍ରତିକାର ଚାହ, କହ ।

କାଞ୍ଚନପ୍ରଭା

ତେବେ ପ୍ରତିକାର କର । ମାଳବର ଗ୍ଳାନିକୁ ଉତ୍କଳର ଅପମାନ ବୋଲି ଧର । ଏକ ବିଧର୍ମୀ ଶତ୍ରୁ ଯେତେବେଳେ ଦ୍ୱାରଦେଶରେ ଠିଆ ହେଲାଣି, ସେତେବେଳେ ନିଜ ଲୋକଙ୍କ ସଙ୍ଗେ କଳି ଦ୍ୱନ୍ଦ୍ୱ ସୁନ୍ଦର ଦିଶୁନାହିଁ । କାକତୀୟମାନଙ୍କୁ ଦମନ କରି ଆମ୍ଭେମାନେ କି ଯଶ ପାଇବା, ଯଦି ଦିନେ ଦୁହେଁ ଯବନର ଦାସ ହେବା ? ଯେ ସାଧାରଣ ଶତ୍ରୁ ତାରି ପଛରେ ସମସ୍ତେ ମିଳିତ ହୋଇ ଧାଅଁ ଓ ତାକୁ ଏ ଦେଶରୁ ବହିଷ୍କାର କର । ମହାକାଳ ନିଶ୍ଚୟ ମୋର ପ୍ରର୍ଥାନା ଶୁଣିବେ । ତୁମ୍ଭର ବିଜୟ ସୁନିଶ୍ଚିତ । ବାପା ଯାଇଛନ୍ତି ତୁମେ ବି ଯାଅ, ଯେତେବେଳ ଯାଏଁ ତୁମ୍ଭର ଖଡ୍‍ଗ ଯବନର ଉଜ୍ଜୟିନୀ ଲୁଣ୍ଠନର ପ୍ରାୟଶ୍ଚିତ୍ତ ନ କରିଛି, ତେତେବେଳ ଯାଏ ମୋର ମନରେ ଶାନ୍ତି ନାହିଁ ଜାଣ ।

ନରସିଂହ

ମୋ କାପାଳରେ ସିନ୍ଦୂର ଟୀକା ଲେଖିଦିଅ । ମୁଁ ଏହିକ୍ଷଣି ବାହାରିଲି ।

କାଞ୍ଚନପ୍ରଭା

ଦେବି ଆନନ୍ଦିତେ (ନିଜ କପାଳରୁ ସିନ୍ଦୂର କାଢ଼ି ନରସିଂହଙ୍କ ମୁଣ୍ତରେ ଦେବା)

ନରସିଂହ

ଗଲି ମୁହିଁ । ଫେରିଆସି ତୁମ କପାଳରେ ଶତ୍ରୁ ରକ୍ତର ଟୀକା ଦେବି । ତା ପରେ ବିବାହ । (ନିଷ୍କ୍ରାନ୍ତ)

 

ଷଷ୍ଠ ଦୃଶ୍ୟ

 

(ଜଳେଶ୍ୱର ଦୁର୍ଗର ଅଭ୍ୟନ୍ତର । ମହାରାଜ ଅନଙ୍ଗଭୀମଦେବ, ହରିପୁର ଓ ଜଳେଶ୍ୱର ଦୁର୍ଗର ଖଣ୍ତାଏତ ।)

 

ଅନଙ୍ଗଭୀମଦେବ

ଏତେ ତରତରରେ ବାରବାଟୀ ଛଡ଼ିବାକୁ ହେଲା ଯେ, ସାଥିରେ ଗୌଡ଼ରାଜ ଲକ୍ଷ୍ମଣସେନଙ୍କୁ ମଧ୍ୟ ଆଣିପାରିଲି ନାହିଁ । ଭାବିଥିଲି ସମଗ୍ର ଗୌଡ଼ରୁ ମୁସଲମାନ୍‍ମାନଙ୍କୁ ବିତାଡ଼ିତ କରି, ପରେ ଲକ୍ଷ୍ମଣସେନଙ୍କୁ ଡକାଇ ନେଇଥାନ୍ତି । କିନ୍ତୁ ଗଡ଼ ମନ୍ଦାରଣଠାରେ ମାଳବ ରାଜକନ୍ୟା ବାରବାଟୀରେ ପହଞ୍ଚିବାର ସମ୍ବାଦ ପାଇ ମୋର ସମସ୍ତ ପ୍ରସ୍ତାବ ଓଲଟିଗଲା । ମୁଁ ପୁଣି ତରତରରେ ଫେରିଲି ।

ହରିପୁର

ଆପଣଙ୍କ ବାକି କାମ ଯୁବରାଜ ପୂରା କରି ଆସିବେ । ଶୁଣୁଛୁଁ, ସେ ସାଥିରେ ଲକ୍ଷ୍ମଣସେନଙ୍କୁ ନେଇ ଯାଇଛନ୍ତି । ସେ ତ ଧାମରାଠାରୁ ବୋଇତରେ ଯାତ୍ରା କଲେ, ତେଣୁ ତାଙ୍କ ସଙ୍ଗେ ଆମର ସାକ୍ଷାତ ହୋଇନାହିଁ ।

ଅନଙ୍ଗ

ବଡ଼ ଏକବାଗିଆ । ଯୁବରାଜ ଯାହା ମନରେ କରିବ ବୋଲି ଠିକ୍‍ କଲା, ସେ କରିବଇ କରିବ । ବାରଙ୍ଗଲ ଓ କୁଳବର୍ଗ ସେ ଯେପରି ଭାବରେ ଜୟ କରି ଆସିଲା, ତାହା ତ ସହଜରେ ବିଶ୍ୱାସ କରି ହେଉନି ।

ଜଳେଶ୍ୱର

ଆଜ୍ଞା, ସିଂହର ଛୁଆ ସିଂହ ନ ହୋଇ କଣ ବିରାଡ଼ି ହେବ ?

ଅନଙ୍ଗ

କିନ୍ତୁ ଜଳେଶ୍ୱର, ଆଜିହିଁ ଏକ ଦୂତ ପଠାଅ ବଙ୍ଗଦେଶକୁ । ଯୁବରାଜ ସେଠାର କାମ ସାରି ଶୀଘ୍ର ଯେପରି ବାରବାଟୀକୁ ଫେରେ । ମୋର ଆଶଙ୍କା ହେଉଛି ସେ ହୁଏ ତ ମଗଧ ଡେଇଁ ମାଳବ ପର୍ଯ୍ୟନ୍ତ ଦୌଡ଼ିପାରେ । କିନ୍ତୁ ଏଣେ ବିବାହ କାର୍ଯ୍ୟଟା ଶୀଘ୍ର ହୋଇଯିବା ନିତାନ୍ତ ଉଚିତ ନୁହେଁ କି ?

ଜଳେଶ୍ୱର ଓ ହରିପୁର

ନିଶ୍ଚୟ, ନିଶ୍ଚୟ । ଆମ୍ଭେମାନେ ସମସ୍ତେ ଏ ଶୁଭକର୍ମକୁ ଅନାଇ ରହିଛୁ ।

ଅନଙ୍ଗ

ବାରବାଟୀ ଫେରିବା ମାତ୍ରେ, ଅବଶ୍ୟ ମାଳବରାଜାଙ୍କ ନିକଟକୁ ଦୂତ ପ୍ରେରିତ ହେବ । ଭାରତବର୍ଷରେ ମୁସଲମାନ୍‍ ଏକ ନୂତନ ଉପଦ୍ରବ ହୋଇ ଦେଖା ଦେଲାଣି । ରାଜ୍ୟ ପରେ ରାଜ୍ୟ ସେମାନେ ଲୁଟି କରି ନେଇ ଯାଇଛନ୍ତି । ଓଡିଶାର ନିରାପତ୍ତା ତମରିମାନଙ୍କ ଉପରେ ନିର୍ଭର କରେ । ହରିପୁର ଓ ଜଳେଶ୍ୱର, ତମେ ଦୁହେଁ ଓଡ଼ିଶାର ଉତ୍ତରଦ୍ୱାର ସ୍ୱରୂପ ।

ଜଳେଶ୍ୱର ଓ ହରିପୁର

ଶତ୍ରୁ ଆମର ମୃତ ଦେହ ଉପରେ ହିଁ ଏ ଦ୍ୱାର ଅତିକ୍ରମ କରିବ, ମହାରାଜ-

ଅନଙ୍ଗ

ଉତ୍ତମ, ଉତ୍ତମ । ଜାଗ୍ରତ ରହ ହରିପୁର, ଜାଗ୍ରତ ରହ ଜଳେଶ୍ୱର ।

ଜଳେଶ୍ୱର

ଛାମୁଙ୍କ ଦର୍ଶନପାଇଁ ଛାମୁଙ୍କର ସହସ୍ର ସହସ୍ର ରାଜଭକ୍ତ ପ୍ରଜା ବାହାରେ ଜମା ହୋଇଛନ୍ତି । ଛାମୁ ବିଜେ ହେବାକୁ ଆଜ୍ଞା ହେଉ ।

ଅନଙ୍ଗ

ଚାଲ, ଚାଲ ।

(ସମସ୍ତେ ନିଷ୍କ୍ରାନ୍ତ)

 

ସପ୍ତମ ଦୃଶ୍ୟ

 

(ଜଳେଶ୍ୱର ଦୁର୍ଗର ଦୁଇ ଜଣ ଓଡ଼ିଆ ସୈନିକର ଏକ ଆଡ଼ୁ ପ୍ରବେଶ)

ପ୍ରଥମ ସୈନିକ

ଭାଇ । ବସ ଟିକିଏ । ସାରା ଗଡ଼ ଭିତରେ ସୋରିଷ ପକାଇବାକୁ ଯାଗା ନାହିଁ । ଆଣ୍‍ତ ତୋ ବଟୁଆ ।

ଦ୍ୱିତୀୟ ସୈନିକ

ଏତେ ଲୋକ । ସବୁ ଗଡ଼ରେ ଏଇୟା ହୋଇ ଥିବଟି ? କିନ୍ତୁ ହାତୀ ଘର ବାଉଁଶ ବଣ; ମହାରାଜ ଯୁଆଡ଼େ ଲୋକ ବି ସିଆଡ଼େ । (ବସି ବଟୁଆ ଖୋଲୁ ଖୋଲୁ) ମନିଷ ଏତେଦିନେ ଟିକିଏ ନିଶ୍ଚିନ୍ତରେ ଖଣ୍ତେ ପାନ ହେଲେ ଖାଇଲା । ଏ ପଠାଣକୁ ଗୋଡ଼େଇ ଗୋଡ଼େଇ ଆମେ ବି ପଠାଣ ହେଲୁ ।

ପ୍ରଥମ

ଆଜି ଭାଇ, ଆମ ଭୂଇଁମୂଳକୁ କହି କିଛି ଭାଙ୍ଗର ଯୋଗାଡ଼ ନ କଲେ ହେବନି । ବିଜୟା ନ ପଡ଼ିଲେ ଦେହର ଏ ଶରପୀଡ଼ା ଘୁଞ୍ଚିବ ନି ।

ଦ୍ୱିତୀୟ

ସେ ତ ଦୂର କଥା । ମୁଠାଏ ଭାତ, ଆଉ ଟିକିଏ ମୁଗଡାଲି ପାଇବା ପାଇଁ ପାଟି କରି କରି ମୋର ଯେ ଆଜି ଶିରପୀଡ଼ା ହୋଇଗଲା ଭାଇ ।

ପ୍ରଥମ

କଣ କରାଯିବ ଭାଇ । ଆମେ ତ ହଜାର ହଜାର ପାଇକ, ହାତୀ, ଘୋଡ଼ା, ମାହୁନ୍ତ ଆଦି ଯାହା ଆସିଛେ । ମହାରାଜାଙ୍କୁ ଦେଖିବା ପାଇଁ ପୁଣି ହଜାର ହଜାର ଲୋକ ଠୁଳ ହେଉଛନ୍ତି । ୟାଙ୍କୁ କିଏ ସମ୍ଭାଳିବ ? ଦେ ଭାଇ, ଖିଲେ ଦେ ।

ଦ୍ୱିତୀୟ

ନେ ଏଇ । (ପାନ ଦେବା । ଦ୍ୱିତୀୟ ଖାଇ ନାକ କାନ ଛୁଇଁବା ।) ହଉ, ଏଠୁ କେବେ ଯିବା କହ ତ ? ମହାରାଜ ଏଠି କେତେ ଦିନ ରହିବେ କି ଆଉ କୁଆଡ଼େ ଲଢ଼ାଇ ହେବ କିଛି ଜଣା ପଡ଼ୁନି । ମନଟା କିନ୍ତୁ ଘରମୁହାଁ ଧଇଲାଣି । ପୁଅର ମା’ତ ଭାତ ଖାଉ ନଥିବ ଭାଇ ।

ପ୍ରଥମ

ସେ କଥା କଣ କହିବାକୁ ଅଛି ଭାଇ ? ମୋ ସ୍ତ୍ରୀ ଯେ କୁ ଦେବତାଙ୍କୁ କଣ ନ ଯାଚିଛି, ମୁଁ ଫେରିଗଲେ ସେ ସବୁ ଭୋଗ ହେବ । ହେଲେ ପାଇକ ପୁଅ ତ ମୁଣ୍ତରେ ପାଣି ଛଡ଼ାଇ ଥାଏ । ରାଜାଘର ଜମି ଖାଉଛେ, ତାଙ୍କ ବିପଦବେଳେ ମୁଣ୍ତ ଦେବାକୁ ସିନା ?

ଦ୍ୱିତୀୟ

କିନ୍ତୁ ଏ ପଠାଣଙ୍କର, ଭାଇ ତ ଚାରିଖୁଣ ଛାଡ଼ । ନାହିଁ ଦିଅଁ, ନାହିଁ ଦେବତା, ନାହିଁ ବ୍ରହ୍ମାଣ, ନାହିଁ ଭକ୍ତି, ନାହିଁ ଛୁଆଁ ଛୁଇଁ, ନାହିଁ କିଛି । ସେ ଗୁଡ଼ାକ ଗାଧୋଉବି ନାହାନ୍ତି । ଆମର ସିନା ତେତିଶି କୋଟି ଦିଅଁ, ତାଙ୍କର ଗୋଟିଏ । ତା ନାଁ କଣ କହିଲୁ ? ଜାଣିଛୁ ? ତା ନାଁଟି ଆଲ୍ଲା ।

ପ୍ରଥମ

ତାଙ୍କୁ ବଳି ତାଙ୍କ ଘୋଡ଼ା । ଦେଖିବାକୁ ଡଉଲ ଯେମିତି, ଦଉଡ଼ୁଛନ୍ତି ବି ହରିଣପରି । କୁଆଡ଼ୁ ଏଗୁରା ପିମ୍ପୁଡ଼ି ପରି ମାଡ଼ି ଆସୁଛନ୍ତି, କେଜାଣି । ତେଲେଙ୍ଗା ହେଲେ ମଣିଷ ପଦେ ପଦେ ବୁଝିବ । ତାଙ୍କ କଥା ତ ଆଦୌ ଧରା ପଡ଼ୁନାହିଁ ।

ଦ୍ୱିତୀୟ

ମୋର ମନେ ହେଉଛି, ପଠାଣମାନେ ପୁଣି ଆସିବେ । ଆଉ ମହାରାଜା ସେଇ ଆଶଙ୍କାରେ ଏଠାରେ ଦିନାକେତେ ରହି କଟକ ଫେରିବେ ।

ପ୍ରଥମ

ମୁଁ କିନ୍ତୁ ଆଜି ଶୁଣୁଛି ପୁଣି ଯୁବରାଜ ଦକ୍ଷିଣରୁ ଫେରି, ପଠାଣମାନଙ୍କ ସଙ୍ଗେ ଲଢ଼େଇ ପାଇଁ ବାପାଙ୍କ ପାଖକୁ ଆସୁଛନ୍ତି । ସତ କି ମିଛ, ମୁଁ କହି ପାରିବି ନାହିଁ ।

ଦ୍ୱିତୀୟ

ତା ହେଲେ ଭାଇ ଆଉ ରକ୍ଷା ନାହିଁ । ଯୁବରାଜ ଆସିଲେ ତ ବସେଇ ଦେବେ ନାହିଁ ମଣିଷକୁ । ସେ ତ ଏକ ପଠାଣ ଘୋଡ଼ା । ଥିର ରହିବା ଜନ୍ତୁ ନୁହଁ । ବାପ ଊଣିଶ୍‍କି, ସେ ବିଶ୍ । ତେବେ ଆଉ ଘରକୁ ଯିବା କଥା ଏଇଲା ନୁହେ । ଚାଲ ଭାଇ, ପାଟ ଅଗଣାରେ ନାଟ ଫାଟ ଆରମ୍ଭ ହେବଣି, ଆଗରୁ ଯାଗା ମାଡ଼ି ବସିଥିବା ।

ପ୍ରଥମ

ହଉ ଚାଲ, ଆଉ କଣ କରିବା ।

 

ଅଷ୍ଟମ ଦୃଶ୍ୟ

 

(ଗୌଡ଼ରେ ମୁସଲମାନ୍‍ ଶିବିର, ସିରାଜଖାଁ ଓ ଦୁଇଜଣ ଅଧସ୍ତନ ସେନାପତି)

ସିରାଜ

ସମଗ୍ର ହିନ୍ଦୁସ୍ଥାନରେ ମୁସଲମାନ୍‍ର ଏହି ହେଲା ପ୍ରଥମ ପରାଜୟ । କନୌଜ, ବିହାର, ବଙ୍ଗଳା ଯେପରି ସୁବିଧାରେ ମିଳିଗଲା, କିଏ ଭାବିଥିଲା ଓଡ଼ିଶାର ରାଜା ଏତେ ଟାଣୁଆ ବୋଲି ?

ପ୍ରଥମ ସେନାପତି

ଓଡ଼ିଶା ରାଜ୍ୟର ଉଡ଼୍ର ପାଇକମାନଙ୍କର ସାହାସ ଅନ୍ୟ କେଉଁଠି ଦେଖି ନାହିଁ ।

ଦ୍ୱିତୀୟ ସେନାପତି

ସେହିମାନେ ତ ଆମର ଘୋଡ଼୍‍ସବାରମାନଙ୍କର ଜାନ୍ ତୁଟାଇ ଦେଲେ-

ସିରାଜ

ଉଡ଼୍ର ରାଜ୍ୟରେ ରାଜା ଓ ପ୍ରଜା ଭଲରେ ଅଛନ୍ତି ଏବଂ ସୁବାଦାରମାନେ ରାଜାର ନିମକ୍‍ର ମାନ୍ ରଖିଛନ୍ତି । ଓଡ଼ିଆ ରାଜା ସାଙ୍ଗକୁ, ଏଥର ପ୍ରାୟ ଆଉ ଦଶଟା ଛୋଟିଆ ରାଜା ତାଙ୍କ ଫଉଜ ନେଇ ଆସିଥିଲେ ।

ପ୍ରଥମ ସେନାପତି

ଆଜି କିନ୍ତୁ ଖବର ମିଳିଛି ଯେ ରାଜା ଜଳେଶ୍ୱର ଛାଡ଼ି ଚାଲିଗଲେଣି ।

ଦ୍ୱିତୀୟ ସେନାପତି

ତା ହେଲେ ଆମେ ଟିକିଏ ନିଶ୍ୱାସ ମାରି; ଦ୍ୱିତୀୟ ଚଢ଼ାଉ ପାଇଁ ପ୍ରସ୍ତୁତ ହେବା ।

ସିରାଜ

ନିଶ୍ଚୟ । ଇସଲାମ୍‍ ପରାଜୟ ସ୍ୱୀକାର କରେ ନା । ଆମେ ବାରମ୍ବାର ଓଡ଼ିଶା ଆକ୍ରମଣ କରିବାକୁ ପ୍ରସ୍ତୁତ ରହିବା । ସମଗ୍ର ହିନ୍ଦୁସ୍ଥାନର କାଫେର୍‍ମାନଙ୍କୁ ପଦତଳେ ରଖିଲେ କଣ ହେବ, ତାଙ୍କର ମକ୍‍କାରେ ତ ପତାକା ଉଡ଼ିଲା । ସୋମନାଥ, ନଗର କୋଟ୍, ମଥୁରାର ଦଶାକୁ ଜଗନ୍ନାଥଙ୍କୁ ନ ଆଣିଲେ, ଇସଲାମ୍‍ର ଇଜତ୍ ରହିବ ନି ଏ ଦେଶରେ-

ପ୍ରଥମ ସେନାପତି

ନା, ଜାହାଁପନା, ଜଗନ୍ନାଥଙ୍କୁ ଭାଙ୍ଗି ଇସଲାମ୍‍ର ଇଜତ୍ ରଖିବାକୁ ଆମେ ବାତ୍‍ ଦେଲୁ । ଏଇ ଆମର ଶିର୍‍କା ଫେଜ୍ ଜାମିନ୍ ରଖିଲୁ । (ମୁଣ୍ତର ଫେଜ୍ କାଢ଼ି ଉଭୟ ସେନାପତି ସିରାଜଙ୍କ ପାଦତଳେ ଦେବା-। ଇତି ମଧ୍ୟରେ ମୁସଲମାନ ଚରର ପ୍ରବେଶ ।)

ସିରାଜ

କି, ଖବର୍ କଣ ? ଖବର୍ କଣ ?

ଚର

ଖୋଦାବନ୍ଦ୍ ସବୁ ପଳାନ୍ତୁ, ପଳାନ୍ତୁ, ପଳାନ୍ତୁ ।

ପ୍ରଥମ ଓ ଦ୍ୱିତୀୟ

କାହିଁକି ? କାହିଁକି ?

ଚର

ଉତ୍କଳ ରାଜାର ପୁତ୍ର, ନରସିଂହଦେବ କୌଶଳରେ ଜାହାଜମାନଙ୍କରେ ନଦୀ ମୁହାଁଣରେ ଥୋଡ଼ା ସୈନ୍ୟ ଓହ୍ଲାଇ, ଏଣେ ସ୍ଥଳ ରାସ୍ତାରେ ମଧ୍ୟ ତାର ବାପର ଫେରିଯାଉଥିବା ସୈନ୍ୟମାନଙ୍କୁ ଧରି ବର୍ତ୍ତମାନ ଦୁଇପଟୁ ମାଡ଼ି ଆସୁଛି । ସାଥିରେ ତାର ଗୌଡ଼ରାଜା ଫେରି ଆସିଛି, ଆଉ ରକ୍ଷା ନାହିଁ । ପ୍ରାୟ ତିନି କୋଶ ଦୂରରୁ ଧୂଳି ଉଡ଼ିବାର ଦେଖି ଆମ୍ଭେମାନେ ଭାବିଥିଲୁ ଯେ ଗୋଟାଏ ଝଡ଼ ଆସୁଛି । କିନ୍ତୁ ଦେଖୁ ଦେଖୁ ସହସ୍ର ସହସ୍ର ନର ନାରୀ ଓ ବାଳକ ବାଳିକା ଦୁଇ ଦିଗରୁ ଏ ନଗରରେ ପଶିଲେଣି । ସୋମାନଙ୍କର କ୍ରନ୍ଦନ ରୋଳରେ ସହର ପୂର୍ଣ୍ଣ-। ସହରବାସୀମାନେ ସେମାନଙ୍କୁ ଆଶ୍ରୟ ଦେବେ କଣ, ନିଜେ ନିଜର ଜିନିଷପତ୍ର ଧରି ପଳେଇବାକୁ ବସିଲେଣି । ଆରଥରର ଓଡ଼ିଶା ଆକ୍ରମଣ ଲୋକଙ୍କୁ ଏପରି ବାଧିଛି ଯେ, ଲୋକଙ୍କ ମୁହଁରୁ ଖାଲି କେବଳ ଶୁଣା ଯାଉଛି “ଓଡ଼ିଆ ଆସିଲେ, ପଳା ପଳା ।” ଓଡ଼ିଆ ସୈନ୍ୟ ଅତି ନିକଟରେ । ଖୋଦାବନ୍ଦ୍ ପଳାୟନ କରନ୍ତୁ, ନଚେତ୍ ବନ୍ଦୀ ହେବେ । ଓଡ଼ିଆାନେ ମୁସଲମାନ୍‍ ଦେଖିଲେହିଁ ହତ୍ୟା କରୁଛନ୍ତି ।

ପ୍ରଥମ ସେନାପତି

ଅଉ ବିଳମ୍ବ କରନ୍ତୁ ନାହିଁ ଜାହାଁପନା । ଭାବିବାର ସମୟ ଏ ନୁହେଁ । ପଳାୟନହିଁ ଏକମାତ୍ର ପନ୍ଥା ।

ଦ୍ୱିତୀୟ

ତା ଛଡ଼ା ଯେ ଅନ୍ୟ ବାଟ ନାହିଁ ।

ସିରାଜ

ଚାଲ ତେବେ । ଆଲ୍ଲା ହୋ ଆକବର୍ । (ନିଷ୍କ୍ରାନ୍ତ)

ସମସ୍ତେ

ଆଲ୍ଲା ହୋ ଆକବର୍ ।

 

 

(ସେମାନେ ଚାଲିଯିବା ପରେ ପରେ ସସବ୍ୟସ୍ତରେ ନରସିଂହ ଓ ଓଡ଼ିଆ ସେନାପତିଗଣଙ୍କର ପ୍ରବେଶ ।)

ନରସିଂହ

ପଳାୟିତ ! କିନ୍ତୁ କେଉଁଆଡ଼େ ପଳାଇବ ? ଚାଲ୍‍, ସେନାପତି, ବିରାଡ଼ି ମୂଷାକୁ ଗାତରୁ ଓଟାରି ଆଣିଲାପରି, ଶତ୍ରୁକୁ ଲୁଚିବା ଜାଗାରୁ କାଢ଼ି ଆଣିବା । ଏଣେ ସୈନ୍ୟମାନଙ୍କୁ କହିଦିଅ ଯେ ପ୍ରତ୍ୟେକେ ଶତ୍ରୁ ସୈନ୍ୟକୁ ଖୋଜି ଖୋଜି, ଯମ ପାଖକୁ ପଠାନ୍ତୁ । ଆମ୍ଭମାନଙ୍କୁ ଅବଶ୍ୟ ଏହିଠାରେ କିଛି କାଳ ରହିବାକୁ ହେବ । ଗୌଡ଼ରାଜାଙ୍କୁ ତାଙ୍କର ସିଂହାସନରେ ବସାଇ ସାରିବା ପରେ, ଆମ୍ଭେମାନେ ପୁଣି ବିହାର ଅଭିଯାନ କରିବା । ଯାଅ, ଗୌଡ଼ରାଜାଙ୍କୁ ସମ୍ମାନରେ ଘେନିଆସ ।

(ନିଷ୍କ୍ରାନ୍ତ, ପଟପତନ)

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

 

(ବାରବାଟୀର ଅନ୍ତଃପୁର, ନରସିଂହ ଓ କାଞ୍ଚନପ୍ରଭା ଉପବିଷ୍ଟ)

ନରସିଂହ

ବାବା କାହିଁକି ଯେ ମନା କଲେ, ମୁଁ ଜାଣି ପାରୁନି । ମୋର ଇଚ୍ଛା ଥିଲା ଯବନରାଜର ପଶ୍ଚାଦ୍ଧାବନ କରି ବାହାରରେ ପଶିବାକୁ । ସେ କିନ୍ତୁ କେବଳ ବଙ୍ଗଳା ଜୟ କରି ଫେରିବାକୁ ବାହାରିଲେ । ଖୁବ୍ ସମ୍ଭବତଃ ତମର ଆସିବାର ଖବର ପାଇ, ସେ ତୁରନ୍ତ ବାରବାଟୀକୁ ଫେରିବାକୁ ବସିଲେ । ମୋର ବଡ଼ ଦୁଃଖ ଯେ ଯବନରାଜର ବକ୍ତରେ ତମର ଟୀକା ରଚନା କରିପାରିଲି ନାହିଁ । ମୁଁ ସତେ, ତମ କରଧାରଣର ଅଯୋଗ୍ୟ ।

କାଞ୍ଚନପ୍ରଭା

ତୁମେ ତ ମୋର ଚିରଦିନ ପୂଜନୀୟ ଦେବତା । ମତେ ଆଉ ଲଜ୍ଜା ଦିଅ ନାହିଁ । ପ୍ରଥମ ଅଭିଯାନରେ ଶତ୍ରୁକୁ ବେଶ୍ ଶାସ୍ତି ଦିଆଯାଇଛି । ଯାହା ନ ହେଇଛି, ସେଥିପାଇଁ ତମେ ଦାୟୀ ନୁହ, ଦାୟୀ ମୁଁ । ମୁଁ ଅପ୍ରତ୍ୟାଶିତ ଭାବରେ ବାରବାଟୀ ଆସି ନ ଥିଲେ, ତୁମେମାନେ ଏତେ ଶୀଘ୍ର ବଙ୍ଗଳା ଛାଡ଼ି ନ ଥାନ୍ତ କି ଯବନ ଖସି ପଳେଇ ପାରି ନ ଥାନ୍ତା । କିଛି ଦୁଃଖ କରନା । ଏଇ ମାମା ଆସୁଛନ୍ତି । (ପାଟମହିଷୀଙ୍କର ପ୍ରବେଶ ଓ ଦୁହିଁଙ୍କର ମନସ୍କାର ।)

ପାଟମହିଷୀ

ଦୀର୍ଘଜୀବୀ ହୁଅ, ବାପା ମା ଦୁହେଁ । ପ୍ରଭୁ ନୀଳାଚଳନାଥଙ୍କ ଆଶୀର୍ବାଦରେ ତମରିମାନଙ୍କ ସୁଖ ଯଶ ଦେଖି ଦେଖି ଆମର ଆଖି ବୁଜି ହେଉ । ମା, ତୁମକୁ ପାଇ ଏ ଉତ୍କଳ- ରାଜ୍ୟ ଧନ୍ୟ ଓ ଆମ୍ଭେମାନେ କୃତ କୃତ୍ୟ । ଏ ଦୁର୍ଗ ବି ହସିଉଠୁଛି । ମହାରାଜ ତୁମ ପରି ବୋହୂ ପାଇ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ବଙ୍ଗଦେଶରୁ ଫେରିଲା ପରେ ଓ ତୁମକୁ ଦେଖିଲାବେଳୁ ପାତ୍ର ମନ୍ତ୍ରୀଙ୍କ ଆଗରେ କେବଳ ଏବେ ତମରି କଥା; ଲଢ଼େଇର ନାଁ ଧରୁ ନାହାନ୍ତି । ଆସ ମା, ସଭାମଣ୍ତପକୁ ଆସ । ରାଜ୍ୟର ଲୋକେ ତୁମକୁ ଦଖିବାକୁ ଉଦ୍‍ଗ୍ରୀବ । ଆସ ବାପା । (ଧୀରେ ଧୀରେ ସମସ୍ତେ ନିଷ୍କ୍ରାନ୍ତ)

 

ଦ୍ୱିତୀୟ ଦୃଶ୍ୟ

(ପାତ୍ରମନ୍ତ୍ରୀ ପରିବେଷ୍ଟିତ ଅନଙ୍ଗଭୀମ)

 

ଅନଙ୍ଗ

ଶୁଣ ପ୍ରିୟ ପ୍ରଜାବର୍ଗ,

 

 

ଶୁଣ, ପାତ୍ର ମନ୍ତ୍ରୀଆଦି ସଭାସ୍ଥ ସକଳେ

 

 

ଶେଷେ ମୁଁ କହଇ ଏକ କଥା ସମସ୍ତଙ୍କୁ ।

 

 

ଏଇ ଯେ ଉତ୍କଳ ରାଜ୍ୟ ପବିତ୍ର ପୁରାଣ,

 

 

ସ୍ୱୟଂ ନିଳାଚଳନାଥ, ରକ୍ଷକ ଯାହାର;

 

 

ଗଙ୍ଗା, ଗୋଦାବରୀ, ସିନ୍ଧୁ ପରିଖା ପରିରେ

 

 

ଘେରି ରହିଛନ୍ତି ଯାକୁ; ପଶ୍ଚିମେ ଉତ୍ତରେ

 

 

ଅଭେଦ୍ୟ ପର୍ବତମାଳା, ଏକ ପରେ ଏକ

 

 

ପ୍ରାଚୀର ସମାନ ଯା’ର ରହିଛନ୍ତି ଠିଆ;

 

 

ବଣିକ-ବୋଇତ ଯା’ର ଚିରେ ସପ୍ତ ସିନ୍ଧୁ,

 

 

ସୈନିକେ ଯାହାର ବଳେ, ସାହାସେ ବିଖ୍ୟାତ,

 

 

ଯା’ ନୃପତିଗଣ,

 

 

କରିଲେ ମଣ୍ତନ ଯା’କୁ ପିନ୍ଧାଇଣ ଯତ୍ନେ

 

 

ଦୁର୍ଗ-ଦେଉଳର ମହା- ମହିମା- କିରୀଟ,

 

 

ଭକ୍ତ ଋଷି- ସାଧନାର ଏ ସ୍ଥଳୀ ପାବନ,

 

 

ଏହି ସେ ଉତ୍କଳଭୂମି, ଥିବ ଚିରକାଳ

 

 

ଏହିପରି ଯଶୋମୟ;

 

 

ଯଦି ଉତ୍କଳୀୟେ

 

 

ତୁମ୍ଭେ ସବୁ ଖଣ୍ତାଇତେ, ପାଇକେ ସାମନ୍ତେ

 

 

ଏକ ହୋଇ କରି କାର୍ଯ୍ୟ, ଭୁଲି ଆତ୍ମ ପର

 

 

ଭୁଲି ନିଜ କ୍ଷୁଦ୍ର ସ୍ୱାର୍ଥ, ରଖି ଚିତ୍ତେ ସଦା

 

 

ଉତ୍କଳର ସ୍ୱାଧୀନତା, ଉତ୍କଳ- ସମ୍ମାନ

 

 

ଜୀବନର ଶେଷ୍ଠକୃତି ପ୍ରତ୍ୟେକ ଜୀବନେ ।

 

 

ନିଜ ସୁଖ, ସ୍ୱାର୍ଥ ପାଇଁ ଉତ୍କଳ- ସମ୍ମାନ

 

 

ବିକିବା ବିଦେଶୀ ହାତେ ଘୃଣ୍ୟ ଯଦି ଭାବ,

 

 

କିଏ ସେ ପୁଣ୍ୟ ଦେଶେ କରିବ ରାଜତ୍ୱ,

 

 

ତୁମ୍ଭ ପରେ, ତୁମ୍ଭ ନିଜ ଭାଇ ବନ୍ଧୁ ଛଡ଼ା ?

 

 

ନୀଳାଚଳନାଥେ ଆମ୍ଭେ ହୋଇବା କୃତଜ୍ଞ

 

 

ବାରବାଟୀ ଠିଆହେବ । ସଙ୍ଗେ ସଙ୍ଗେ ଆମ୍ଭ–

 

 

ତରବାରୀ ଆଣିଅଛି ବିଜୟ ସନ୍ଦେଶ,

 

 

କୁଳବର୍ଗ, ବାରଙ୍ଗଲ, ହୋଇଲେ ନିଊନ

 

 

ଯବନ ତାଡ଼ତା ହେଲା, ଲୁଣ୍ଠିତ ତା’ ଦୁର୍ଗ;

 

 

ରାଢ଼ ଓ ବାରେନ୍ଦ୍ର ପୁଣି ମିଶିଲା ଉତ୍କଳେ,

 

 

ଉତ୍କଳର ସୀମା ଏବେ ଗଙ୍ଗାନଦୀ କୂଳୁ

 

 

ବିସ୍ତାରିତ କୃଷ୍ଣା ଯାଏଁ, ପୁରୁବୁଁ ପଶ୍ଚିମେ

 

 

ସିନ୍ଧୁଠାରୁ ବିନ୍ଧ୍ୟଯାଏ ଗଣ୍ତବାନା ଭେଦି ।

 

 

ଏ ବିରାଟ ସାମ୍ରାଜ୍ୟର ଲକ୍ଷ୍ମୀ ଭବିଷ୍ୟତ

 

 

ଏହି ଆସୁଛନ୍ତି ଦେଖ । ଆସ ମା କାଞ୍ଚନ

 

 

(କାଞ୍ଚନପ୍ରଭା ପ୍ରଭୃତିଙ୍କର ପ୍ରବେଶ)

 

 

ଉଦ୍‍ଗ୍ରୀବ ଦେଖିବେ ସର୍ବେ ରାଣୀଙ୍କୁ ତାଙ୍କର ।

 

 

(କାଞ୍ଚନପ୍ରଭା ପ୍ରଭୃତିଙ୍କର ଆସନ ଗ୍ରହଣ ଓ ସଭାରେ କରତାଳି ଧ୍ୱନି)

 

 

ମାଳବ ଅନ୍ଧାର କରି ଆସି ବାରବାଟୀ

 

 

ଉଜ୍ଜ୍ୱଳ କରୁଛ ନିଜ ରୂପେ, ଗୁଣେ,ଶୀଳେ ।

 

 

ଏଇ ତବ ପ୍ରଜାବର୍ଗ, ଏହି ସେ ସାମନ୍ତେ

 

 

ମୁଷ୍ଟିବଦ୍ଧ କରେ ଯା’ଙ୍କ, ଲକ୍ଷ ଲକ୍ଷ ଆସି,

 

 

ତୁମରି ସମ୍ମାନପାଇଁ । ତୁମରି ଇଙ୍ଗିତେ

 

 

ଉଠିବେ, ବସିବେ, ପୁଣି ଦେବ ପ୍ରାଣ ଢାଳି ।

ସମସ୍ତେ

ଜୟ ମାଳବ ରାଜଜେମାଙ୍କର ଜୟ ।

 

 

ଜୟ ନରସିଂହଦେବଙ୍କର ଜୟ ।

କାଞ୍ଚନପ୍ରଭା

(ଉଠି)ପ୍ରିୟ ଉତ୍କଳର ସାମନ୍ତ ଓ ପ୍ରଜାବର୍ଗ । ଆଜିଠାରୁ ଉତ୍କଳହିଁ ମୋର ଘର । ଉତ୍କଳର ବିପଦବେଳେ ତୁମ୍ଭମାନଙ୍କ ପଛରେ ମୁଁ ମଧ୍ୟ ଠିଆ ହେବି-। ଉତ୍କଳର ସମ୍ମାନ ପାଇଁ ମୋର ସ୍ୱାମୀ ଯୁଦ୍ଧକୁ ଗଲେ, ମୁଁ ତାଙ୍କର ତରବାରୀ ବୋହି ନେବି । ତମମାନଙ୍କର ପ୍ରାଣ ଗଲେ ମୋ ପ୍ରାଣ ବି ତମମାନଙ୍କର ସଙ୍ଗରେ ଥିବ ।

 

 

(ବସିବା ଓ ଘନ ଘନ କରତାଳି ସହ ପଟପତନ)

 

 

(ବନ୍ଦୀମାନଙ୍କର ଗାଇ ଗାଇ ପ୍ରବେଶ)

 

 

(ସଂସ୍କୃତ ଗୁରୁଲଘୁ ନିୟମରେ ଗାଇବ)

 

 

ଦୁର୍ଗଗଜ ଜୟ ହେ

 

 

ବାରବାଟୀ ଜୟ ହେ

 

 

ଉତ୍କଳ ନିଃଶଙ୍କ କରିଛି ନାଶି ବୈରିଭୟ ହେ । ଘୋଷା ।

 

 

ଦେଶ ଦେଶ ଖଣ୍ତିତ କରି ଖଣ୍ତାୟତ ଆସେ

 

 

ଘୋଷଇ ତବ ନାମ ବୈରି ଦୂରୁ ଗୁରୁତ୍ରାସେ ।

 

 

ବୀର-ଗରବସ୍ପନ୍ଦିତ, ଘନ–

 

 

ଗୌରବ-ରଜ-ମୟ ହେ

 

 

ଦୁର୍ଗରାଜ ଜୟ ହେ । ୧।

 

 

ପ୍ରେରିଛ ଶତ ବାହିନୀ ତବ କ୍ଷତ୍ରିୟ ଯଶପାଇଁ

 

 

ଫେରୁଛନ୍ତି କୀର୍ତ୍ତି- ଖଚିତ, ଜୈତ୍ର- ଗୀତି ଗାଇ

 

 

ନାରୀ ପୁଣ୍ୟ କରଇ ବିଜୟ

 

 

ଚୁମ୍ବି ବକ୍ଷୁ ଭୟ ହେ,

 

 

ଦୁର୍ଗରାଜ ଜୟ ହେ । ୨ ।

 

 

ବାର ବାର ଉତ୍କଳ-ତମ ନାଶିଲ ତରବାରେ ହେ

 

 

ଟେକି ରଖିଲ ଜାତି ମହତ ତୁଙ୍ଗ ଅହଂକାରେ ହେ ।

 

 

ମଣ୍ତିତ ଗଜପତି-ଯଶ-ଫୁଲ

 

 

ସୈନିକ ଦୁର୍ଜୟ ହେ

 

 

ଦୁର୍ଗରାଜ ଜୟ ହେ । ୩ ।

 

 

ବୈରି-ବିଜୟ-ଭଞ୍ଜ ଦୁର୍ଗ ନିତ୍ୟ ଅଭୟ-ଭାଷୀ

 

 

ଇଙ୍ଗିତ ତବ ପାଇକ ଲଭି ଯୁଦ୍ଧେ ପଶିବ ଝାସି ।

 

 

ଥାଅ ନିତ୍ୟ ଆମ୍ଭ ଲାଗି,

 

 

ଗର୍ବିତ, ନିର୍ଭୟ ହେ

 

 

ଦୁର୍ଗରାଜ ଜୟ ହେ । ୪ ।

 

 

(ନିଷ୍କ୍ରାନ୍ତ)

[ପଟପତନ]

Image